ଓଡ଼ିଆ ଚେୟାର; ଖାଲି ପ୍ରହସନ : ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟରେ ନାହିଁ ବିଏଚ୍‌ୟୁରେ କାର୍ଯ୍ୟକ୍ଷମ ହୋଇପାରୁନି

0

ଭୁବନେଶ୍ୱର : ୨୦୧୪ ଫେବ୍ରୁଆରିରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଦେଶ ତଥା ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। କେଉଁ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ହେବ? କେବେ ସୁଦ୍ଧା କାର୍ଯ୍ୟକ୍ଷମ ହେବ? ସେଠାରେ ‌କିଭଳି ଗବେଷଣା କରାଯିବ? ଏମିତି ଅନେକ ବିଷୟ ଉପରେ ଆଲୋଚନା ସହ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ତେବେ ଓଡ଼ିଆ ଚେୟାର ପ୍ରତିଷ୍ଠା ଏବେ ପ୍ରସହନ‌ରେ ପରିଣତ ହୋଇଛି।

କେବଳ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଏକ ଚେୟାର ଖୋଲିଛି। ଦେଶର ଆଉ ୩ଟି ବିଶ୍ବବିଦ୍ୟାଳୟରେ ଖୋଲିବାକୁ ଘୋଷଣା ହୋଇଥିଲେ ମଧ୍ୟ ତାହା ଆଗେଇପାରିନି। ଓଡ଼ିଶାର କୌଣସି ଗୋଟିଏ ବି ବିଶ୍ବବିଦ୍ୟାଳୟରେ ଏବେ ଓଡ଼ିଆ ଚେୟାର ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟରେ ବନ୍ଦ ହୋଇଯାଇଥିବା ଦୁଇଟି ଓଡ଼ିଆ ଭାଷା ଚେୟାରର ପୁନରୁଦ୍ଧାର ଦିଗରେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯେଉଁଥିରୁ ଓଡ଼ିଆ ଭାଷା ପ୍ରତି ସରକାରୀ ବାବୁଙ୍କର କେତେ ଆନ୍ତରିକତା ରହିଛି, ତାହା ସ୍ପଷ୍ଟ ଅନୁମେୟ କରାଯାଇପା‌ରେ।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ୩ ବର୍ଷ ପରେ ଅର୍ଥାତ୍‌ ୨୦୧୭ରେ ଜେଏନ୍‌ୟୁରେ ଆଦିକବି ସାରଳା ଦାସଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କା ଦିଆଯାଇଥିଲା। ସେଠାରେ ଜଣେ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତ ହୋଇଛନ୍ତି। ବାରଣାସୀସ୍ଥିତ ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚ୍‌ୟୁ)ରେ ଓଡ଼ିଆ ଭାଷା ଚେୟାର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଏହି ଚେୟାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟି ୭୦ଲକ୍ଷ ଟଙ୍କା ଦିଆଯାଇସାରିଛି। ହେଲେ ସେଠାରେ ଓଡ଼ିଆ ଚେୟାର କାହିଁକି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ, ସେନେଇ ପ୍ରଶ୍ନ ଉଠିଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ପ୍ରତିଷ୍ଠା ହୋଇଥିବା ଏହି ଭାଷା ଚେୟାର କେବେ କାର୍ଯ୍ୟକ୍ଷମ ହେବ ସେନେଇ କାହା ପାଖରେ ବି ଉତ୍ତର ନାହିଁ।

ଅନ୍ୟପକ୍ଷରେ ଦେଶର ଆଉ ଦୁଇଟି ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭା‌ଷା ଚେୟାର ପ୍ରତିଷ୍ଠା କରିବାକୁ ବର୍ଷେ ତଳେ ଯୋଜନା ପ୍ରସ୍ତୁତ ହୋଇଥିଲା। ୨୦୧୮ ନଭେମ୍ବରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶର ଗୋଟିଏ ଲେଖାଏ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଛି। ଗୁଜରାଟର ଗାନ୍ଧୀନଗର ଏବଂ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯଥାକ୍ରମେ କୁନ୍ତଳା କୁମାରୀ ସାବତ ଓ ଭକ୍ତକବି ମଧୁସୂଦନ ରାଓଙ୍କ ନାମରେ ଭାଷା ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଛି। ତାହା ଏବେ ସୁଦ୍ଧା ବିଚରାଧୀନ ରହିଛି ବୋଲି ସେ କହିଥିଲେ। ତେବେ ଏହି ପ୍ରସ୍ତାବ ଏବେ କେବଳ ପ୍ରସ୍ତାବରେ ହିଁ ରହିଯାଇଛି। ସମସ୍ତେ ଯେମିତି ଭୁଲିଗଲେଣି।

ଦେଶର ପ୍ରମୁଖ ବିଶ୍ବବିଦ୍ୟାଳୟରେ ଅବସ୍ଥା ଏଭଳି ଥିବା ବେଳେ ଓଡ଼ିଶାର କୌଣସି ଗୋଟିଏ ବି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଦୁଇଟି ଭାଷା ଚେୟାର ଖୋଲିଥିଲା। ଗତ କିଛି ବର୍ଷ ହେଲା ସେଗୁଡ଼ିକ ବନ୍ଦ ହୋଇପଡ଼ିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଗତ ନଭେମ୍ବର ମାସରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ ବନ୍ଦ ହୋଇଥିବା ଚେୟାରଗୁଡ଼ିକର ପୁନରୁଦ୍ଧାର ପାଇଁ କୌଣସି ପ୍ରସ୍ତାବ ନାହିଁ। ଯେଉଁଥିରେ ଓଡ଼ିଆ ଭାଷା ଚେୟାର ରହିଥିଲା। ଉତ୍କଳ ବ୍ୟତୀତ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆହୁରି ୭ଟି ସାଧାରଣ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ ସେଥିରେ ଓଡ଼ିଆ ଭାଷା‌ ଚେୟାର ପ୍ରତିଷ୍ଠା ହୋଇନି କିମ୍ବା ଓଡ଼ିଆ ଭାଷା ଉପରେ ଗବେଷଣା ହେଉନି। ଏଥିପାଇଁ ଓଡ଼ିଆ ଭାଷା ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.