ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ : ସରକାରଙ୍କୁ ଘେରିଲେ ବିରୋଧୀ, ମନ୍ତ୍ରୀ କହିଲେ, ଜମି ଅଧିଗ୍ରହଣ ନେଇ ସମସ୍ୟା ରହିଛି

ଭୁବନେଶ୍ବର : କେବଳ ଘୋଷଣା‌ ଓ ଶିଳାନ୍ୟାସରେ ରହିଯାଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ । ୨୦୧୮ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ଶିଳାନ୍ୟାସ କରିଥିଲେ କାମ ଆରମ୍ଭ ହୋଇପାରୁନି। ଗୋଟିଏ ପଟେ ଜମି ଅଧିଗ୍ରହଣକୁ ନେଇ ଉଚ୍ଚଶିକ୍ଷା ବିଭାଗ ଓ ଦେବୋତ୍ତର ବିଭାଗ ମଧ୍ୟରେ ନିଷ୍ପତ୍ତି ହୋଇପାରୁନି। ଅନ୍ୟ ପଟେ ଓଡ଼ିଆ ବିଶ୍ବବିଦ୍ୟାଳୟ ଦାୟିତ୍ବ ନେବାକୁ ଉଚ୍ଚଶିକ୍ଷା ବିଭାଗ ଅମଙ୍ଗ ହୋଇ ସଂସ୍କୃତି ବିଭାଗକୁ ଦାୟିତ୍ବ ଠେଲିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏମିତି ଛକାପଞ୍ଝା ଭିତରେ ବିଶ୍ବବିଦ୍ୟାଳୟ ଭାଗ୍ୟ ଫିଟିପାରୁନି। ଆଜି ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରି ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିଜେ ଉଚ୍ଚଶିକ୍ଷା ମନ୍ତ୍ରୀ ରକ୍ଷଣାତ୍ମକ ଢଙ୍ଗରେ ମାପିଚୁପି ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସତ୍ୟବାଦୀ ବିଧାୟକ ମଧ୍ୟ ସରକାରଙ୍କ ପକ୍ଷରୁ ସଫେଇ ଦେଇ ବିଳମ୍ବର କାରଣ ଗଣମାଧ୍ୟମକୁ କହିଛନ୍ତି।

‘ଓଡ଼ିଆ ବିଶ୍ବବିଦ୍ୟାଳୟକୁ ନେଇ କେଁ’ ଶୀର୍ଷକ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପୁଣି ଚର୍ଚ୍ଚାର ଶିରୋନାମା ପାଲଟିଛି। କଂଗ୍ରେସ ଓ ବିଜେପି ପକ୍ଷରୁ ସରକାରଙ୍କୁ ଭର୍ତ୍ସନା କରାଯାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ନିର୍ବାଚନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓଡ଼ିଆ ଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ନ ଥିବାରୁ ବିଶ୍ବବିଦ୍ୟାଳୟ କାମ ଆଗଉ ନାହିଁ। ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।

ବିଜେପି ନେତା ପ୍ରଦୀପ ପୁ ରୋହିତ କହିଛନ୍ତି, ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ନେଇ ସରକାରଙ୍କ ଆନ୍ତରିକତା ନାହିଁ। ତାହା ନ ହୋଇଥିଲେ ଉଚ୍ଚଶିକ୍ଷା ବିଭାଗ ନିଜ ହାତରୁ ଦାୟିତ୍ବ ଖସାଇ ଦେବାକୁ ସଂସ୍କୃତି ବିଭାଗକୁ ଚିଠି ଲେଖି ନ ଥା’ନ୍ତା। ସେତେବେଳେ ଭାଷାକୁ ନେଇ ଆନ୍ଦୋଳନ ଚାଲୁଥିଲା। ଭାଷା ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ତରବରିଆ ଭାବେ ସରକାର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ।

ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, ଜମି ଅଧିଗ୍ରହଣ ନେଇ ଦେବୋତ୍ତର ବିଭାଗ ସହ କିଛି ସମସ୍ୟା ଥିଲା। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଥମେ ଦେବୋତ୍ତର ବିଭାଗଠାରୁ ଗୋପୀନାଥ ଜୀଉଙ୍କ ୨୮ ଏକର ଜମି ଉଚ୍ଚଶିକ୍ଷା ବିଭାଗ ନେବ ବୋଲି ନିଷ୍ପତ୍ତି ହୋଇଥିଲା। ଜମି ଅଧିଗ୍ରହଣ ବାବଦରେ ଦେବୋତ୍ତର ବିଭାଗ ୩୦ କୋଟି ଟଙ୍କା ଦାବି କରିଥିଲା। ଏ ନେଇ ନିଷ୍ପତ୍ତି ନ ହୋଇପାରିବାରୁ ବିଶ୍ବବିଦ୍ୟାଳୟ କାମ ଆରମ୍ଭ କରିବାରେ ବିଳମ୍ବ ଘଟିଛି। ଏବେ ବିଭାଗ ୨୮ ଏକର ବଦଳରେ ୯ ଏକର ଜମିରେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୩୦ କୋଟି ନୁହେଁ ୧୧ କୋଟି ଟଙ୍କା ଦେବୋତ୍ତର ବିଭାଗକୁ ପଇଠ କରାଯିବ। ତେବେ ସଂସ୍କୃତି ବିଭାଗକୁ ବିଶ୍ବବିଦ୍ୟାଳୟ ପରିଚାଳନା ଦାୟିତ୍ବ ଦେବା ନେଇ ଚାଲିଥିବା ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ କିଛି କହି ନାହାନ୍ତି। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମଧ୍ୟ କହିଛନ୍ତି, ଦେବୋତ୍ତର ବିଭାଗରେ ଟଙ୍କା ଦାଖଲ ହେଲା ପରେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର