ଟମ୍‌ କ୍ରୁସଙ୍କ ଚଳଚ୍ଚିତ୍ରରେ ଓଡ଼ିଆ ଝିଅ ସୁରଭି

ସମ୍ବଲପୁର : ପ୍ରଖ୍ୟାତ ଅଭିନେତା ଟମ୍‌ କ୍ରୁସଙ୍କ ଅଭିନୀତ ହଲିଉଡ଼ ଚଳଚ୍ଚିତ୍ର ‘ମିସନ ଇମ୍ପସିବୁଲ : ଫଲାଉଟ’ରେ ଓଡ଼ିଆ ଆଇଟି ପ୍ରଫେସନାଲ ସୁରଭି ପଟ୍ଟନାୟକଙ୍କ ଅଭିନୟ ଦେଖିବାକୁ ମିଳିଛି। ଗତମାସ ମୁକ୍ତିଲାଭ କରିଥିବା ମିସନ ଇମ୍ପସିବୁଲ୍‌ର ଏହି ଷଷ୍ଠ ସଂସ୍କରଣ ଚଳଚ୍ଚିତ୍ର ପ୍ରାୟ ୪୮କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ଗୁଇନ୍ଦା ଯୁଦ୍ଧକୁ ନେଇ ଏହି ଚଳଚ୍ଚିତ୍ରଟି ପ୍ୟାରିସ, ବ୍ରିଟେନ, ନରୱେ ଓ ନ୍ୟୁଜଲାଣ୍ଡରେ ସୁଟିଂ ହୋଇଥିଲା। ଚଳଚ୍ଚିତ୍ରଟି କାଶ୍ମୀର ଉପତ୍ୟକାର ପ୍ରତିଛବିରେ ରୋମାଞ୍ଚକର ଭାବେ ସମ୍ପୂର୍ଣ୍ଣ ହୋଇଛି। ନ୍ୟୁଜଲାଣ୍ଡର ଦକ୍ଷିଣ ଆଲପସ୍‌ର ରିସ୍‌ ଭେଲିରେ ଏକ କାଶ୍ମୀରର ସେଟ୍‌ ନିର୍ମାଣ କରାଯାଇଥିଲା। ଏଥିରେ କ୍ରୁସ, ହେନେରୀ କାଭିଲ, ସାଇମନ୍‌ ପେଗଙ୍କ ଭଳି ଅଭିଜ୍ଞ ଅଭିନେତାଙ୍କ ସହ କଟକର ମୂଳ ବାସିନ୍ଦା ସୁରଭୀ ପଟ୍ଟନାୟକଙ୍କ ଅଭିନୟ ସୁଟିଂ ହୋଇଥିଲା। ସୁରଭୀଙ୍କୁ ଅଭିନେତା ହେନେରୀ କାଭିଲ ଅନ୍ୟ ସହାୟକ କଳାକାରମାନଙ୍କ ସହିତ ଏକ ସ୍ମାରକୀ ମୁଦ୍ରା ମଧ୍ୟ ପ୍ରଦାନ କରଛନ୍ତି। ଖ୍ରୀଷ୍ଟୋଫର ମେକ୍‌ୱାରି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିବାବେଳେ ଆଲିବାବା ପିକଚର୍ସ ଏବଂ ପାରାମାଉଣ୍ଟ ପିକଚର୍ସ ଏହାକୁ ପ୍ରଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର