ମୃତ୍ୟୁ ପରେ ବି ଦରିଆ ଦୁଃଖ : ଦୁବାଇରେ ମିସ୍ତ୍ରୀଙ୍କ ମରଶରୀର ପଡ଼ିରହିଛି

ଆଳି : ପେଟ ପୋଷିବାକୁ ଦରିଆପାରି ଦୁବାଇ ଯାଇଥିଲେ ଦୁଃଶାସନ ପାତ୍ର(୫୫)। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ, ଦୁଃଖର ବିଷୟ ହେଉଛି ଇତିମଧ୍ୟରେ ୭ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ମରଶରୀର ପଡ଼ି ରହିଛି। କାନ୍ଦବୋବାଳିରେ ଫାଟି ପଡ଼ୁଥିବା ପରିବାର ଲୋକ ମରଶରୀର ଫେରାଇ ଆଣିବା ପାଇଁ ପରିବାର ଲୋକ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

ଦୁଃଶାସନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ରାଧାନଗର ଗ୍ରାମ। ଗତ ୫ ବର୍ଷ ହେଲାଣି ଦୁବାଇରେ ପାଣିପାଇପ ମିସ୍ତ୍ରୀ ଭାବେ କାମ କରୁଥିବା ସେ ଗତ ୮ ମାସ ତଳେ ଘରକୁ ଆସିଥିଲେ। ଦୁବାଇର ବିଲଟ ନାମକ ଏକ ନୂଆ କମ୍ପାନିରେ କାମ କରିବା ପାଇଁ ଚୁକ୍ତିବଦ୍ଧ ହେବା ପରେ ସେ ପୁଣି ଦୁବାଇ ଯାଇଥିଲେ। କିନ୍ତୁ ଗତ ଡିସେମ୍ବର ୩୧ ତାରିଖରେ ଦୁଃଶାସନଙ୍କ ପରିବାର ନିକଟରେ ପହଞ୍ଚିଲା ଅଶୁଭ ଖବର। ଦୁବାଇରେ ରହୁଥିବା ଗାଁର ଅନ୍ୟ ପିଲାମାନେ ଫୋନରେ ଜଣାଇଲେ ଦୁଃଶାସନଙ୍କର ମୃତ୍ୟୁ ଖବର। ଦୁଃଖରେ ଫାଟି ପଡିଲା ସାରା ପରିବାର। ମୃତ ଶରୀର ଓଡିଶା ଫେରିବା ପାଇଁ କୌଣସି ବି ଚାରା ନଥିଲା ଏହି ନିଃସହାୟ ପରିବାର ନିକଟରେ। ଏହା ମଧ୍ୟରେ ଏକ ସପ୍ତାହ ବିତିଗଲାଣି । କିନ୍ତୁ ଦୁବାଇରୁ ତାଙ୍କର ମୃତଶରୀର ଫେରି ପାରୁନି।

ପରିବାର ଲୋକେ କୋହଭରା କଣ୍ଠରେ କାନ୍ଦିକାନ୍ଦି ଦୁଃଶାସନଙ୍କ ମରଶରୀର ଫେରାଇ ଆଣିବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର