ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ : ପୁଅଙ୍କୁ ଟପିଲେ ଝିଅ, କଳାରେ ଅଭୀପ୍‌ସା, ବାଣିଜ୍ୟରେ ଅନିଶ-ସାଇ ଯୁଗ୍ମ ଟପର୍‌

ଉଭୟ ବିଭାଗରେ ମାତ୍ର ୪ ଜଣ ଟପିଲେ ୯୦%, କଳାରେ ପୁରୀ, ବାଣିଜ୍ୟରେ ନୟାଗଡ଼ ଆଗରେ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଯୁକ୍ତ୨ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ବିଜ୍ଞାନ ପରି କଳା ଓ ଧନ୍ଦାମୂଳକ ବିଭାଗରେ ମଧ୍ୟ ପାସ୍‌ହାର ହ୍ରାସ ପାଇଥିବା ବେଳେ ବାଣିଜ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ସମସ୍ତ ବିଭାଗରେ ଛାତ୍ରଙ୍କୁ ବହୁ ପଛରେ ପକାଇ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। କଳା ବିଭାଗରେ ଜଣେ ମାତ୍ର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ବାଣିଜ୍ୟରେ ୩ ଜଣ ୯୦% ଟପିଛନ୍ତି। ଗତବର୍ଷ କଳାରେ କେହି ବି ୯୦% ଟପି ନ ଥିବା ବେଳେ ବାଣିଜ୍ୟରେ ୭ ଜଣ ୯୦%ରୁ ଅଧିକ ନମ୍ବର ରଖିଥିଲେ। ରାଜ୍ୟର ପ୍ରମୁଖ ତଥା ସରକାରୀ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଏଥର ମଧ୍ୟ ଦେଖିବାକୁ ମିଳିଛି।

କଳାରେ ରେଭେନ୍ସା ଜୁନିଅର କଲେଜ ଛାତ୍ରୀ ଅଭୀପ୍‌ସା ମିଶ୍ର ୫୪୧ ନମ୍ବର ରଖି ଏକମାତ୍ର ଛାତ୍ରୀ ଭାବେ ୯୦% ଟପିବା ସହ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ବ୍ରହ୍ମପୁରସ୍ଥିତ ଶିକ୍ଷା କଲେଜର ଅନିଶ ପଟ୍ଟନାୟକ, ରାୟଗଡ଼ା ଜୁନିଅର କଲେଜର ସାଇ ପ୍ରବୀଣ ପଟ୍ଟନାୟକ ୬୦୦ରୁ ୫୪୪ ନମ୍ବର ରଖି ଯୁଗ୍ମ ଟପର୍‌ ହୋଇଛନ୍ତି। ଖଲ୍ଲିକୋଟ ଜୁନିଅର କଲେଜର ବି. ଲିଲାରାଣୀ ୫୪୨ ନମ୍ବର ରଖି ୯୦% ପାର ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ କେନ୍ଦ୍ରାପଡ଼ା ସରକାରୀ ଧନ୍ଦାମୂଳକ ଜୁନିଅର କଲେଜର ସୌରଭ କୁମାର ବାରିକ ୫୧୦ ମାର୍କ ରଖି ଟପର୍‌ ହୋଇଛନ୍ତି।

କଳା ବିଭାଗରେ ପାସ୍‌ ହାର ଗତବର୍ଷ ତୁଳନାରେ ପ୍ରାୟ ଦୁଇ ପ୍ରତିଶତ ହ୍ରାସ ପାଇଛି। ୨୦୧୭ରେ ପାସ୍‌ହାର ୭୦.୧୭% ରହିଥିଲା। ଏଥର ପାସ୍‌ହାର ୬୮.୭୯%କୁ କମିଛି। ୨ ଲକ୍ଷ ୩୦ ହଜାର ୨୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପାସ୍‌ କରିଛନ୍ତି। ୧୯,୯୯୩ ଜଣ ପ୍ରଥମ, ୨୬,୦୭୬ ଜଣ ଦ୍ୱିତୀୟ ଏବଂ ୧ ଲକ୍ଷ ୧୨ ହଜାର ୧୪୩ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଏହି ବିଭାଗରେ ପୁରୀ ଜିଲ୍ଲାର ପାସ୍‌ହାର ସର୍ବାଧିକ ୭୯.୮୭% ଓ ନବରଙ୍ଗପୁର ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୪୭.୫୮% ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ବହୁତ ଭଲ କରିଛନ୍ତି। ଚଳିତବର୍ଷ ପରୀକ୍ଷା ଦେଇଥିବା ୧ ଲକ୍ଷ ୪ ହଜାର ୭୧୨ ଜଣ ଛାତ୍ରଙ୍କ ମଧ୍ୟରୁ ୬୩ ହଜାର ୭୫୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୬୦.୮୮% ରହିଛି। ସେମାନଙ୍କ ମଧ୍ୟରୁ ୫୪୮୭ ଜଣ ପ୍ରଥମ, ୮,୬୧୭ ଦ୍ୱିତୀୟ ଏବଂ ୪୯ ହଜାର ୫୯୬ ଜଣ ତୃତୀୟ ଶ୍ରେଣୀରେ ରହିଛନ୍ତି। ସେହିପରି ୧ ଲକ୍ଷ ୨୫ ହଜାର ୪୯୪ ଛାତ୍ରୀଙ୍କ ମଧ୍ୟରୁ ୯୪,୬୧୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୫.୩୯% ରହିଛି। ୧୪,୫୦୬ ଜଣ ପ୍ରଥମ, ୧୭,୪୫୯ ଜଣ ଦ୍ୱିତୀୟ ଏବଂ ୬୨,୫୪୭ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ବାଣିଜ୍ୟ ବିଭାଗରେ ୨୬ ହଜାର ୯୮୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦ ହଜାର ୨୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୭୪.୯୧% ରହିଛି। ଗତବର୍ଷ ପାସ୍‌ହାର ୭୧.୪୩% ରହିଥିଲା। ୪ ହଜାର ୬ ଜଣ ପ୍ରଥମ, ୩ ହଜାର ୭୩୪ ଜଣ ଦ୍ୱିତୀୟ, ୧୨ ହଜାର ୪୭୦ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୫.୫୯% ଏବଂ ଦେବଗଡ଼ ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୪୫.୦୭% ରହିଛି। ଏଥିରେ ବି ଛାତ୍ରୀମାନେ ଆଗରେ ରହିଛନ୍ତି। ପରୀକ୍ଷା ଦେଇଥିବା ୧୭, ୯୦୩ ଜଣ ଛାତ୍ରଙ୍କ ମଧ୍ୟରୁ ୧୩, ୦୮୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୩.୧୧% ରହିଛି। ୨,୨୫୨ ଜଣ ପ୍ରଥମ, ୨,୩୨୯ ଜଣ ଦ୍ୱିତୀୟ ଏବଂ ୮,୫୦୩ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୯ ହଜାର ୮୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭ ହଜାର ୧୨୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୮.୪୮% ରହିଛି। ୧୭୫୪ ଜଣ ପ୍ରଥମ, ୧,୪୦୫ ଜଣ ଦ୍ୱିତୀୟ, ଏବଂ ୩,୯୬୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ୭ ହଜାର ୯୬୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରେଗୁଲାର୍‌ରେ ୩ ହଜାର ୭୨୭ ଏବଂ ଏକ୍ସ-ରେଗୁଲାର୍‌ରେ ୪୦୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨୦୧୭ରେ ପାସ୍‌ହାର ୬୧.୨୨% ଥିବା ବେଳେ ଏଥର ୫୨.୬୧%କୁ କମିଛି। ୨୯୯ ଜଣ ପ୍ରଥମ, ୧ ହଜାର ୬୯୨ ଜଣ ଦ୍ୱିତୀୟ ଏବଂ ୨ ହଜାର ୫୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବରଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୮୧.୮୯% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ପାସ୍‌ହାର ସର୍ବନିମ୍ନ ୩.୯୨% ରହିଛି। ଏହି ବିଭାଗରେ ପରୀକ୍ଷା ଦେଇଥିବା ୪ ହଜାର ୨୭୦ ଜଣ ଛାତ୍ରଙ୍କ ମଧ୍ୟରୁ ୨ ହଜାର ୮୦ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୪୮.୭୧% ହୋଇଛି। ସେହିପରି ୩ ହଜାର ୬୯୬ ଛାତ୍ରୀଙ୍କ ମଧ୍ୟରୁ ୨ ହଜାର ୧୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୧୫୯ ଜଣ ଛାତ୍ରୀ ପ୍ରଥମ, ୮୭୨ ଜଣ ଦ୍ୱିତୀୟ, ୧୦୧୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୫୭.୧୧% ରହିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚିତ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ସଚିବ ପ୍ରଣବ କୁମାର ମଙ୍ଗରାଜ, ଉଚ୍ଚଶିକ୍ଷା ବିଭାଗର ଉପ ନିର୍ଦେଶକ ତୁଷାରକାନ୍ତି ତ୍ରିପାଠୀ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଉପନିର୍ଦେଶିକା ସିପ୍ରା ନାୟକ, ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ସହକାରୀ ପରୀକ୍ଷା ନିୟନ୍ତ୍ରକ ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର