ଓଡ଼ିଶାରେ ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ, ସ୍ବତନ୍ତ୍ର ଅନୁଦାନ ଦାବି କରିପାରେ ଓଡ଼ିଶା

ଆଜିଠୁ ଆଲୋଚନା, ଉନ୍ନୟନ ପ୍ରକଳ୍ପ ବି ଅନୁଧ୍ୟାନ କରିବେ ‘ଦେଶର ଆର୍ଥିକ ଇଞ୍ଜିନ ହେବାର କ୍ଷମତା ଓଡ଼ିଶାର ରହିଛି’

ଭୁବନେଶ୍ବର: ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଇଞ୍ଜିନ ହେବାର କ୍ଷମତା ଓଡ଼ିଶାର ରହିଛି। କିନ୍ତୁ ଓଡ଼ିଶା ପଛରେ ପଡ଼ିଛି। ଏହି ସମସ୍ୟାର କିଭଳି ସମାଧାନ କରାଯାଇ ପାରିବ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ. କେ. ସିଂହ କହିଛନ୍ତି। ଅଧ୍ୟକ୍ଷ ଶ୍ରୀ ସିଂହ ଆଜି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆୟୋଗର ସଦସ୍ୟମାନେ ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବେ। ଭୁବନେଶ୍ବରରେ ଅର୍ଥ ଆୟୋଗ ଅଧ୍ୟକ୍ଷ ଏଭଳି ମନ୍ତବ୍ୟ ଦେବା ପରେ ରାଜ୍ୟର ଆଶା ବଢ଼ିଯାଇଛି। ଚତୁର୍ଦଶ ଅର୍ଥ ଆୟୋଗର ସୁପାରିସରେ ଓଡ଼ିଶା ଯେଉଁ ବିପୁଳ କ୍ଷତି ସହିଛି ତାହାକୁ ପଞ୍ଚଦଶ ଅର୍ଥ ଆୟୋଗ ଭରଣା କରିପାରନ୍ତି େବାଲି ଅର୍ଥନୀତିଜ୍ଞମାନେ ଆଶା କରୁଛନ୍ତି। ଓଡ଼ିଶା ଗସ୍ତ ସମୟରେ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ପଞ୍ଚାୟତିରାଜ ଓ ପୌର ପ୍ରଶାସନର ପ୍ରତିନିଧି, ଶିଳ୍ପ ଓ ବାଣିଜ୍ୟ ସଂଘର ପ୍ରତିନିଧିମାନଙ୍କ ସହିତ ୮ ଓ ୯ ତାରିଖରେ ବ୍ୟାପକ ବିଚାର ବିମର୍ଶ କରିବେ। ଚାରି ଦିନିଆ ଓଡ଼ିଶା ଗସ୍ତ ସମୟରେ ଆୟୋଗ ରାଜ୍ୟର ଆର୍ଥିକ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ।

ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ-ଓଡ଼ିଶା ଜୀବିକା ମିସନ (ଓଏଲ୍‌ଏମ୍‌)ର ସମୀକ୍ଷା କରିବା ଲାଗି ଆୟୋଗ କ୍ଷେତ୍ର ପରିଦର୍ଶନ କରିବେ। ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ପାନୀୟ ଜଳ ଯୋଗାଣ, ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଆୟୋଗ ବୁଲି ଦେଖିବେ। ଆୟୋଗ ଚିଲିକା ଉନ୍ନୟନ କର୍ତୃପକ୍ଷ ସମେତ ଆର୍ଦ୍ରଭୂମି ଗବେଷଣା କେନ୍ଦ୍ର ଦ୍ୱାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବେ। ଆୟୋଗ ଐତିହାସିକ ସ୍ଥଳ ପରିଦର୍ଶନ କରିବ। ଆଲୋଚନା ଓ ବିଚାରବିମର୍ଶ ପରେ ଯେଉଁ ନିଷ୍କର୍ସ ମିଳିବ ଆୟୋଗ ତାହାକୁ ‌ଲିପିବଦ୍ଧ କରିବା ସହିତ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଗକୁ ସ୍ମାରକପତ୍ର ପ୍ରଦାନ କରାଯାଇ ସାରିଛି। ଏହି ସ୍ମାରକପତ୍ର ଆଧାରରେ ଆୟୋଗ ଓଡ଼ିଶାର ମହାଲେଖାକାର (ଏଜି)ଙ୍କ ସହିତ ମଧ୍ୟ ଆଲୋଚନା କରିଛି। ନିତି ଆୟୋଗଠାରୁ ମଧ୍ୟ ଅର୍ଥ ଆୟୋଗକୁ କିଛି ସୂଚନା ମିଳିଛି। ଏସବୁକୁ ଆଧାର କରି ଆୟୋଗ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ଚତୁର୍ଦଶ ଅର୍ଥ ଆୟୋଗର ସୁପାରିସ ଓଡ଼ିଶା ପାଇଁ ଲାଭ ଦାୟକ ହେବା ପରିବର୍ତେ ରାଜ୍ୟ ଅର୍ଥନୀତିକୁ ବିପଦକୁ େଠଲି େଦଇଛି। େଗାଟିଏ ପଟେ ଚତୁର୍ଦଶ ଅର୍ଥ ଆୟୋଗ ରାଜ୍ୟଗୁଡ଼ିକୁ ୩୨% ପରିବର୍ତେ ୪୨% କେନ୍ଦ୍ରୀୟ ଟିକସ ଅଂଶ ଦେଇଥିଲେ ମଧ୍ୟ ଅନ୍ୟପକ୍ଷରେ ଚତୁରତାର ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ସ୍ବତନ୍ତ୍ର ଅନୁଦାନକୁ ବନ୍ଦ କରିଦେଇଥିଲେ। ଫଳରେ ଓଡ଼ିଶା ଗତ ୪ ବର୍ଷ ଭିତରେ ୧୭ ହଜାର କୋଟି ଟଙ୍କା ହରାଇଛି। ଏଭଳି ପରିପ୍ରେକ୍ଷୀରେ ପଞ୍ଚଦଶ ଅର୍ଥ ଆେୟାଗ ଓଡ଼ିଶା ଅର୍ଥନୀତି ପାଇଁ ସଂଜୀବନୀ େହବ ବୋଲି କୁହାଯାଉଛି। ଓଡ଼ିଶାର ୪୦ ପ୍ରତିଶତ ଲୋକ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର। ଏମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଲାଗି ଆାୟୋଗଙ୍କ ନିକଟରେ ସ୍ବତନ୍ତ୍ର ଅନୁଦାନ ପାଇଁ ଓଡ଼ିଶା ଦାବି ରଖିବ। ଏତଦବ୍ୟତୀତ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ପ୍ରତିବର୍ଷ ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରପାତ ଭଳି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ବିପୁଳ ପରିମାଣର ଆର୍ଥିକ କ୍ଷତି ରାଜ୍ୟ ସହୁଛି। ତେଣୁ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ଥଇଥାନ କାର୍ଯ୍ୟ ପାଇଁ ଓଡ଼ିଶା ସ୍ବତନ୍ତ୍ର ଅନୁଦାନ ଦାବି କରିବା ସମ୍ଭାବନା ଅଧିକ ରହିଛି। ଏହାବ୍ୟତୀତ ରାଜ୍ୟକୁ ୫୦ ପ୍ରତିଶତକୁ ଅଧିକ ଅଂଶ ପ୍ରଦାନ କରିବା, ସ୍ବତନ୍ତ୍ର ଅନୁଦାନ ରାଶି ଦେବା େନଇ ଓଡ଼ିଶା ଚାପ ରଖିବ। ବିେଶଷକରି ଶିକ୍ଷା, ସ୍ବାସ୍ଥ୍ୟ ଓ ଅନୁସୂଚିତ ଜନଜାତି ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଅର୍ଥ ରାଶି ପ୍ରଦାନ କରିବା ଲାଗି ଆେୟାଗଙ୍କ ନିକଟରେ ରାଜ୍ୟ ସରକାର ଦାବି ରଖିପାରନ୍ତି। ଆୟୋଗ ଏବେ ବିଭିନ୍ନ ରାଜ୍ୟ ଗସ୍ତ କରି ମତାମତ ସଂଗ୍ରହ କରୁଛି। ଓଡ଼ିଶା ହେଉଛି ଆୟୋଗର ୧୫ତମ ରାଜ୍ୟ ଗସ୍ତ। ଓଡ଼ିଶା ପରେ ଅନ୍ୟ ରାଜ୍ୟ ଗୁଡ଼ିକର ଗସ୍ତ କରି ସେଠାରୁ ମତାମତ ସଂଗ୍ରହ କରିବେ। ସବୁ ରାଜ୍ୟର ମତାମତ ସଂଗ୍ରହ କରିବା ପରେ ଆୟୋଗ କେନ୍ଦ୍ର ସରକାରଙ୍କୁ ଆସନ୍ତା ଅକ୍ଟୋବର ସୁଦ୍ଧା ସୁପାରିସ ପ୍ରଦାନ କରିବ। ଆୟୋଗର ସୁପାରିସକୁ ଆଧାର କରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୨୦୨୦ରୁ ୨୦୨୫ ମଧ୍ୟରେ ଟିକସ ଭାଗବଣ୍ଟା ହେବ।

ସମ୍ବନ୍ଧିତ ଖବର