ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ରତନପୁର ଗାଁ ମଶାଣିରେ ପହଂଚିଲା ସହିଦ୍‌ ଓଡ଼ିଆ ଯବାନ ମନୋଜଙ୍କ ପାର୍ଥିବ ଶରୀର

ନିଆଳି: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଶନିବାର ରାତି ନିଜର ଜନ୍ମମାଟି ରତନପୁର ଗାଁ ମଶାଣିରେ ପହଂଚିଛି। ଆଉ କିଛି ସମୟ ପରେ ଗାଁ ମଶାଣିରେ ଅନ୍ତିମ ସଂସ୍କାର ହେବ। ଓଡ଼ିଆ ଯବାନଙ୍କ ଅନ୍ତିମ ଯାତ୍ରା ସମୟରେ ପରିବାର ଲୋକ, ବନ୍ଧୁ-ବାନ୍ଧବ, ଗ୍ରାମବାସୀ, ସ୍ଥାନୀୟ ଅଂଚଳରେ ନେତା, ତଥା ଜଣାଶୁଣା ଲୋକ ଉପସ୍ଥିତ ଅଛନ୍ତି।

ସହିଦଙ୍କୁ ଅନ୍ତିମ ବିଦାୟ ଦିଆଯାଉଥିବା ବେଳେ କଟକ ଜିଲ୍ଲାର ନିଆଳି ବ୍ଲକ ରତନପୁର ଗାଁ ସ୍ତବ୍ଧ ପାଲଟି ଯାଇଛି। ଗାଁର ଲୋକଙ୍କ ମୁହଁରୁ କିଛି କଥା ବାହାରୁ ନାହିଁ। ସମେସ୍ତ ଝୁରୁଛନ୍ତି ସେହି ବୀର ଯବାନଙ୍କୁ, ଯିଏକି ୨ ଦିନ ତଳେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ଦେଶ ପାଇଁ ନିଜର ଜୀବନକୁ ବାଜି ଲଗାଇଛନ୍ତି।

ଆଜି ଅପରାହ୍ନରେ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହା ପରେ ବିମାନ ବନ୍ଦରରୁ ସହିଦ ଯବାନଙ୍କ ପାର୍ଥିବ ଶରୀର ସେମାନଙ୍କ ପୈତୃକ ଗ୍ରାମ ଅଭିମୁଖେ ନିଆ ଯାଇଥିଲା। ରାଜଧାନୀ ଭୁବନେଶ୍ୱର ଠାରୁ ରତନପୁର ପ୍ରାୟ ଏକ ଘଣ୍ଟାର ରାସ୍ତାକୁ ପାଖାପାଖି ୮ ଘଣ୍ଟା ଲାଗିଛି। ବାଟରେ ଭାରତ ମାତା କି, ସହିଦ ଯବାନ ଅମର ରହେ ଶ୍ଲୋଗାନରେ ଚାରି ଦିଗ ଫାଟି ପଡୁଛି। ସହିଦଙ୍କୁ ସମର୍ଥନ ଜଣାଇବା ପାଇଁ ରାସ୍ତା ଉପରକୁ ହଜାର ହଜାର ଲୋକ ବାହାରି ପଡ଼ିଛନ୍ତି। ଲୋକମାନେ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇ ଲୁହ ଗଡ଼ାଉଛନ୍ତି।

ସମ୍ବନ୍ଧିତ ଖବର