ମୋଟ ପାସ୍‌ହାର ୭୧.୪୭% : ଖୋର୍ଧା ଆଗରେ, ନବରଙ୍ଗପୁର ପଛରେ, ଛାତ୍ରଙ୍କ ତୁଳନାରେ ଛାତ୍ରୀ ୯.୫୫% ଆଗରେ

ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଏଥର ମୋଟ ପାସ୍‌ହାର ୭୧.୪୭% ରହିଛି। ପରୀକ୍ଷା ଲାଗି ୩ ଲକ୍ଷ ୫୭ ହଜାର ୭୧୭ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୩ ଲକ୍ଷ ୫୨ ହଜାର ୨୮୬ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫୧ ହଜାର ୮୦୫ ଜଣ ପାସ୍‌ କରିଛନ୍ତି। ୪୩ ହଜାର ୫୬୦ ଜଣ ପ୍ରଥମ, ୫୩ ହଜାର ୯୭୪ ଜଣ ଦ୍ୱିତୀୟ, ୧ ଲକ୍ଷ ୫୩ ହଜାର ୫୮୧ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୨ ହଜାର ୪୬ ଜଣ କପି କରି ଧରାପଡ଼ି ଏମ୍‌ପି(ମାଲ୍‌ପ୍ରାକ୍ଟିସ୍‌) ହୋଇଛନ୍ତି। ୨୧୭ ଜଣଙ୍କର ପରୀକ୍ଷା ଫଳ ସ୍ଥଗିତ ରହିଛି। ମୋଟ ଉପରେ ଖୋର୍ଧା ଜିଲ୍ଲାର ପାସ୍‌ହାର ସର୍ବାଧିକ ୮୩.୦୨% ହୋଇଛି। ବାଲେଶ୍ୱରରେ ୮୨.୬୫% ରହିଥିବା ବେଳେ ପୁରୀର ପାସ୍‌ହାର ୮୧.୮୦%, ନୟାଗଡ଼ରେ ୭୯.୬୭% ହୋଇଛି। ନବରଙ୍ଗପୁରର ପାସ୍‌ହାର ସର୍ବନିମ୍ନ ୪୭.୯୨% ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି। ଛାତ୍ରଙ୍କ ପାସ୍‌ହାର ୬୬.୭୮% ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୭୬.୩୩ ହୋଇଛି, ଯାହାକି ୯.୫୫% ଅଧିକ। ୪ଟି ଯାକ ବିଭାଗରେ ୧ ଲକ୍ଷ ୭୯ ହଜାର ୨୭୦ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୧୯ ହଜାର ୭୩୪ ଜଣ ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୧ ଲକ୍ଷ ୭୩ ହଜାର ୧୬ ଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୩୨ ହଜାର ୭୧ ଜଣ କତୃକାର୍ଯ୍ୟ ହୋଇଛନ୍ତି। ଡିଭିଜନ୍‌ ହାସଲରେ ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ କରିଛନ୍ତି। ରେଗୁଲାରରେ ପାସ୍‌ହାର ୭୪.୭୭% ଥିବାବେଳେ ଏକ୍ସ-ରେଗୁଲାରରେ ୪୬.୭୨% ହୋଇଛି।

ବୌଦ୍ଧରେ ନାହିଁ ବାଣିଜ୍ୟ କଲେଜ

ଭୁବନେଶ୍ୱର : ଯୁକ୍ତ୨ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦ୍ୱାଦଶ ଶ୍ରେଣୀ ଶିକ୍ଷାର ବାସ୍ତବ ଚିତ୍ର ପଦାକୁ ଆସିଛି। ପରିଷଦ ପକ୍ଷରୁ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି। ଏତେ ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ବି ବାଣିଜ୍ୟ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ। ନା ସରକାର ଏଥିପ୍ର୍ରତି ଆଗ୍ରହ ଦେଖାଇଛନ୍ତି ନା ଘରୋଇ ସଂସ୍ଥା। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଦେଖିବାକୁ ମିଳିଛି ଯେ ଏହି ଜିଲ୍ଲାର ଜଣେ ବି ହେଲେ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି।

ଅନ୍ୟ ପକ୍ଷରେ ଧନ୍ଦାମୂଳକ ଶିକ୍ଷା ମାଧ୍ୟମରେ ପିଲାଙ୍କୁ କର୍ମ ନିଯୁକ୍ତି ଯୋଗାଇବାକୁ ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ଧନ୍ଦାମୂଳକ କଲେଜ ଖୋଲିପାରି ନାହିଁ। ସେଠାରେ କୌଣସି ବି ଯୁକ୍ତ୨ କଲେଜରେ ଏପର୍ପ୍ୟନ୍ତ ଧନ୍ଦାମୂଳକ ପାଠ୍ୟକ୍ରମ ଖୋଲାଯାଇ ନ ଥିବା ଜଣାପଡ଼ିଛି। ଯେଉଁଠି ଅନ୍ୟ ଜିଲ୍ଲାଗୁଡ଼ିକ ଭଲ ପ୍ରଦର୍ଶନ କରୁଛନ୍ତି ସେତେବେଳେ ମାଲକାନଗିରି ପରି ଆଦିବାସୀ ପ୍ରବଣ ଜିଲ୍ଲାରେ ଗୋଟିଏ ବି କଲେଜ ନ ରହିବା ଦୁଃଖର ବିଷୟ। ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ନବରଙ୍ଗପୁର ଜିଲ୍ଲାରେ ଜଣେ ମାତ୍ର ପରୀକ୍ଷାର୍ଥୀ ଏଥର ଧନ୍ଦାମୂଳକ ଶିକ୍ଷାରେ ପାସ୍‌ କରିଛନ୍ତି। ଏହି ଜିଲ୍ଲାରୁ ୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୧ ଜଣ ପରୀକ୍ଷା ଦେଇଥିଲେ। ଜଣେ ତୃତୀୟ ଶ୍ରେଣୀରେ ପାସ୍‌ କରିଥିବା ବେଳେ ଆଉ ଜଣେ କମ୍ପାଟମେଣ୍ଟ ଦେବା ପାଇଁ ରହିଛନ୍ତି। ଏହି ବିଭାଗରେ ରାୟଗଡ଼ା ଜିଲ୍ଲାର ୧୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯.୩୧% ରହିଛି। ଝାରସୁଗୁଡ଼ାରେ ୭୯ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଜଣ ପାସ୍‌ କରିଛନ୍ତି। ସୁବର୍ଣ୍ଣପୁରରେ ୮୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୫ ଜଣ ପାସ୍‌ କରିଥିବା ଜଣାପଡ଼ିଛି।

ଏସ୍‌ସି ବର୍ଗରେ ୬୩.୯୯%, ଏସ୍‌ଟିରେ ୫୯.୪୭% ପାସ୍‌ହାର

ଯୁକ୍ତ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଅନୁସୂଚିତ ଜାତି(ଏସ୍‌ସି) ବର୍ଗ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୬୩.୯୯% ଥିବା ବେଳେ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗରେ ୫୯.୪୭% ହୋଇଛି। ଏସ୍‌ସିରେ ୫୮ ହଜାର ୬୯୩ ଜଣ ପରୀକ୍ଷା ଦେଇଥିବା ବେଳେ ୩୭ ହଜାର ୫୫୮ ଜଣ ପାସ୍‌ କରିଛନ୍ତି। ୪ ହଜାର ୧୫୪ ଜଣ ପ୍ରଥମ, ୭ ହଜାର ୯ ଜଣ ଦ୍ୱିତୀୟ ଓ ୨୬ ହଜାର ୩୧୨ ଜଣ ତୃତୀୟ ଶ୍ରେଣୀରେ ରହିଛନ୍ତି। ଏସ୍‌ଟି ବର୍ଗରେ ପରୀକ୍ଷା ଦେଇଥିବା ୬୪ ହଜାର ୯୧ ଜଣଙ୍କ ମଧ୍ୟରୁ ୩୮ ହଜାର ୧୧୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ୨ ହଜାର ୨୧୬ ଜଣ ପ୍ରଥମ, ୫ ହଜାର ୩୦୫ ଜଣ ଦ୍ୱିତୀୟ ଓ ୩୦ ହଜାର ୫୧୬ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି।

ଜୁଲାଇ ଦ୍ୱିତୀୟ ସପ୍ତାହରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗରେ କମ୍ପାଟମେଣ୍ଟାଲରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ଦ୍ୱିତୀୟ ସପ୍ତାହରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ଜୁନ୍‌ ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛତ୍ରୀ ଫର୍ମ ପୂରଣ କରିପାରିବେ। ୪ଟି ଯାକ ବିଭାଗରେ ୬୯୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ େଓ୍ଵବସାଇଟ୍‌ରେ ଉପଲବ୍ଧ ହେବ।

ଖାତା ପୁନଃଯାଞ୍ଚ ଲାଗି ଆବେଦନ ଆରମ୍ଭ

ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ପୁନଃଯାଞ୍ଚ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ଜୁନ୍‌ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ। ନିର୍ଧାରିତ ସମୟ ପରେ କୌଣସି ଆବେଦନପତ୍ର ଗ୍ରହଣ କରାଯିବ ନାହିଁ। ଏହାର ସବିଶେଷ ତଥ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ୍ଵବସାଇଟ୍‌ରେ ଉପଲବ୍ଧ ହୋଇଛି।

୧୯ରୁ କଲେଜରେ ମିଳିବ ସାର୍ଟିଫିକେଟ୍‌

ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌, ସାର୍ଟିଫିକେଟ୍‌ ଓ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ ଆସନ୍ତା ୧୯ ତାରିଖଠାରୁ ସେମାନଙ୍କ କଲେଜରେ ମିଳିବ। ଛାତ୍ରଛାତ୍ରୀ ସେଠାରେ ନିଜର ପ୍ରମାଣପତ୍ର ଦେଖାଇ ସାର୍ଟିଫିକେଟ୍‌ ନେଇପାରିବେ। କଲେଜଗୁଡ଼ିକ ମଧ୍ୟ ସାମ୍‌ସ ଇ-ସ୍ପେସ୍‌ରୁ ପରୀକ୍ଷା ଫଳ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

କପିରେ ରୋକ ଯୋଗୁ କମିଲା ପାସ୍‌ହାର

ଏବର୍ଷ ପରୀକ୍ଷା ପରିଚାଳନା ଠିକ୍‌ ଭାବେ ହୋଇଛି। କପି ରୋକିବା ଦିଗରେ ପଦକ୍ଷେପ ନିଆଯାଇଥିଲା। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଯେଉଁଥିପାଇଁ ଏଥର କଳା ସମେତ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ରେ ପାସ୍‌ହାର ହ୍ରାସ ପାଇଲା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଖାତା ଦେଖାରେ ଟିକିଏ ବିଳମ୍ବ ହୋଇଥିବାରୁ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇଲା ନାହିଁ। ଅଧ୍ୟାପକମାନେ ଖାତା ଦେଖା ବର୍ଜର୍ନ କରିବାରୁ ତାହାର ପ୍ରଭାବ ପଡ଼ିଛି। କିନ୍ତୁ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିନି।

୨୧ କଲେଜରେ ‘ଶୂନ’ ରେଜଲ୍ଟ

ଚଳିତବର୍ଷ ବିଜ୍ଞାନ ବିଭାଗରେ କୌଣସି କଲେଜର ରେଜଲ୍ଟ ‘ଶୂନ’ ହୋଇ ନ ଥିଲା ବେଳେ କଳା ବିଭାଗରେ ଗୋଟିଏ କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଛି। ଉକ୍ତ କଲେଜରେ ପରୀକ୍ଷା ଦେଇଥିବା ଜଣେ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ୬ଟି କଲେଜ ଓ ଧନ୍ଦାମୂଳକ ଶିକ୍ଷାରେ ୧୪ଟି କଲେଜରେ ‘ଶୂନ’ ରେଜଲ୍ଟ ହୋଇଛି। ଅନ୍ୟପକ୍ଷରେ କଳା ବିଭାଗରେ ୪, ବାଣିଜ୍ୟରେ ୩୫ ଓ ଧନ୍ଦାମୂଳକ ଶିକ୍ଷାରେ ୯ଟି କଲେଜ ଶତ ପ୍ରତିଶତ ପରୀକ୍ଷା ଫଳ କରିଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର