ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ‘ଓଡ଼ିଆ ସଂସ୍କୃତିରୁ ଆଉ ପଦେ’

ଭୁବନେଶ୍ୱର : ଓଡ଼ିଆ କଳା ସଂସ୍କୃତି ଓ ଭକ୍ତି ସଂଗୀତର ପ୍ରଚାର ଓ ପ୍ରସାର ପାଇଁ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ‘ଓଡ଼ିଆ ସଂସ୍କୃତିରୁ ଆଉ ପଦେ’ ଗତକାଲି ସିଙ୍ଗାପୁରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭକ୍ତିଭାବ ଭରା ନିଆରା କାର୍ଯ୍ୟକ୍ରମ ଉପସ୍ଥିତ ଶହ ଶହ ଓଡ଼ିଆଙ୍କ ମଧ୍ୟରେ ଅପୂର୍ବ ଶିହରଣ ସୃଷ୍ଟି କରିବା ସହ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା।

ଅନ୍ତର୍ଜାତୀୟ କୃଷ୍ଣ ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନେ ଶ୍ରୀଜଗନ୍ନାଥଙ୍କ ମହିମା ଗାନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଓଡ଼ିଆ ସାହିତ୍ୟ, ଓଡ଼ିଆ ମାଟିର ମହିମା ଓ ଗୌରବ ସଂପର୍କରେ ଆଲୋକପାତ କରିବା ସହ ସିଙ୍ଗାପୁରର ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ଆହ୍ଵାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଡା. ସମ୍ବିତ ପାତ୍ର ଓଡ଼ିଆ ସଂସ୍କୃତି ଓ ଓଡ଼ିଶାର ଗୌରବମୟ ଅଧ୍ୟାୟ ସଂପର୍କରେ କହିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସିଙ୍ଗାପୁର ଓଡ଼ିଆ ସମାଜର ମୋବାଇଲ୍‌ ଆପ୍ଲିକେସନ୍‌ ଉଦ୍‌ଘାଟନ ହୋଇଥିଲା।

ସମାରୋହରେ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲି ଭକ୍ତି ସଂଗୀତ ପରିବେଷଣ କରି ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପୁରୀର ଶରଧାବାଲିଠାରୁ ପ୍ରାୟ ୩ ହଜାର କିଲୋମିଟର ଦୂର ସିଙ୍ଗାପୁର ମାଟିରେ ଶ୍ରୀ ମୁଦୁଲିଙ୍କ ଭଜନ ଶ୍ରୋତାଙ୍କୁ ଭକ୍ତିରସରେ ତଲ୍ଲୀନ କରିଥିଲା। ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସେ ଗୋଟିଏ ପରେ ଗୋଟିଏ ଭକ୍ତି ଅର୍ଘ୍ୟ ବାଢ଼ି ସମସ୍ତଙ୍କୁ ଭଜନରେ ଏପରି ଭିଜାଇଥିଲେ ଯେ ପ୍ରବାସୀ ଓଡ଼ିଆମାନେ ଆତ୍ମବିଭୋର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର