୨୦ ଜାତୀୟ ମହିଳା ଫୁଟବଲର୍‌ଙ୍କ ଜୀବନ ସଂଗ୍ରାମର କରୁଣ କାହାଣୀ : ବାସନ ଧୋଇ, ବିଡ଼ି ବିକି ପେଟ ପୋଷୁଛନ୍ତି

ବହୁ ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ପାଇଁ ପଦକ ଜିତିଥିଲେ

ସମ୍ବଲପୁର : ଡଲି ମୁଣ୍ଡା, ୬ଟି ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି, ୩ଟି ଜାତୀୟ କ୍ରୀଡ଼ାରେ ଖେଳିଛନ୍ତି। ଏବେ ଘରେ ବିଡ଼ି ତିଆରି କରୁଛନ୍ତି। ସୁନିତା ସୋରେନ୍‌ ୫ଟି ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ଖେଳିଛନ୍ତି। ଡଲିଙ୍କ ସହ ସେ ମଧ୍ୟ ଭାରତୀୟ କ୍ୟାମ୍ପ୍‌ରେ ସୁଯୋଗ ପାଇଛନ୍ତି। କିନ୍ତୁ ଏବେ ଭାଗ୍ୟକୁ ଆଦରି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଜୀବନ ଜୀଉଁଛନ୍ତି। ସେହିଭଳି ୫ଟି ଜାତୀୟ ପ୍ରତିଯୋଗିତା ଖେଳିଥିବା ଦୀପ୍ତି କିଷ‌ାନ ପେଟ ପୋଷିବା ପାଇଁ କିଛି ଦିନ ହେଲା ଏକ ଛୋଟ ବିଉଟି ପାର୍ଲର୍‌ ଖୋଲିଛନ୍ତି। ସନ୍ତୋଷିନୀ ଓରାମ ଏକ ଘରୋଇ ସଂସ୍ଥାରେ ଅତି କମ୍‌ ଦରମାରେ କାମ କରୁଛନ୍ତି। ଜାତୀୟ କ୍ରୀଡ଼ା, ଜାତୀୟ ମହିଳା ଫୁଟବଲ୍‌, ମହିଳା ଫେଡେରେସନ୍‌ କପ୍‌, ମହିଳା ଜାତୀୟ କ୍ରୀଡ଼ା ଭଳି ପ୍ରତିଯୋଗିତାରେ ଖେଳିଥିବା ମୀନା ଆଇନ୍ଦ ପର ଘରେ ବାସନ ମାଜିବା ସହ ମୂଲ ଲାଗୁଛନ୍ତି। ଏକଦା ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସରେ ରହି ୬ ଜାତୀୟ ଚାମ୍ପିଅନ୍‌ସିପ ଓ ଜାତୀୟ କ୍ରୀଡ଼ାରେ ଭାଗ ନେଇଥିବା ସୁବାସିନୀ ବାଗ ଏବେ ଦୁଇ ପଇସା ଆୟ ପାଇଁ ସିଲେଇ ଶିଖୁଛନ୍ତି। ଏହି ତାଲିକା ଏତିକିରେ ସରୁ ନାହିଁ। ବିଭିନ୍ନ ବର୍ଗର ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରି ପଦକ ଜିତିଥିବା ସମ୍ବଲପୁରର ପ୍ରାୟ ୨୦ ଖେଳାଳି ଦାରିଦ୍ର୍ୟର ତାଡ଼ନା ମଧ୍ୟରେ ଏବେ ଯେଭଳି ଜୀବନ ବଞ୍ଚୁଛନ୍ତି ତାହା ଦେଖିଲେ ଦେଶର କ୍ରୀଡ଼ା ରାଜଧାନୀ କୁହା ଯାଉଥିବା ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ମୁଣ୍ଡ ଲଜ୍ଜାରେ ନଇଁଯିବ।

ଜାତୀୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଖେଳି ପ୍ରାୟ ସବୁଥର ସେମିଫାଇନାଲ୍ ଓ ଏକାଧିକବାର ଉପବିଜେତା ହୋଇଥିବା ଏହି ଆଦିବାସୀ, ଦଳିତ ଯୁବତୀମାନେ ଫୁଟବଲ୍ ପାଇଁ ନିଜ ଜୀବନର ଗୁରୁତ୍ବପୂର୍ଣ୍ଣ ସମୟ ବିତାଇ ଦେଇଥିଲା ବେଳେ ଏବେ ପେଟ ପୋଷିବା ପାଇଁ କିଏ ମୂଲ ଲାଗୁଛି ତ କିଏ ସଂଜ ନଇଁଲେ ହାଣ୍ଡିଆ ବିକ୍ରି କରୁଛି। ଏହି ଖେଳାଳିଙ୍କ ମଧ୍ୟରେ ବନ୍ଦନା ଓରାମ, ମଧୁମିତା ମେହେର, ମିନତି ତିର୍କି, ପାର୍ବତୀ ମୁଣ୍ଡା, ରତନୀ ମୁଣ୍ଡା, ପ୍ରେମା ମୁଣ୍ଡା, ପଦ୍ମିନୀ ସୁନା, କାର୍ମୀ ମୁଣ୍ଡା, ରୀନା ଓରାମ, ଦ୍ରୁପତି ମୁଣ୍ଡା, ରୁନୁ ଥାପା, ରଜନୀ ଓରାମ, ସସ୍ମିତା ଟପୋ ପ୍ରମୁଖ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ୫ରୁ ୧୦ ଥର ପର୍ଯ୍ୟନ୍ତ ଜାତୀୟ ପ୍ରତିଯୋଗିତାରେ ଖେଳିଛନ୍ତି। ସୁକାନ୍ତୀ ବାରିକ, ପୂଜା ସାହୁ, ଲିଲି ମୁଣ୍ଡା ଭଳି କିଛି ଖେଳାଳି ମଧ୍ୟ ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେଇଛନ୍ତି।

ଭୁବନେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଭଳି ସମ୍ବଲପୁର ରାଜ୍ୟ ତଥା ଦେଶର ଅନ୍ୟତମ ଫୁଟବଲ୍‌ ନର୍ସରିଭାବେ ପରିଚିତ। ଏଠାରୁ ବର୍ତ୍ତମାନ ସୁଦ୍ଧା ୩୪ ଜଣ ପ୍ରତିଭାବାନ ଜାତୀୟ ଓ ଅନ୍ତର୍ଜାତୀୟ ମହିଳା ଫୁଟବଲ୍‌ ଖେଳାଳି ସୃଷ୍ଟି ହୋଇ ରାଜ୍ୟ ଓ ଦେଶର ପ୍ରତିନିଧିତ୍ବ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ କିଛି ନିଜ ଫୁଟବଲ୍ ଜୀବନରେ ଅଧିକ ସଫଳତା ଓ ସରକାରୀ ଚାକିରି ପାଇ ଏକ ସମ୍ମାନଜନକ ଜୀବନ ବଞ୍ଚୁଛନ୍ତି। କିନ୍ତୁ ଯେଉଁମାନେ ଏଥିରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଜୀବନ ଦୁର୍ବିଷହ ହୋଇ ପଡ଼ିଛି। ସରକାରୀ ଚାକିରି ପାଇଁ ବାରମ୍ବାର ସରକାରଙ୍କୁ ଅନୁରୋଧ କରୁଥିଲେ ବି ଏମାନଙ୍କ ଗୁହାରି ଶୁଣିବାକୁ କେହି ନାହିଁ। ଏମାନଙ୍କ ଅବସ୍ଥା ଦେଖି ପରବର୍ତ୍ତୀ ପିଢ଼ି ଆଉ ଏହି ଖେଳ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ବୋଲି ମତ ‌ଦିଅନ୍ତି ସମ୍ବଲପୁରରେ ମହିଳା ଫୁଟବଲ୍ ଦଳ ଗଢ଼ି ଗରିବ ଝିଅମାନଙ୍କୁ ଏହି ଖେଳକୁ ଆଣିଥିବା କ୍ରୀଡ଼ା ସଂଗଠକ ବଳରାମ ମଟାରୀ। ତେଣୁ ସରକାର ଚାକିରି ଖଣ୍ଡିଏ ଲେଖାଏଁ ବ୍ୟବସ୍ଥା କରି ସାରା ଦେଶରେ ଓଡ଼ିଶାର ଗୌରବ ବଢ଼ାଇଥିବା ମହିଳା ଫୁଟବଲ୍‌ ଖେଳ ଓ ଖେଳାଳିଙ୍କ ଟେକ ରଖନ୍ତୁ ବୋଲି କ୍ରୀଡ଼ାପ୍ରେମୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର