ରେଳ ମନ୍ତ୍ରାଳୟ ସଫଳତା ପୁସ୍ତିକାର ମଲାଟରେ ସ୍ଥାନ ପାଇଲା ଓଡ଼ିଆ ରେଳ କର୍ମଚାରୀଙ୍କ ପେଣ୍ଟିଂ 

ଶ୍ୟାମ ସୁନ୍ଦରଙ୍କୁ ରେଳମନ୍ତ୍ରୀ ପିୟୁଷ ଗୋଏଲ ସମ୍ବର୍ଦ୍ଧିତ କଲେ

ଭୁବନେଶ୍ୱର:  ରେଳ ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ବ୍ୟକ୍ତିଙ୍କ ଏକ ଚିତ୍ର ରେଳମନ୍ତ୍ରାଳୟର  ସଫଳତା ପୁସ୍ତିକାର ମଲାଟରେ ସ୍ଥାନ ପାଇଛି । ପି. ଶ୍ୟାମସୁନ୍ଦର ରାଓ ନାମକ ଏହି ବ୍ୟକ୍ତି ପୂର୍ବତଟ ରେଳବାଇର ମୁଖ୍ୟକାର୍ଯ୍ୟାଳୟ ଭୁବନେଶ୍ୱରଠାରେ ପିଅନ ଭାବେ କାର୍ଯ୍ୟରତ ।

କେନ୍ଦ୍ରରେ ଏନଡିଏ ସରକାରଙ୍କ ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ମନ୍ତ୍ରାଳୟ ନିଜ ନିଜର ସଫଳତାର ବିବରଣୀ ସମ୍ବଳିତ ପୁସ୍ତିକା ପ୍ରସ୍ତୁତ କରିଛନ୍ତି । ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏପରି ଏକ ପୁସ୍ତିକାର ମଲାଟରେ ଶ୍ୟାମସୁନ୍ଦରଙ୍କ  ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ ସ୍ଥାନ ପାଇଛି । ଏହି ପେଣ୍ଟିଂରେ ମହାତ୍ମା ଗାନ୍ଧି ଏକ ଟ୍ରେନରୁ ଓହ୍ଲାଉଥିବା ବେଳେ ଲୋକମାନେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରୁଛନ୍ତି । ସଂଯୋଗବଶତଃ ରେଳମନ୍ତ୍ରାଳୟ ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି ।

ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟରୁ ଚାରୁକଳାରେ ସ୍ନାତକ  ଡିଗ୍ରି ହାସଲ କରିଥିବା ଶ୍ୟାମସୁନ୍ଦର ରେଳବାଇ ପକ୍ଷରୁ ଅନୁଷ୍ଠିତ ଏକ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବରିଷ୍ଠ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିପାରିଥିଲେ ।  ତେବେ  ସଫଳତା ପୁସ୍ତିକାର ମଲାଟ ପାଇଁ ସେ ୩ଟି ପ୍ରବେଶିକା ପଠାଇଥିବେଳେ  ପ୍ରଥମ ଦୁଇଟି ବଛା ହୋଇପାରିନଥିଲା । ତେବେ ତୃତୀୟଟି ମଲାଟ ପାଇଁ ବଛା ହୋଇଥିଲା । ସୋମବାରଦିନ ତାଙ୍କୁ ରେଳମନ୍ତ୍ରୀ ପିୟୁଷ ଗୋଏଲ ସମ୍ବର୍ଦ୍ଧିତ କରିଥିଲେ ।

 

ସମ୍ବନ୍ଧିତ ଖବର