ସରକାରୀ ସ୍କୁଲର ପାଠପଢ଼ା ଏମିତି : ଭାଷାରେ ଦୁର୍ବଳ ଓଡ଼ିଆ ପିଲା

ଭୁବନେଶ୍ୱର :ଓଡ଼ିଶାର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ଭାଷା ଜ୍ଞାନ କେମିତି ତାହା ଏବେ ପଦାକୁ ଆସିଛି। ଭାଷା ବିଷୟରେ ୫ମ ଶ୍ରେଣୀର ଛାତ୍ରଛାତ୍ରୀ ଶହେରୁ ମାତ୍ର ୫୧% ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରୁଛନ୍ତି। ୮ମ ଶ୍ରେଣୀର ପିଲାମାନେ ମଧ୍ୟ ମାତ୍ର ୫୩% ପ୍ରଶ୍ନର ଠିକ୍‌ ଉତ୍ତର ଲେଖୁଥିବା ବେଳେ ୩ୟ ଶ୍ରେଣୀର ଛାତ୍ରଛାତ୍ରୀ ୬୪% ପ୍ରଶ୍ନର ସଠିକ୍‌ ଉତ୍ତର ଲେଖିପାରୁଥିବା ଜଣାପଡ଼ିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୬ ମାସ ତଳେ ଓଡ଼ିଶାରେ କରାଯାଇଥିବା ନ୍ୟାସନାଲ ଆଚିଭ୍‌ମେଣ୍ଟ ସର୍ଭେ(ନାସ୍‌) ପରୀକ୍ଷାରେ ଏଭଳି ତଥ୍ୟ ପଦାକୁ ଆସିଛି।

ରିପୋର୍ଟ ହସ୍ତଗତ ହେବା ପରେ ତତ୍ପର ହୋଇଉଠିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପିଲାଙ୍କ ଗୁଣାତ୍ମକ ଶିକ୍ଷା ବିକାଶ ସହ ଶିକ୍ଷକଙ୍କ ତାଲିମ ଉପରେ ଗୁରୁତ୍ୱ ଦିଆଯାଇଛି। ଏବର୍ଷ ହେବାକୁ ଥିବା ନାସ୍‌ ପରୀକ୍ଷାରେ ଓଡ଼ିଆ ପିଲା ଯେପରି ଭଲ ପ୍ରଦର୍ଶନ କରନ୍ତି, ସେଥିପ୍ରତି ଗୁରୁତ୍ୱ ଦେବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି।

ହସ୍ତଗତ ହୋଇଥିବା ନାସ୍‌ ରିପୋର୍ଟ ତଥ୍ୟ କହୁଛି ଯେ ଓଡ଼ିଶାର ୩ୟ ଶ୍ରେଣୀର ପିଲାମାନେ ଗଣିତରେ ୬୨%, ଇଭିଏସ୍‌ (ଏନ୍‌ଭରର୍ଣ୍ଣମେଣ୍ଟାଲ ସାଇନ୍ସ)ରେ ୬୦% ଓ ଭାଷାରେ ୬୪% ପ୍ରଶ୍ନର ସଠିକ୍‌ ଉତ୍ତର ଲେଖିପାରୁଛନ୍ତି। ୫ମ ଶ୍ରେଣୀର ପିଲା ଗଣିତରେ ୫୫%, ଇଭିଏସ୍‌ରେ ୫୬% ଓ ଭାଷାରେ ୫୧% ପ୍ରଶ୍ନର ଉତ୍ତର ଠିକ୍‌ ଲେଖୁଛନ୍ତି। କିନ୍ତୁ ୮ମ ଶ୍ରେଣୀରେ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ। ଭାଷାରେ ୫୩% ପ୍ରଶ୍ନ ସଠିକ୍‌ ଉତ୍ତର ଦେଉଥିବା ବେଳେ ଗଣିତ ଓ ବିଜ୍ଞାନରେ ୪୪% ଲେଖାଏ ଓ ସୋସିଆଲ୍‌ ସାଇନ୍ସରେ ମାତ୍ର ୪୧% ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରୁଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଯେ ଗୋଟିଏ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକଙ୍କ ପାଠପଢ଼ାକୁ ବୁଝି ପାରୁନାହାନ୍ତି। ଶିକ୍ଷକମାନେ କ୍ଲାସରୁମ୍‌ରେ ପଢ଼ାଉଥିବା ପାଠକୁ ୩ୟ ଶ୍ରେଣୀର ୮୨%, ୫ମରେ ୮୩% ଓ ୮ମ ଶ୍ରେଣୀରେ ୮୫% ପିଲା ଠିକ୍‌ ଭାବେ ବୁଝିପାରୁଛନ୍ତି। ତିନୋଟି ଯାକ ଶ୍ରେଣୀରେ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ ପ୍ରଦର୍ଶନ କରୁଥିବା ନେଇ ନାସ୍‌ ରିପୋର୍ଟରେ ଉଲ୍ଲେଖ ହୋଇଛି।

ସବୁ ଶ୍ରେଣୀରେ ଜଗତ୍‌ସିଂହପୁର ଜିଲ୍ଲାର ପିଲାମାନେ ଆଗୁଆ ରହିଥିବା ବେଳେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଥିଲା। ୩ୟ ଶ୍ରେଣୀ ଲାଗି ହୋଇଥିବା ପରୀକ୍ଷାରେ କୋରାପୁଟ ଜିଲ୍ଲା ସର୍ବନିମ୍ନରେ ଥିବା ବେଳେ ଏହା ଉପରେ ସମ୍ବଲପୁର, କନ୍ଧମାଳ ଜିଲ୍ଲା ରହିଥିଲେ। ୫ମ ଶ୍ରେଣୀରେ ସମ୍ବଲପୁର ଜିଲ୍ଲାର ପିଲାମାନେ ନୈରାଶ୍ୟଜନ କ ପ୍ରଦର୍ଶନ କରୁଛନ୍ତି। ୮ମ ଶ୍ରେଣୀରେ ୭ଟି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଜିଲ୍ଲାର ପିଲାମାନେ ଏହି ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିଲେ। ୫୦ ମାର୍କର ବି ସଠିକ୍‌ ଉତ୍ତର ଦେଇପାରି ନ ଥିଲେ।

୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଥିବା ନାସ୍‌ ପରୀକ୍ଷାରେ ଓଡ଼ିଶା ୨୩ତମ ସ୍ଥାନରେ ରହିଥିଲା। ଓଡ଼ିଶାକୁ ୫୨ ପ୍ରତିଶତ ମାର୍କ ମିଳିଥିଲା। ଦିଲ୍ଲୀ ଭଳି ରାଜ୍ୟ ୮୦ ପ୍ରତିଶତ ମାର୍କ ରଖୁଥିବାରୁ ତାହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଏବର୍ଷ ଶିକ୍ଷକ ଓ ମାଷ୍ଟର ଟ୍ରେନର୍‌ଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି। ୫ମ ଶ୍ରେଣୀର ପିଲାଙ୍କୁ ୩ୟ ଶ୍ରେଣୀର ପାଠ ପଚାରିଲେ ନ ଆସିବା ବହୁତ ଦୁଃଖର କଥା। କେତେକ ସ୍ଥାନରେ ଶିକ୍ଷକଙ୍କୁ ବି ଅଠରକ ପଣିକିଆ ପଚାରିଲେ ଆସୁ ନାହିଁ। ବ୍ୟବସ୍ଥାରେ କିଛି ତ୍ରୁଟି ରହୁଥିବା ଅନୁଭବ ହେଉଛି। ସେଥିରେ ସଂଶୋଧନ ଆଣିବା ଦିଗରେ ପଦକ୍ଷେପ ନିଆଯିବ। ୨୦୧୮-୧୯ ଶିକ୍ଷାବର୍ଷରେ ଯେଉଁ ନାସ୍‌ ପରୀକ୍ଷା ହେବ ସେଥିରେ ୩ୟ, ୫ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବାକୁ କୁହାଯାଇଛି। ଶିକ୍ଷକମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଓଡ଼ିଶା ଯେପରି ପ୍ରଥମ ୧୦ଟି ସ୍ଥାନରେ ରହିବ ସେଥିପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର