ଆଇଏସ୍‌ଆଇ ପ୍ରେମଫାଶରେ ଓଡ଼ିଆ ଯବାନ

ରାଜସ୍ଥାନରେ ଗିରଫ, ନିରପେକ୍ଷ ତଦନ୍ତ ଦାବି କଲେ ପରିବାର, ବିଶ୍ବାସ କରିପାରୁ ନାହାନ୍ତି ଗ୍ରାମବାସୀ, ଛାଡ଼ିବାକୁ ଗୁହାରି

ଭଞ୍ଜନଗର : ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରେମଫାଶ (ହନିଟ୍ରାପ୍‌)ରେ ଓଡ଼ିଆ ଯବାନ ବିଚିତ୍ର ବେହେରା। ଆଇଏସ୍‌ଆଇର ଜଣେ ମହିଳା ଗୁପ୍ତଚରକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗରେ ରାଜସ୍ଥାନର ଜୟପୁର ରେଳ ଷ୍ଟେସନରୁ ପୁଲିସ ବିଚିତ୍ରଙ୍କୁ ଗିରଫ କରିଥିବା ଜଣାପଡିଛି। ସ୍ଥଳସେନାରେ ଚାକିରି କରୁଥିବା ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମରେ। ଏ ଖବର ଏବେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏପଟେ ବିଚିତ୍ରଙ୍କ ପରିବାରବର୍ଗ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପୁଅ ବିଚିତ୍ର ନିର୍ଦୋଷ ଓ ସେ ଫସିଯାଇଥିବା ଦର୍ଶାଇ ତାକୁ ଛାଡ଼ିଦେବା ପାଇଁ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି।

ଆଙ୍କୋରଡ଼ା ଗ୍ରାମର କଂଗ୍ରେସ ବେହେରା ଓ ମନୁ ବେହେରାଙ୍କ ପୁଅ ବିଚିତ୍ର ବେହେରା(୨୪) ଆଙ୍କୋରଡ଼ା ଓ ହିଞ୍ଜିଳିକାଟୁରେ ପାଠପଢ଼ା ସାରିବା ପରେ ଗତ ଚାରି ବର୍ଷ ପୂର୍ବେ ସେନା ବାହିନୀରେ ଯୋଗ ଦେଇଥିଲେ। ବିଚିତ୍ର ଏବେ ରାଜସ୍ଥାନରେ ସ୍ଥଳସେନାରେ କାର୍ଯ୍ୟରତ। କାର୍ତ୍ତିକ ମାସରେ ଯାତ୍ରା ହେଉଥିବାରୁ ସେ ଛୁଟିରେ ଗାଁକୁ ଆସିବାକୁ ବାହାରିଥିଲେ। ଗତ ୬ ତାରିଖରେ ବିଚିତ୍ର ଜୟପୁର ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ପୁଲିସ ତାଙ୍କୁ ଗିରଫ କରଥିଲା। ବିଚିତ୍ର ଜଣେ ପାକିସ୍ତାନୀ ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ସୋସିଆଲ ମିଡିଆରେ ଯୋଗାଯୋଗ ରଖିଥିବା ଅଭିଯୋଗ ରହିଛି। ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଓ ସଂପୃକ୍ତ ମହିଳା ଏଜେଣ୍ଟଙ୍କୁ ପ୍ରଦାନ କରିଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଏହି ଘଟଣା ବିଷୟରେ ପ୍ରଥମେ ଗଣମାଧ୍ୟମ ସୂତ୍ରରୁ ଜାଣିବା ପରେ ପରିବାରବର୍ଗ ଓ ଗ୍ରାମବାସୀ ବିସ୍ମିତ ହୋଇଥିଲେ। ଏଭଳି କାର୍ଯ୍ୟ ବିଚିତ୍ର କରିଥିବା ନେଇ ଗ୍ରାମରେ କେହି ବିଶ୍ବାସ କରିପ‌ାରୁ ନାହାନ୍ତି।

ବିଚିତ୍ରଙ୍କ ମା ମନୁ ବେହେରା କହିଛନ୍ତି, ବିଚିତ୍ର ବହୁତ ଭଲ ପିଲା। ଏଭଳି ମାମଲାରେ ତାଙ୍କ ପୁଅ ସମ୍ପୃକ୍ତ ଥିବା ସେ ବିଶ୍ବାସ କରିପାରୁ ନଥିବା ପ୍ରକାଶ କରିଛନ୍ତି। ଏହି ଘଟଣାର ପୁନର୍ବାର ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ। ତାଙ୍କ ପୁଅ ନିର୍ଦ୍ଦୋଷ ଓ ତାକୁ ଛାଡ଼ିଦେବାକୁ ନେହୁରା ହୋଇଛନ୍ତି। ବାପା କଂଗ୍ରେସ ବେହେରାଙ୍କ କହିବା ଅନୁଯାୟୀ, ତାଙ୍କ ୩ ପୁଅଙ୍କ ମଧ୍ୟରେ ବିଚିତ୍ର ରୋଜଗରିଆ ପୁଅ ଥିଲା। ତାକୁ ଛାଡିଦିଅନ୍ତୁ, ନହେଲେ ଆମେ କେମିତି ବଞ୍ଚିବୁ ବୋଲି କୋହଭରା କଣ୍ଠରେ କହିଛନ୍ତି।

ସମ୍ବନ୍ଧିତ ଖବର