ବାହାର ରାଜ୍ୟରେ ଫସିଛନ୍ତି ଓଡ଼ିଶାର ଶତାଧିକ ଶ୍ରମିକଙ୍କ ସମେତ ଛ‌ାତ୍ରଛାତ୍ରୀ, ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ନିବେଦନ 

କେରଳରେ ଫସିଛନ୍ତି ୬୫ ଓଡ଼ିଆ ଛାତ୍ରଛାତ୍ରୀ
ହାଟଡିହି : କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେଠାରେ ବିଇଡି ପଢ଼ୁଥିବା ୬୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଗାଡ଼ିମୋଟର ସୁବିଧା ନଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି।

ଅଗଷ୍ଟ ମାସରୁ ଏହି ଛାତ୍ରଛାତ୍ରୀ କେରଳର ପୂରନାଟୁକରାରେ ଅଛନ୍ତି। ମାର୍ଚ୍ଚରେ ପରୀକ୍ଷା ହେବ ବୋଲି ସେମାନଙ୍କୁ କୁହାଯାଇଥିଲା। କରୋନା ପାଇଁ ପରୀକ୍ଷା ଘୁଞ୍ଚିଯାଇଛି। ସେଠାରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଘରକୁ ଫେରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେମାନଙ୍କୁ ହଷ୍ଟେଲ ମିଳି ନଥିବାରୁ ଭଡ଼ାଘରେ ରହୁଛନ୍ତି। ନିଜେ ରୋଷେଇ କରି ଖାଉଛନ୍ତି। କୌଣସି ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇପାରୁ ନାହାନ୍ତି। ଏପରିକି ପାନୀୟ ଜଳ ମିଳିବାରେ ନାନା ସମସ୍ୟା ହେଉଥିବା ସେମାନେ ଜଣାଇଛନ୍ତି।

ଗତକାଲି ହାଇଦ୍ରାବାଦରେ ଅଟକି ଥିବା କିଛି ପରୀକ୍ଷାର୍ଥୀଙ୍କୁ ଓଡ଼ିଶା ସରକାର ଫେରାଇ ଆଣିବା ଖବର ପାଇ କେନ୍ଦୁଝର ଜିଲ୍ଲାର ସ୍ୱାତୀ ସୁଦେଷ୍ଣା ପହି, ଢେଙ୍କାନାଳର ଶାନ୍ତି ମଲ୍ଲିକ, ପୁରୀର ମିତାଲି ଥାଟୋଇ, ନୟାଗଡ଼ର ଗୋମତୀ ପ୍ରିୟଦର୍ଶିନୀ ବେହେରା, ବାଲେଶ୍ୱରର ସ୍ମୃତିରେଖା ମିସ୍ତ୍ରିଙ୍କ ସମେତ ଜଗତସିଂହପୁର, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାର କିଛି ଛାତ୍ରଛାତ୍ରୀ ଆଜି ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କୁ ଫୋନରେ ଯୋଗାଯୋଗ କରି ସେମାନଙ୍କୁ ଘରକୁ ଫେରାଇ ଆଣିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

ବିଜୟଵାଡ଼ାରେ କେନ୍ଦ୍ରାପଡ଼ାର ୫୨ ଓଡ଼ିଆ ଶ୍ରମିକ
ଆଳି : ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡରେ କାମ କରିବାକୁ ଯାଇଥିବା ଆଳି ବ୍ଲକର ୫ ଶ୍ରମିକଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ୫୨ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ଦେଶରେ ଲକଡାଉନ କାରଣରୁ ଟ୍ରେନ ଓ ଗାଡି ଚଳାଚଳ ବନ୍ଦ ଯୋଗୁଁ ଏହି ଓଡିଆ ଶ୍ରମିକ ମାନେ ଓଡିଶା ଫେରିବାର ବାଟବନ୍ଦ ହୋଇଯାଇଛି। ନିଜ ଜନ୍ମମାଟିକୁ ଫେରିବା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏ ପଟେ ଲକଡାଉନରେ ହିନସ୍ତା ହେଉଥିବା ନିଜନିଜର ଆତ୍ମୀୟଙ୍କ ପାଇଁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ବିଜୟାଓ୍ଵାଡାରେ ଫସିଥିବା ଆଳି ବ୍ଲକ ସହିରା ଗ୍ରାମର ଦିଲ୍ଲୀପ ରାଉତ, ରମାକାନ୍ତ ପାତ୍ର, ଜଗବନ୍ଧୁ ପ୍ରଧାନ, ଅଙ୍କିତ ପାତ୍ର, ଶୁଭ୍ରକାନ୍ତ ପାତ୍ର ପ୍ରମୁଖ ଜଣାଇଛନ୍ତି ଯେ, ସେମାନେ ଗତ ୧୬ ତାରିଖରେ ଏକ ଘରୋଇ କମ୍ପାନିରେ ଠିକା କାମ କରିବାକୁ ଯାଇଥିଲେ। ସେଠାରେ ମାତ୍ର ଦୁଇ ଦିନ କାମ କରିବା ପରେ କରୋନା ପରିସ୍ଥିତି ଯୋଗୁଁ କାମବନ୍ଦ ହୋଇଗଲା। ତାପରେ ଲକଡାଉନ। ସେମାନଙ୍କ ନିକଟରେ ପଇସାପତ୍ର ନାହିଁ। ଘରକୁ ଯିବାର ସବୁ ବାଟ ବନ୍ଦ। ସରକାର ଆମର ଫେରିବାର ବ୍ୟବସ୍ଥା କରନ୍ତୁ ବୋଲି ଏହି ଶ୍ରମିକ ମାନେ ନିବେଦନ କରିଛନ୍ତି।

ସିକନ୍ଦରାବାଦ୍‌ରେ ଫସିଛନ୍ତି ୨୨ ଶ୍ରମିକ
ଧର୍ମଶାଳା : କରୋନା ସଂକ୍ରମଣ ରୋକିବାକୁ ସରକାର ସମଗ୍ର ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଗାଡ଼ି ମୋଟର ଓ ରେଳ ଚଳାଚଳ ଠପ୍‌ ହୋଇଯାଇଥିବା ବେଳେ ବିମାନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି। ଫଳରେ ବାହାର ରାଜ୍ୟରେ ଥିବା ବହୁ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାଜପୁର ଜିଲ୍ଲାର ଧର୍ମଶାଳା, ବାରବାଟୀ, ବରୁଆଁ ଓ ଯାଜପୁରରୋଡ ଅଞ୍ଚଳର ୨୨ ଜଣ ଶ୍ରମିକ ବାହାର ରାଜ୍ୟରେ ଫସି ରହିଛନ୍ତି। ଘରକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ୨୨ ଜଣ ଶ୍ରମିକ ତେଲେଙ୍ଗାନାର ସିକନ୍ଦରାବାଦ ପାରାଡାଇଜ ସର୍କଲର ବାଲମୁରାଇ ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ରହି କାମ କରୁଥିଲେ। କରୋନା ଲକ୍‌ଡାଉନ ଘୋଷଣା ପରେ ହୋଟେଲ ବନ୍ଦ ହୋଇଯାଇଛି। ଫଳରେ ଏହି ଶ୍ରମିକମାନେ କାମ ହରାଇଛନ୍ତି ଏବଂ ସେମାନେ ଘରକୁ ଫେରି ଆସିବାକୁ ଚାହୁଁଛନ୍ତି। କିନ୍ତୁ ଗାଡ଼ିମୋଟର ଓ ରେଳ ସେବା ବନ୍ଦ ଯୋଗୁଁ ସେମାନେ ଫେରିପାରୁନାହାନ୍ତି। ଭୋକଓପାସରେ ପଡ଼ି ରହିଥିବା ଏହି ଶ୍ରମିକମାନଙ୍କ ନିକଟରେ ଥିବା ଟଙ୍କା ମଧ୍ୟ ସରିଗଲାଣି। ଗୋଟିଏ ଘରେ ପଡ଼ି ରହିଥିବା ଏହି ଶ୍ରମିକମାନେ ଏକ ଭିଡିଓ ଭାଇରାଲ୍‌ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ‌ନିବେଦନ କରିଛନ୍ତି।

ମହାରାଷ୍ଟ୍ରରେ ଫସିଛନ୍ତି ଜଗତସିଂହପୁରର ଶତାଧିକ ଯୁବକ, ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ନିବେଦନ
ଜଗତସିଂହପୁର : ‘ଲକ୍‌ ଡାଉନ୍‌’ ହେବା ପରେ ମହାରାଷ୍ଟ୍ରର ପୁନେ ଅଞ୍ଚଳରେ ଫସିଛନ୍ତି ଜଗତସିଂହପୁର ଜିଲ୍ଲାର ଶତାଧିକ ଯୁବକ। ଭୋକଉପାସରେ ପଡ଼ିରହିଛନ୍ତି। ଚଳିବା ପାଇଁ ବି ସେମାନଙ୍କ ପାଖରେ ଟଙ୍କାଟିଏ ନାହିଁ। ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି ସେମାନେ ନିଜନିଜର ଦୁଃଖ ଜଣାଇଛନ୍ତି। ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଜିଲ୍ଲା ଅନ୍ତର୍ଗତ ବାଲିକୁଦା-ଏରସମା ଅଞ୍ଚଳର ଏହି ଯୁବକମାନେ ଜଣେ ଠିକାଦାରଙ୍କ ସହାୟତାରେ ମହାରାଷ୍ଟ୍ରର ପୁନେ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ। ମାତ୍ର, ସେଠାରେ କରୋନା ଭୟରେ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ କରି ଦେଇଛନ୍ତି। ଏମିତିକି ଲୋକଙ୍କୁ ଘରୁ ବାହାରିବାକୁ ମଧ୍ୟ ଦିଆଯାଉ ନାହିଁ। ଫଳରେ ଏହି ଯୁବକମାନେ ଦୟନୀୟ ସ୍ଥିତିରେ ଅଛନ୍ତି। ଯେଉଁ ଠିକାଦାରଙ୍କ ଭରସାରେ ଏହି ଯୁବକମାନେ ପୁନେ ଆସିଥିଲେ, ସେ ମଧ୍ୟ ଏବେ ସେମାନଙ୍କୁ ଧରାଛୁଆଁ ଦେଉନାହାନ୍ତି।

ସେମାନେ କହିଛନ୍ତି ଯେ, ଗତ ଦୁଇ ମାସ ହେଲା ବେତନ ଦିଆ ଯାଇନାହିଁ। ଫଳରେ, ସେମାନଙ୍କର ଚଳିବା ମୁସ୍କିଲ ହୋଇଛି। ତୁରନ୍ତ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ସେମାନେ ନିବେଦନ କରିଛନ୍ତି। ଏ ନେଇ ସେମାନେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର