ଓଡ଼ିଆ ନାମଫଳକ ଲେଖିବାକୁ ସରକାରୀ ସଂସ୍ଥା ବି କୁନ୍ଥକୁନ୍ଥ

ଏବେ ପୁଣି ୧୫ ଦିନ ସମୟ ଦିଆଗଲା

ଭୁବନେଶ୍ୱର: ଏପ୍ରିଲ୍‌ ୩, ୨୦୧୮। ସଚିବାଳୟରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ପ୍ରସଙ୍ଗ ଥିଲା ସରକାରୀ ଓ ବେସରକାରୀ ସଂସ୍ଥାରେ ଓଡ଼ିଆ ଭାଷାରେ ନାମଫଳକ ଲେଖାକୁ ନିଶ୍ଚିତ କରିବା। ସମସ୍ତ ସରକାରୀ କାର୍ଯ୍ୟାଳୟ, ନିଗମ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁଦୃଶ୍ୟ ଓଡ଼ିଆ ନାମଫଳକ ଲଗାଇବାକୁ ଦୁଇ ମାସ ସମୟ ଦିଆଗଲା। ଏହା ମଧ୍ୟରେ ସାଢ଼େ ଚାରି ମାସରୁ ଅଧିକ ହେଲାଣି। ବହୁ ସରକାରୀ ସଂସ୍ଥା ଉନ୍ନୟନ କମିସନର୍‌ଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ। ରାଜ୍ୟର ଅନ୍ୟ ସ୍ଥାନ ତ ଦୂରର କଥା, ଖୋଦ୍‌ ରାଜଧାନୀରେ ବି ବହୁ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ନାମଫଳକ ଲାଗିପାରିଲାନି। ଆଜି ପୁଣି ଥରେ ଉନ୍ନୟନ କମିସନର୍‌ ଏକ ବୈଠକ କରି ଓଡ଼ିଆ ନାମଫଳକ ପାଇଁ ତନାଘନା କଲେ। କେତେ ସରକାରୀ କାର୍ଯ୍ୟାଳୟ ପୁରୁଣା ନିର୍ଦ୍ଦେଶକୁ ମାନିଛନ୍ତି ଓ କେତେ ମାନି ନାହାନ୍ତି, ତାହାର ହିସାବ କରାଗଲାନି। କେବଳ ଆଉ ୧୫ ଦିନ ସମୟ ଦିଆଗଲା ଓଡ଼ିଆ ନାମଫଳକ ଲେଖିବାକୁ। ଆଉ ସାଧାରଣ ପ୍ରଶାସନ ବିଭାଗ ଏ ନେଇ ସବୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ କୁହାଗଲା। ଆଜି ପୁଣି ୧୫ ଦିନ କଣ୍ଟ ଦିଆଗଲା ପରେ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ଏପ୍ରିଲ୍‌ ୩ ତାରିଖ ବୈଠକ ନିଷ୍ପତ୍ତିକୁ ସରକାରୀ ସଂସ୍ଥାଗୁଡ଼ିକ ମାନି ନାହାନ୍ତି। ପୂର୍ବରୁ ଥରେ ନିର୍ଦ୍ଦେଶ ମାନି ନ ଥିବା ସଂସ୍ଥା ଏବେ ପୁଣି ଯଦି ନ ମାନିବେ, ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହାର କୌଣସି ଉତ୍ତର ଗଣମାଧ୍ୟମକୁ ଦିଆଯାଇ ନାହିଁ।

ଏପ୍ରିଲ୍‌ ୩ରେ ଦୁଇ ମାସ ସମୟ ଦିଆଯାଇଥିଲା, ବହୁ ସଂସ୍ଥା ମାନିଲେନି
ସବୁ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନକୁ ବି ତାଗିଦ୍‌ କରାଗଲା

ଆଜିର ବୈଠକରେ ରାଜ୍ୟର ସହରାଞ୍ଚଳରେ ସବୁ ଦୋକାନ ଓ ବାଣିଜ୍ୟିକ ସଂସ୍ଥାରେ ଓଡ଼ିଆରେ ନାମଫଳକ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ଏହା କଡ଼ାକଡ଼ି ଯାଞ୍ଚ୍‌ କରାଯିବ ବୋଲି କୁହାଯାଇଛି। ସେହିପରି ବିଭିନ୍ନ ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ଘରୋଇ ଡାକ୍ତରଖାନା, ଘରୋଇ ବିଦ୍ୟାଳୟ ଓ ହୋଟେଲ୍‌ ଆଦି ୧୦୦ଟି ପ୍ରମୁଖ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ୩୦ ଦିନ ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆ ଭାଷାରେ ନାମଫଳକ ଲେଖି ନ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିରୋଧରେ ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ୍‌ର ବ୍ୟବସ୍ଥା କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍‌ ଓ ଶ୍ରମ କମିସନର୍‌ ଅଞ୍ଜନ ମାଣିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର