ଓଡ଼ିଆଙ୍କ ପାଇଁ ଗର୍ବ ଆଣିଲେ ବରଗଡ଼ ଝିଅ, ଚଢିଲେ ମାଉଣ୍ଟ ଏଲବୃସ

ଭୁବନେଶ୍ବର: ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ରୁଷିଆରେ ଅବସ୍ଥିତ ମାଉଣ୍ଟ୍ ଏଲବ୍ରସ୍‌ (୫,୬୪୨ ମିଟର/୧୮,୫୧୦ ଫୁଟ) ଆରୋହଣରେ ସଫଳ ହୋଇଛନ୍ତି ଓଡ଼ିଆ ଝିଅ ଲିପିକା ସେଟ୍‌। ‌ଅନ୍ୟ ଦୁଇ ବିଦେଶୀ ସାଥୀଙ୍କ ସହିତ ଏହି ଅଭିଯାନରେ ଯାଇଥିବା ଉଦୀୟମାନ ଲିପିକାଙ୍କ ଘର ବରଗଡ଼ ଜିଲ୍ଲା ଡଲାବ୍‌ରେ। ଏହି ସଫଳତା ହାସଲ କରି ଲିପିକା ବରଗଡ଼ ଜିଲ୍ଲା ସହିତ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଲକ୍ଷ୍ମଣ ସେଟ୍‌ ଏବଂ ଅନୁସୟା ସେଟ୍‌ଙ୍କ କନ୍ୟା ଲିପିକା ସେପ୍ଟେମ୍ବର ୨୮ରେ ଏହି ଅଭିଯାନରେ ବାହାରିଥିଲେ। ୫ ତାରିଖ ରୁଷୀୟ ସମୟ ରାତି ୧ଟାରେ ଆଡଭାନ୍ସ ବେସ୍‌କ୍ୟାମ୍ପ୍‌ ଛାଡ଼ି ସକାଳ ୯ଟାରେ ଶିଖରରେ ପହଞ୍ଚି ଗୋଟିଏ ଘଣ୍ଟା ବ୍ୟବଧାନରେ ସାଥୀମାନଙ୍କୁ ପଛରେ ପକାଇ ଦେଇଥିଲେ। ଏଲବ୍ରସ୍‌ ଶିଖରରେ ଜାତୀୟ ପତାକା ଉଡ଼ାଇବା ସହ ଜାତୀୟ ସଂଗୀତ ଗାଇବାର‌ ଗୌରବ ପାଇଥିଲେ। ମନ୍ଥର ଚାଲିବା କାରଣରୁ ଲିପିକାଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଅଭିଯାନରୁ ଓହରିଯିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଦୃଢ଼ମନା ଏହି ବରଗଡ଼ ଝିଅ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ଡିସେମ୍ବରରେ ନିଜର ପରବର୍ତୀ ଲକ୍ଷ୍ୟ ଦକ୍ଷିଣ ଆମେରିକାର ଆକଙ୍କଗୁଆ (ଆର୍ଜେଣ୍ଟିନାରେ ଅବସ୍ଥିତ, ଉଚ୍ଚତା-୬,୯୬୨ ମିଟର୍‌) ଆରୋହଣ ଲକ୍ଷ୍ୟରେ ଥିବା ଲିପିକା କିନ୍ତୁ ୧୨ ଲକ୍ଷ ଟଙ୍କାର ଆର୍ଥିକ ସହାହୟତା ଆବଶ୍ୟକ କରୁଛନ୍ତି।

ସେ ପୂର୍ବରୁ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମା‌ଞ୍ଜାରୋ (୫,୮୯୫ ମିଟର)କୁ ସଫଳତାର ସହ ଆରୋହଣ କରି ସାରିଛନ୍ତି। ମାଉଣ୍ଟ୍‌ ଏଲବ୍ରସ୍‌ ପାଇଁ କିନ୍ତୁ ଲିପିକାଙ୍କୁ ବିକାଶ ଏବଂ ଏପିଏଚ୍‌ସି ପ୍ରା‌ୟୋଜିତ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଲିପିକା ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ମାଉଣ୍ଟ୍ ଏଲବ୍ରସ୍ ଆରରୋହଣ କରିବାରେ ଲିପିକା ଅଷ୍ଟମ ଓଡ଼ିଆ ପର୍ବତାରୋହୀ ହୋଇଛନ୍ତି। ସ୍ବର୍ଗତା କଳ୍ପନା ଦାସଙ୍କ ବ୍ୟତୀତ ଯୋଗବ୍ୟାସ ଭୋଇ, ଗଣେଶ ଚନ୍ଦ୍ର ଜେନା, ଦେବୀଦତ୍ତ ପଣ୍ଡା, ଶାନ୍ତିସ୍ବରୂପ ଦାସ, ନୃସିଂହ ଚରଣ ସାହୁ, ମଧୁସୂଦନ ପଟ୍ଟେଦାର ଏହି କୃତିତ୍ବ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର