ତ୍ରିପୁରାରେ ଅପଦସ୍ଥ ହେଲେ ଓଡ଼ିଆ ଆଇଏଏସ୍‌ : ଚାକିରିରୁ ଇସ୍ତଫା ଦେଲେ

ଭୁବନେଶ୍ୱର : ତ୍ରିପୁରାରେ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ମାନିକ ସରକାରଙ୍କ ନେତୃତ୍ୱାଧୀନ ବାମପନ୍ଥୀ ସରକାରଙ୍କ ପତନ ପରେ ରାଜ୍ୟରେ ପ୍ରଶାସନିକ ଚିତ୍ର ବଦଳିଯାଇଛି। ସରକାର ବଦଳିଗଲା ପରେ ଅପଦସ୍ଥ ହୋଇଛନ୍ତି ଜଣେ ବରିଷ୍ଠ ଓଡ଼ିଆ ଆଇଏଏସ୍‌ ଅଫିସର୍‌। ତ୍ରିପୁରା କ୍ୟାଡର୍‌ର ଏହି ଆଇଏଏସ୍‌ ଅଫିସର୍‌ ହେଲେ ସଞ୍ଜୟ କୁମାର ପଣ୍ଡା। ସ୍ଥିତି ଏପରି ହୋଇଛି ଯେ ଶ୍ରୀ ପଣ୍ଡା ତ୍ରିପୁରାରେ ତାଙ୍କ ପଦବିରୁ ଇସ୍ତଫା ଦେଇ ସେଠାରୁ ଫେରି ଆସିଛନ୍ତି।

୧୯୮୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ଶ୍ରୀ ପଣ୍ଡା ତ୍ରିପୁରାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଛନ୍ତି। ମାଣିକ ସରକାରଙ୍କ ସମୟରେ ରାଜ୍ୟ ଶାସନରେ ତାଙ୍କର ବେଶ୍‌ ଦବ୍‌ଦବା ରହିଥିଲା। ୨୦୧୦ ମସିହାରେ ସେ ତ୍ରିପୁରାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୪ ବର୍ଷରୁ ଅଧିକ ସମୟ ଧରି ସେ ଏହି ପଦବିରେ କାର୍ଯ୍ୟ କରିଥିଲେ। ୨୦୧୪ ଅଗଷ୍ଟରେ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇ କେନ୍ଦ୍ରର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କଲେ। ୨୦୧୬ ଏପ୍ରିଲ୍‌ ମାସରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ।

ଅବସର ପରେ ପୁଣି ତ୍ରିପୁରାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ତାଙ୍କୁ ରାଜ୍ୟକୁ ଡକାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଲେ। ତ୍ରିପୁରାର ଦକ୍ଷତା ବିକାଶ ମିସନ୍‌ର କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ପଦବି ତାଙ୍କୁ ଦିଆଗଲା।

ଚଳିତ ବର୍ଷ ତ୍ରିପୁରାରେ ରାଜନୈତିକ ଚିତ୍ର ବଦଳିଯାଇଛି। ମାଣିକ ସରକାରଙ୍କ ଦୀର୍ଘବର୍ଷର ରାଜୁତି ଶେଷ ହୋଇଛି। ବିଜେପି ସରକାର ଗଠନ କରିବା ସହ ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କୌଣସି କାରଣ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦର ତାଲିକାରେ ସ୍ଥାନ ପାଇପାରି ନାହାନ୍ତି ଶ୍ରୀ ପଣ୍ଡା। ଯଦିଓ ନୂଆ ସରକାର ଶ୍ରୀ ପଣ୍ଡାଙ୍କୁ ତାଙ୍କ ପଦବିରୁ ବିଦା କରିନାହାନ୍ତି, କିନ୍ତୁ ଏମିତି ପରିସ୍ଥିତି ସୃଷ୍ଟି କରିଦିଆଗଲା ଯେମିତି ସେ ଚାକିରି ଛାଡ଼ିବାକୁ ଏକପ୍ରକାର ବାଧ୍ୟ ହେଲେ। ଚାକିରିରୁ ଇସ୍ତଫା ଦେଲା ପରେ ନିଜେ ଶ୍ରୀ ପଣ୍ଡା ସୋସିଆଲ୍‌ ମିଡିଆର ନିଜ ତିକ୍ତ ଅନୁଭୂତି ବର୍ଣ୍ଣନା କରିଛନ୍ତି, ଯାହା କି ଅମଲାତନ୍ତ୍ର ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଖୋଦ୍‌ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଯେ ଶ୍ରୀ ପଣ୍ଡାଙ୍କୁ ଆଦୌ ଚାହୁଁ ନ ଥିଲେ, ତାହା ଗତ ଉତ୍କଳ ଦିବସରେ ପ୍ରମାଣିତ ହୋଇଥିଲା। ତ୍ରିପୁରାର ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଏହି ଅନୁଷ୍ଠାନର ଅନ୍ୟତମ ମୁଖ୍ୟ ପୃଷ୍ଠପୋଷକ ଥିଲେ ଶ୍ରୀ ପଣ୍ଡା। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ଦେଲେ। କିନ୍ତୁ କାର୍ଯ୍ୟକ୍ରମରୁ ଶ୍ରୀ ପଣ୍ଡାଙ୍କୁ ଦୂରେଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ତ୍ତ ରଖାଗଲା। ଏହି ସର୍ତ୍ତ ହିଁ କାର୍ଯ୍ୟକାରୀ କରାଗଲା। ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେଲେ ଓ ଶ୍ରୀ ପଣ୍ଡା ସେଥିରୁ ଦୂରେଇ ରହିଲେ।

କେବଳ ଏହି ଗୋଟିଏ ଘଟଣାରେ ନୁହେଁ। ଲଗାତାର ଭାବେ ତାଙ୍କୁ ଅପମାନଜନକ ସ୍ଥିତିରେ ପକାଗଲା। ଦକ୍ଷତା ବିକାଶ ମିସନ୍‌ର ଅଧ୍ୟକ୍ଷ ଥିଲେ ବି ଶ୍ରୀ ପଣ୍ଡାଙ୍କ ନାମକୁ ମିସନ୍‌ର ବିଭିନ୍ନ ବିଜ୍ଞାପନ ଓ ନିମନ୍ତ୍ରଣ ପତ୍ରରୁ ହଟାଇ ଦିଆଗଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନିଜର ପକ୍ଷ ରଖିବାକୁ ଶ୍ରୀ ପଣ୍ଡା ବାରମ୍ବାର ଉଦ୍ୟମ କରିଥିଲେ। ଏକଦା ତ୍ରିପୁରା ପ୍ରଶାସନର ସର୍ବୋଚ୍ଚ ପଦବି ମଣ୍ଡନ କରିଥିବା ଏହି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ମିଳିଲା ନାହିଁ। ଶେଷରେ ଏପ୍ରିଲ୍‌ ୧୩ ତାରିଖରେ ନିଜ ପଦବିରୁ ଇସ୍ତଫା ଦେଇଥିଲେ ଶ୍ରୀ ପଣ୍ଡା। ଗତ ମାସରେ ସେ ଫେସ୍‌ବୁକ୍‌ରେ ଏହି ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର