ବାୟୁସେନା ବିମାନ ନିଖୋଜ, ଟିମ୍‌ରେ ଥିଲେ ଓଡ଼ିଆ ପାଇଲଟ୍ ସୁନିତ

ବ୍ରହ୍ମପୁର : ତିନି ବର୍ଷ ତଳେ ଏୟା‌ରଫୋର୍ସର ଏକ ବିମାନ ନିଖୋଜ ଘଟଣାରେ ଗଂଜାମ ଜିଲ୍ଲାର ଜ‌ଣେ ଓଡ଼ିଆ ଯାତ୍ରୀଙ୍କ ପତ୍ତା ମିଳି ନ ଥିଲା। ଅନୁରୂପ ଭାବେ ଗତ ୩ ତାରିଖରେ ଅରୁଣାଚଳ ପ୍ରଦେଶରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ-୩୨ ବିମାନରେ ଅନ୍ୟ ୧୨ ଜଣଙ୍କ ସହ ଜଣେ ଓଡ଼ିଆ ପାଇଲଟ ରହିଥିବା ଜଣାପଡ଼ିଛି। ନିଖୋଜ ବିମାନକୁ ଖୋଜିବା ପାଇଁ ୪ଟି ବିମାନ ନିୟୋଜିତ ହୋଇଥିଲେ ହେଁ ଏଯାଏ ପତ୍ତା ମିଳୁନି। ତେଣୁ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ନିଖୋଜ ଯାତ୍ରୀ ଓ ବିମାନ ଚାଳକଙ୍କ ପରିବାରବର୍ଗ ଘୋର ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି।

ନିଖୋଜ ହୋଇଥିବା ଏହି ବିମାନର ୮ ଜଣିଆ କ୍ରିୟୁ ଟିମ୍‌ରେ ଥିଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତି(୨୪)। ସୁନିତଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲୀ ଗ୍ରାମରେ। ସୁନିତ ବାୟୁସେନାରେ ମେକାନିକାଲ ଇଞ୍ଜିନିୟର ଭାବେ ୨୦୧୨ରେ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କ ବାପା ସୁରେନ୍ଦ୍ରନାଥ ମହାନ୍ତି ମଧ୍ୟ ବାୟୁସେନାର ଗ୍ରୁପ କ୍ୟାପଟେନ ଭାବେ ୨୦୧୦ରେ ଅବସର ଗ୍ରହଣ କରିଛନ୍ତି । ସେ ଏବେ ଘରୋଇ ବିମାନ ସେବା ସଂସ୍ଥାରେ କାମ କରୁଥିବା ବେଳେ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ସୁନିତଙ୍କ ପିଲା ବେଳ ଦିଲ୍ଲୀରେ କଟିଥିଲା ବେଳେ ସେ ଅବିବାହିତ ଅଛନ୍ତି।। ସୁନିତ ହେଉଛନ୍ତି ସୁରେନ୍ଦ୍ର ଓ ସଂଯୁକ୍ତାଙ୍କ ଏକମାତ୍ର ପୁଅ। ସୁନିତଙ୍କ ଜଣେ ଭଉଣୀ ସୁମେଧା ମହାନ୍ତି ଏବେ କାନାଡ଼ାରେ ରହୁଛନ୍ତି। ବଳିଆପଲ୍ଲୀରେ ରହୁଥିବା ଦାଦା ପ୍ରଦୀପ କୁମାର ମହାନ୍ତି ଓ ଖୁଡ଼ି ପ୍ରଶାନ୍ତି ମହାନ୍ତି ବିମାନ ନିଖୋଜ ସମ୍ପର୍କରେ ମଙ୍ଗଳବାର ଦିନ ଖବରକାଗଜରୁ ପଢି ଜାଣିଥିଲେ। ତେବେ ଏଥିରେ ସୁନିତ ଥିବେ ବୋଲି ଆମେ କେବେ କଳ୍ପନା କରିନଥିଲୁ ବୋଲି ସେମାନେ ଆଜି ପ୍ରତିକ୍ରିୟାରେ କହିଛନ୍ତି। ସେମାନେ କହିଛନ୍ତି-ସୁନିତ ସେଥିରେ ଥିବା ଶୁଣିବା ପରେ ଛାତି ଫାଟିଯାଉଛି। ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ, ସେ କିଭଳି ଭଲରେ ଫେରି ଆସନ୍ତୁ।

ଅନ୍ୟପକ୍ଷରେ ବାୟୁସେନା ପକ୍ଷରୁ ନିଖୋଜ ବିମାନର ତଲାସି ପାଇଁ ସବୁପ୍ରକାରର ଉଦ୍ୟମ କରା ଯାଉଥିବା ବାୟୁସେନା ଅଧିକାରୀ ତାଙ୍କ ପରିବାରକୁ ସୂଚନା ଦେଇଛନ୍ତି। ବିମାନରେ ଥିବା ଏୟାରଫୋର୍ସ କର୍ମଚାରୀମାନଙ୍କ ପରିବାର ଲୋକଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରକ୍ଷା କରାଯାଉଛି। ଏହା ସହିତ ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ବାୟୁସେନା, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ, ଆଇଟିବିପି ମିଶି ନିଖୋଜ ବିମାନର ତଲାସି ଅଭିଯାନରେ ଲାଗିଛନ୍ତି। ତଲାସି କାର୍ଯ୍ୟରେ ବାୟୁସେନାର ଏକେସି-୧୩୦ଜେ, ଏମଆଇ-୧୭, ଏଏନ-୩୨ ଓ ଏକେଏଏଲଏ ହେଲିକପ୍ଟରକୁ ନିୟୋଜିତ କରାଯାଇଛି ।

ସମ୍ବନ୍ଧିତ ଖବର