ଝୁଲିଛି ଚଳଚ୍ଚିତ୍ର ପୁରସ୍କାର ଭାଗ୍ୟ

ଭୁବନେଶ୍ବର: ନିର୍ଧାରିତ ଦିନ ଗଡ଼ିଗଲାଣି। ସିଡି ଆହ୍ବାନ ସରିଲାଣି। ଚଳଚ୍ଚିତ୍ର ଓ ଧାରାବାହିକ ବି ସଂସ୍କୃତି ବିଭାଗରେ ପହଞ୍ଚିଗଲାଣି। ମାତ୍ର ରାଜ୍ୟ ସରକାରଙ୍କ ପ୍ରଦତ୍ତ ରାଜ୍ୟ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ଏଯାଏଁ ଆୟୋଜନ ହୋଇପାରି ନାହିଁ। ପୁରସ୍କାର ତ ଦୂରର କଥା, ଏଯାଏଁ ସ୍କ୍ରିନିଂ ହୋଇନାହିଁ। ବାସ୍ତବରେ ପୁରସ୍କାର ଉତ୍ସବଟି କିଏ ଆୟୋଜନ କରିବ, ତାହା ଏବେ ଗୋଲକଧନ୍ଦା ସାଜିଛି। ରାଜ୍ୟ ସଂସ୍କୃତି ବିଭାଗ ୧୯୭୩ ମସିହାରୁ ଏହାକୁ ଆୟୋଜନ କରି ଆସୁଥିଲା। ମାତ୍ର ଅଭିନେତା କୁନା ତ୍ରିପାଠୀ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ ହେବା ପରେ ଏହି ପୁରସ୍କାର ଆୟୋଜନର ଦାୟିତ୍ବ ଓଏଫ୍‌ଡିସିକୁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମାତ୍ର, କୌଣସି କାରଣରୁ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିନାହିଁ। ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ନଭେମ୍ବର ବେଳକୁ ଜୁରି କମିଟି ଗଠନ ହୋଇ ଡିସେମ୍ବର ମାସରେ ପୁରସ୍କାର ଦିଆଯାଇଥାଏ। ଅର୍ଥାତ୍‌ ଏତେବେଳକୁ ଏହି ପୁରସ୍କାର ଉତ୍ସବ ସରିବା କଥା। ମାତ୍ର ଏଯାଏଁ ଏହି ପୁରସ୍କାର ଉତ୍ସବ ନେଇ କୌଣସିଠାରୁ ବି ସବୁଜ ସଙ୍କେତ ମିଳିପାରି ନାହିଁ। ଫଳରେ ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜକ, ନିର୍ଦେଶକ, ପ୍ରଡକ୍ସନ୍‌ ହାଉସ୍‌, ଅଭିନେତା, ଅଭିନେତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ‌ଦୀର୍ଘ ବର୍ଷ ଧରି ଯେଉଁ ଉତ୍ସବ ଆୟୋଜନ କରି ଆସୁଥିଲେ, ସେଥିରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏନେଇ ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି ଯେ ହକି ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହୁଥିବାରୁ ପୁରସ୍କାର ଉତ୍ସବ ଆୟୋଜନ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ ଜେନା କହିଛନ୍ତି ଯେ ଆମକୁ ଏ ପର୍ଯ୍ୟନ୍ତ ଏ ବାବଦରେ କୌଣସି ସୂଚନା କିମ୍ବା ନିର୍ଦେଶ ଆସିନାହିଁ। । ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ସମାନ ମତ ରଖି କହିଛନ୍ତି ଯେ କିଛି ମାସ ତଳେ ଓଏଫ୍‌ଡିସି ପକ୍ଷରୁ ଏହାକୁ ଆୟୋଜନ କରିବା ନେଇ ପ୍ରସ୍ତାବ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ନିର୍ଦେଶ ମିଳିଲେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର