ନାବାଳିକାକୁ ପଶ୍ଚିମବଙ୍ଗରେ ବିକିଦେଲେ : ୪୦ ଦିନ ପରେ ଖସି ଆସିଲେ ପୀଡ଼ିତା ନାବାଳିକା

ଜଳେଶ୍ୱର : ଜଳେଶ୍ୱର ଥାନା କୋଟସାହି ଅଞ୍ଚଳର ଜଣେ ବାପଛେଉଣ୍ଡ ନାବାଳିକାକୁ ପଶ୍ଚିମବଙ୍ଗର ଏକ ବେଶ୍ୟାଳୟରେ ବିକିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୂଲିଆ ଭାବେ କାମ ଯୋଗାଇ ଦେବାକୁ କହି ଦଲାଲ ତାଙ୍କୁ ଏହି ବେଶ୍ୟାଳୟରେ ବିକି ଦେଇଥିବା ନେଇ ନାବାଳିକା ଜଣକ ଆଜି ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ତେବେ ନାବାଳିକା ଜଣକ ଉକ୍ତ ବେଶ୍ୟାଳୟରେ ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ କୌଶଳକ୍ରମେ ସେଠାରୁ ଖସି ଆସିଥିବା ପ୍ରକାଶ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ କିିଛିଦିନ ତଳେ ବାପାଙ୍କ ମୃତ୍ୟୁ ହୋଇଯିବାରୁ ଏହି ଆଦିବାସୀ ନାବାଳିକା(୧୫) ତାଙ୍କ ମା’ଙ୍କ ସହ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିଲେ। ତେବେ ଗତ ଜୁଲାଇ ମାସ ଡିଙ୍ଗାଶୂଳ ଗ୍ରାମର ବୈକୁଣ୍ଠ ଜେନାଙ୍କ ପୁଅ ଅଜୟ ପଶ୍ଚିମବଙ୍ଗରେ ରହୁଥିବା ତାଙ୍କ ମାଉସୀଙ୍କ ବିଲ କାମ ପାଇଁ ନାବାଳିକାଙ୍କୁ ସେଠାକୁ ନେଇଯିବେ ବୋଲି କଥାବାର୍ତ୍ତା କରିଥିଲେ। ଯୋଜନା ମୁତାବକ ଅଜୟ ଏକ ବାଇକ୍‌ରେ ନାବାଳିକାଙ୍କୁ ଆଣି ଜଳେଶ୍ୱର ବସ୍‌ଷ୍ଟାଣ୍ଡରେ ଛାଡ଼ିଦେଇଥିଲେ। ସେଠାରୁ ସାନରାଉତପଡ଼ା ଗ୍ରାମର ମକରା ହେମ୍ବ୍ରମ୍‌ଙ୍କ ପୁଅ ଅଜୟଙ୍କ ସହ ନାବାଳିକା ଜଣକ ବସ୍‌ରେ ଯାଇଥିଲେ। ରାସ୍ତାରେ ୨/୩ଟି ବସ୍‌ ବଦଳାଇ ସେମାନେ ରାତି ପ୍ରାୟ ୧୨ଟା ସମୟରେ ଏକ ଦୁଇ ମହଲା କୋଠା ଘରେ ପହଞ୍ଚିଥିଲେ। ସେଠାରେ ଅଜୟ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ତହିଁ ପରଦିନ ଛାଡ଼ି ପଳାଇ ଆସିଥିଲା। ଏହି କୋଠାଟି ଗୋଟିଏ ବେଶ୍ୟାଳୟ ବୋଲି ନାବାଳିକା ଜଣକ ଜାଣି ପାରିଥିଲେ। ଏପରିକି ସେଠାରେ ଜଣେ ମହିଳା ଓ ପୁରୁଷ ଅଗ୍ରୀମ ଟଙ୍କା ଦେଇ ନାବାଳିକାଙ୍କୁ କିଣି ନେଇଥିବା କହିଥିଲେ। ନାବାଳିକା ଜଣକ ଏଥିରେ ରାଜି ନ ହେବାରୁ ତାଙ୍କୁ ପିଟାମରା କରିବା ସହ ନଜରବନ୍ଦୀ କରି ରଖିଥିଲେ। ଘରେ ଆଲୁଅ ଜାଳିବାକୁ ମନା କରୁଥିଲେ। ଏମିତି ଭାବେ ନାବାଳିକାଙ୍କୁ ସେଠାରେ ୪୦ ଦିନ ଧରି ବାରମ୍ବାର ଦୁଷ୍କର୍ମ କରାଯାଉଥିଲା। ତେବେ ଗତ ସପ୍ତାହରେ ନାବାଳିକା ଜଣକ ସେଠାରୁ କୌଶଳ କ୍ରମେ ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର