ହନିମୁନ୍ ପାଇଁ ଯାଇ ମାଲେସିଆରେ ଫସିରହିଛନ୍ତି ଓଡ଼ିଆ ନବବିବାହିତ ଦମ୍ପତ୍ତି, ସାହାଯ୍ୟ ଲାଗି କଲେ ଆକୁଳ ନିବେଦନ

ନବରଙ୍ଗପୁର: ମାଲେସିଆରେ ଫସି ରହିଛନ୍ତି ଓଡ଼ିଆ ଦମ୍ପତ୍ତି | କରୋନା ପାଇଁ ତିନି ଥର ବିମାନ ରଦ୍ଦ ହୋଇଥିବାରୁ ଏବେ ଏହି ନବବିବାହିତ ଦମ୍ପତ୍ତି ମାଲେସିଆର କୁଆଲାଲମ୍ପୁର ବିମାନବନ୍ଦରରେ ଦୁଃଖ କଷ୍ଟରେ ଅଛନ୍ତି | ନିଜ ଘରକୁ ଫେରିବାକୁ ହ୍ଵାଟ୍ସଆପରେ ଭିଡିଓ ପଠାଇ ସରକାରଙ୍କୁ ନିବେଦନ କରିଛନ୍ତି l ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ସହରର ଇଛାବତୀଗୁଡାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ ମିଶ୍ର ଫେବୃଆରୀ ୨୬ ତାରିଖରେ ସେହି ସାହିର ପରିମଳ ହାଲଦାରଙ୍କ ପୁଅ ଶଙ୍କର ହାଲଦାରଙ୍କୁ ବିବାହ କରିଥିଲେ l ଉଭୟ ଶଙ୍କର ଓ ପଲ୍ଲବୀ ମାର୍ଚ୍ଚ ୧୨ ତାରିଖରେ ହନିମୁନ ଟ୍ରିପ ସକାଶେ ମାଲେସିଆ ଯାଇଥିଲେ l

ସେମାନଙ୍କ ଫେରିବା ଟିକଟ ୧୭ ତାରିଖରେ ରହିଥିଲେ ମଧ୍ୟ ଫ୍ଲାଇଟ ରଦ୍ଦ ହୋଇଯାଇଥିବାର ଜାଣିବାକୁ ପାଇଥିଲେ | ପରବର୍ତ୍ତୀ ସମୟରେ କୁଆଲାଲମ୍ପୁରରୁ ସିଙ୍ଗାପୁର ଓ ସିଙ୍ଗାପୁରରୁ ବିଶାଖାପାଟଣା ଫ୍ଲାଇଟ ଯିବ ବୋଲି କହିବାରୁ ସେମାନେ ଫ୍ଲାଇଟ ଟିକଟ କରିଥିଲେ l କିନ୍ତୁ, ତାହା ମଧ୍ୟ ରଦ୍ଦ ହୋଇଯାଇଥିଲା l


ତୃତୀୟ ଥର କୁଆଲାଲମ୍ପୁରରୁ ସିଙ୍ଗାପୁର ଓ ସିଙ୍ଗାପୁରରୁ ଅମୃତସରକୁ ଫ୍ଲାଇଟ ଯିବ ବୋଲି କହିବାରୁ ସେମାନେ ପୁଣି ଫ୍ଲାଇଟ ଟିକଟ କରିଥିଲେ l କିନ୍ତୁ, ବର୍ତ୍ତମାନ ମଧ୍ୟ ସେହି ଫ୍ଲାଇଟକୁ ରଦ୍ଦ କରିଦିଆଯାଇଥିବାରୁ ସେମାନେ ହଇରାଣ ହେଉଛନ୍ତି l ଯାହାକୁ ନେଇ ପଲ୍ଲବୀ ଓ ଶଙ୍କର ଏକ ଭିଡିଓ କରି ଓଡିଶା ସରକାର ଓ ଭାରତ ସରକାରଙ୍କୁ ସେମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି l ୩ ଥର ଫ୍ଲାଇଟ ଟିକଟ କରି ଟଙ୍କା ସରିଯାଇଥିବାରୁ ସେମାନେ ଚିନ୍ତିତ ହେବା ସହ ଭୋକ ଶୋଷରେ ରହିଛନ୍ତି |

ଏବେ ଆସନ୍ତା ୨୨ ତାରିଖଠାରୁ ୧ ସପ୍ତାହ ପାଇଁ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଏୟାରଲାଇନ୍ସର ଫ୍ଲାଇଟ ଭାରତରେ ଓହ୍ଲାଇପାରିବ ନାହିଁ ବୋଲି  ଭାରତ ସରକାର ନିଷ୍ପତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର