ଆନ୍ଧ୍ରରେ ଓଡ଼ିଆ ଦାଦନ ମୃତ

ଟିକିରି : ପରିବାର ପ୍ରତିପୋଷଣ ପାଇଁ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ଉପର କୋଡିଙ୍ଗା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ଭାଇ ଓ କିଛି ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ଯାଇ ଶବ ଧରି ଗାଁକୁ ଫେରୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଉପର କୋଡିଙ୍ଗା ଗ୍ରାମର ଜିରୁ ମୁଦୁଲିଙ୍କ ପୁଅ କନ୍ଦୁ ମୁଦୁଲି(୨୪) ୪ବର୍ଷ ହେଲା ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଧନଦଣ୍ଡାରେ ଥିବା ଭି.ଏମ ଷ୍ଟୋନ କ୍ରସରରେ ଜେସିବି ଅପରେଟର ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତ ଅଗଷ୍ଟ ୧୬ତାରିଖରେ କୌଣସି ଏକ ଅଜଣା ଗାଡି ଧକ୍କାରେ କନ୍ଦୁଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପାଇ ମୃତ କନ୍ଦୁଙ୍କ ବଡ ଭାଇ ଓ କିଛି ଗ୍ରାମବାସୀ ଆନ୍ଧ୍ରପ୍ରଦେଶ ଯାଇ କନ୍ଦୁଙ୍କ ଶବ ଗାଁକୁ ଆଣୁଥିବା ସୂଚନା ମିଳିଛି।

ଉପର କୋଡିଙ୍ଗାରେ ବକ୍ସାଇଟ୍‌ ପୂର୍ଣ୍ଣ ଖଣି ଖନନ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ କାମଧନ୍ଦା ମିଳୁନଥିବାରୁ କନ୍ଦୁଙ୍କ ଭଳି ଅନ୍ୟ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କୁ କୋଡିଙ୍ଗା ମାଳି ଖଣି ଖନନ କାର୍ଯ୍ୟରେ ନିୟୋଜିତ କରିବାକୁ ସ୍ଥାନୀୟ ମୁକ୍ତାଦେଇ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତା ମାନେ ଦାବି କରିଛନ୍ତି। ସେହିପରି ମୃତ କନ୍ଦୁଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର