ଓଡ଼ିଆ ପୁଅ ଜାତିସଂଘ ସହକାରୀ ମହାସଚିବ

ଜାତିସଂଘ: ଓଡ଼ିଶାର ସ୍ୱନାମଧନ୍ୟ ପରିବେଶବିତ୍‌ ସତ୍ୟସୁନ୍ଦର ତ୍ରିପାଠୀଙ୍କୁ ମିଳିତ ଜାତିସଂଘର ସହକାରୀ ମହାସଚିବ ଭାବେ ନିଯୁକ୍ତ କରାଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପଦରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ। ସତ୍ୟ ସୁନ୍ଦର ତ୍ରିପାଠୀ ଜାତିସଂଘରେ ୨୦ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ନିରନ୍ତର ବିକାଶ, ମାନବାଧିକାର, ଗଣତାନ୍ତ୍ରିକ ଶାସନ ଏବଂ ଆଇନଗତ ବ୍ୟାପାର ଭଳି କ୍ଷେତ୍ରରେ ସେ ସଫଳତା ପୂର୍ବକ କାର୍ଯ୍ୟ କରିଛନ୍ତି। ନ୍ୟୁୟର୍କସ୍ଥିତ ପରିବେଶ କାର୍ଯ୍ୟାଳୟରେ ସେ ନୂଆ ଦାୟତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ବାଣିଜ୍ୟ ଓ ଆଇନରେ ସ୍ନାତକ କରିଥିବା ତ୍ରିପାଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ରେ ନିରନ୍ତର ବିକାଶ ନିମନ୍ତେ ଉଦ୍ଦିଷ୍ଟ ‘୨୦୩୦ କାର୍ଯ୍ୟସୂଚୀ’ ଉପରେ ସେ ଜଣେ ବରିଷ୍ଠ ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୧୭ ଠାରୁ ସେ ଏହି ଦାୟିତ୍ୱ ସମ୍ଭାଳି ଆସୁଥିଲେ। ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଜାତିସଂଘର ମହାସଚିବ ତାଙ୍କୁ ପଦୋନ୍ନତି ଦେଇଛନ୍ତି। ୟୁଏନ୍‌ଇପିର ନ୍ୟୁୟର୍କ କାର୍ଯ୍ୟାଳୟରେ ତ୍ରିପାଠୀ ଜାତିସଂଘ ନିମନ୍ତେ ପରିବେଶ ସଂକ୍ରାନ୍ତ ରଣକୌଶଳ କାର୍ଯ୍ୟକାରୀ କ୍ଷେତ୍ରରେ କାର୍ଯ୍ୟ କରିବେ। ଏହାସହିତ ବିକାଶ, ସମନ୍ଵୟ କ୍ଷେତ୍ରରେ ମଧ୍ୟ ସେ ଦାୟିତ୍ୱ ନିର୍ବାହ କରିବେ। ଅତୁଲ ଖାରେ ଜାତିସଂଘରେ ଏବେ ବରିଷ୍ଠ ଭାରତୀୟ ଭାବେ ଅନୁ-ମହାସଚିବ ପଦରେ କାର୍ଯ୍ୟ କରୁଛନ୍ତି। ପରିଚାଳନା ସେବା ବିଭାଗରେ ସେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି ଜାତିସଂଘରେ ଆଉ ଜଣେ ଭାରତୀୟ ନିଖିଲ ସେଠ୍‌ ମଧ୍ୟ ଅଛନ୍ତି। ୟୁଏନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟ୍ରେନିଂ ଆଣ୍ଡ୍‌ ରିସର୍ଚ୍ଚରେ ସେ ଜଣେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତ୍ରିପାଠୀଙ୍କ ଭଳି ନିଖିଲ୍‌ ସେଠ୍‌ଙ୍କୁ ମଧ୍ୟ ଜାତିସଂଘରେ ସହକାରୀ ମହାସଚିବ ପାହ୍ୟାରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର