ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତି ହୋଇଥିବା ବ‌େଳେ ଆଜି ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ହୃଦ୍‌ଘାତ ଯୋଗୁଁ ଗତକାଲିଠୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ ହେଁ ଏବେ ଭେଣ୍ଟିଲେଟରରୁ ବାହାରିଛନ୍ତି। ତାଙ୍କୁ ଏବେ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ଓଡ଼ିଶା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ ଦାସଙ୍କ ସୂଚନା ମୁତାବକ, ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିବା ବ‌େଳେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତର କହିଛନ୍ତି। ତାଙ୍କର ‌ମଧୁମେହ ରୋଗ ଥିବାରୁ ଗତ ସୋମବାର ସେ ଅସୁସ୍ଥତା ଅନୁଭବ କରିଥିଲେ। ଦେହ ଥରିବାରୁ ତାଙ୍କୁ ହାଇଦ୍ରାବାଦର ସମ୍ପୃକ୍ତ ଘରୋଇ ହସ୍ପିଟାଲ୍‌କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଗତକାଲି ତାଙ୍କର ହୃଦ୍‌ଘାତ ହୋଇଥିଲା। ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ‌ ଭେଣ୍ଟିଲେଟରରେ ଭର୍ତି କରାଯାଇଥିଲା।

ଶ୍ରୀ ଦାସଙ୍କ ସୂଚନା ମୁତାବକ, ଭୁବନେଶ୍ବରରେ ତାଙ୍କ ବାସଭବନ ଥିଲେ ହେଁ ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀ ତନ୍ଦ୍ରା ହାଇଦ୍ରାବାଦସ୍ଥିତ ନିଜ ଝିଅ ସ୍ବିଟିଙ୍କ ଘରେ ପ୍ରାୟ ସମୟ ରୁହନ୍ତି। କିଛି ମାସ ତଳେ ତାଙ୍କର ହାର୍ନିଆ ଅପରେସନ ହୋଇଥିଲା। ତେବେ ଏହା ଅସଫଳ ହୋଇଥିବାରୁ ତାଙ୍କୁ ବାରମ୍ବାର ଅପରେସନ କରାଇବାକୁ ପଡ଼ିଥିଲା। ଏଥିପାଇଁ ସେ ବେଶ୍‌ କିଛିଦିନ ହେବ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଯଥେଷ୍ଟ ସମୟ ଦେଇପାରୁନଥିଲେ। ସାଢ଼େ ୪ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜ ଅଭିନୟ ଚାତୁରୀରେ ବାନ୍ଧି ରଖିଥିବା ଶ୍ରୀ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ଖବର ପାଇ ବହୁ ପ୍ରଶଂସକ ଭାଙ୍ଗି ପଡ଼ିଥିଲେ। ମାତ୍ର ପ୍ରଥମେ ଡାକ୍ତର ସ୍ଥିତି ଖରାପ ଥିବା କହିଥିଲେ ହେଁ ପରବର୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି ବୋଲି କହିବା ପରେ ଏହା ଆଶ୍ବସ୍ତ କରିଛି। ଶୀଘ୍ର ସୁସ୍ଥ ହୋଇ ଫେରି ଆସିବା ପାଇଁ ବିଜୟଙ୍କ ପ୍ରଶଂସକମାନେ କାମନା କରିଛନ୍ତି।

ସମ୍ବନ୍ଧିତ ଖବର