+୨ ବିଜ୍ଞାନ ପାସ୍‌ହାର ବି କମିଲା

ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୨୦୧୭ ତୁଳନାରେ ଚଳିତବର୍ଷ ପାସ୍‌ହାର ହ୍ରାସ ପାଇଛି। ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୯୫ହଜାର ୯୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ହଜାର ୨୧୧ କୃତକାର୍ଯ୍ୟ ହୋଇଛନ୍ତି। କମ୍ପାର୍ଟ୍‌ମେଣ୍ଟାଲ୍‌ରେ ୫୧୮ ଜଣ ରହିଛନ୍ତି। ମୋଟ୍‌ ପାସ୍‌ହାର ୭୬.୯୮% ରହିଛି।

ରେଗୁଲାରରେ ୮୬ ହଜାର ୪୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୮ ହଜାର ୩୭୧ ଜଣ ପାସ୍‌ କରିଛନ୍ତି। ସେହିଭଳି ଏକ୍ସ-ରେଗୁଲାରରେ ୮ ହଜାର ୬୦୬ ଜଣ ପରୀକ୍ଷା ଦେଇଥିଲେ। ସେମଧ୍ୟରୁ ୪ ହଜାର ୮୪୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ରେଗୁଲାରରେ ପାସ୍‌ହାର ୭୯.୦୫% ଏବଂ ଏକ୍ସ-ରେଗୁଲାରରେ ୫୬.୨୩% ରହିଛି।

ଭୁବନେଶ୍ୱରସ୍ଥିତ ରୟାଲ୍‌ କଲେଜ ଅଫ୍‌ ସାଇନ୍ସର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ମୋଟ ୬୦୦ ନମ୍ବରରୁ ୫୭୦ ମାର୍କ ରଖି ରାଜ୍ୟରେ ଟପର୍‌ ହୋଇଛନ୍ତି। ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ରୀ ନିରଜା ପାଣିଗ୍ରାହୀ ୫୫୬ ନମ୍ବର ରଖି ଦ୍ୱିତୀୟ, ଟାଙ୍ଗୀସ୍ଥିତ ଟେଟ୍ରାହେଡ୍ରନ୍‌ ଜୁନିଅର କଲେଜର ସିଦ୍ଧାର୍ଥ ସୌରଭ ମିଶ୍ର ୫୫୫ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରତିଥର ପରି ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି।

ଉଲ୍ଲେଖନୀୟ କଥା ହେଉଛି, ଶ୍ରେଷ୍ଠ ୩ଟି ସ୍ଥାନରେ ଘରୋଇ କଲେଜର ଛାତ୍ରଛାତ୍ରୀ ରହିଛନ୍ତି। ୪ର୍ଥ ଓ ୫ମ ସ୍ଥାନକୁ ଖସି ଆସିଛନ୍ତି ସରକାରୀ କଲେଜ। ଫକୀର ମୋହନ କଲେଜ, ବିଜେବି ଓ ରେଭେନ୍ସାର ଛାତ୍ରଛାତ୍ରୀ ଏହି ସ୍ଥାନରେ ରହିଛନ୍ତି। ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିରର ୮ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୪୧ ଜଣଙ୍କ ମଧ୍ୟରେ ରହିଥିବା ବେଳେ ବିଜେବି କଲେଜର ମାତ୍ର ୩ ଜଣ ଏହି ତାଲିକାରେ ରହିବା ବୁଦ୍ଧିଜୀବୀ ମହଲଙ୍କୁ ବିସ୍ମିତ କରିଛି। କେବଳ ସେତିକି ନୁହେଁ, ରମାଦେବୀ ଜୁନିଅର, ବେସିକ୍‌ ସାଇନ୍ସ, ମହର୍ଷି, ଶୈଳବାଳା ଭଳି ପ୍ରମୁଖ କଲେଜର ଜଣେ ବି ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିପାରି ନାହାନ୍ତି। ସରକାରୀ କଲେଜ ତୁଳନାରେ ଘରୋଇ କଲେଜର ପାସ୍‌ହାର
ବହୁ ପରିମାଣରେ କମ୍‌ ରହିଛି।

୨୦୧୬ ମସିହାରେ ସିବିଏସ୍‌ଇ ପାଠ୍ୟକ୍ରମ ଢ଼ାଞ୍ଚାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଏଥର ପ୍ରଥମ ଥର ଲାଗି ପିଲା ପରୀକ୍ଷା ଦେଲେ। ତଥାପି ପାସ୍‌ହାର ଗତବର୍ଷ ତୁଳନାରେ ପ୍ରାୟ ୪% କମିଯାଇଛି। କପି ଉପରେ ରୋକ ଏବଂ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ପ୍ରବେଶ ଉପରେ ଲଗାମ ଲଗାଯିବା ପାସ୍‌ହାର କମିବାର ଆଉ ଏକ କାରଣ ବୋଲି ଅଧିକାରୀମାନେ ଦାବି କରିଛନ୍ତି।

ତେବେ ଆଉ ଗୋଟିଏ ମହଲର ଅଭିଯୋଗ ହେଉଛି, ଉତ୍ତର ଖାତା ମୂଲ୍ୟାୟନ ସମୟରେ ଅଧ୍ୟାପକମାନେ ଆନ୍ଦୋଳନ କରିଥିଲେ। ଖାତା ଦେଖି ନ ଥିଲେ। ବାହାର ଅଧ୍ୟାପକଙ୍କୁ ସାମିଲ କରାଯାଇଥିଲା। ତେଣୁ ମୂଲ୍ୟାୟନ ଠିକ୍‌ ଭାବେ ହୋଇନାହିଁ ଓ ପାସ୍‌ହାର ହ୍ରାସ ପାଇଲା। ଗତବର୍ଷ ମେ’ ୧୨ରେ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ବେଳେ ଏଥର ୭ ଦିନ ବିଳମ୍ବରେ ଫଳ ପ୍ରକାଶ ପାଇଥିବା ଜଣାପଡିଛି। ଆଶ୍ୱାସନାର ବିଷୟ ହେଉଛି, କୌଣସି ଗୋଟିଏ ବି କଲେଜ ଏଥର ‘ଶୂନ’ ରେଜଲ୍ଟ କରି ନ ଥିବା ସୂଚନା ମିଳିଛି।

ପୂର୍ବାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଫଳାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏଥିରେ ବିଭାଗୀୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦ୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ପରିଷଦ ତଥ୍ୟ ଅନୁସାରେ, ଏବର୍ଷ ୫୬ ହଜାର ୬୫୫ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେ ମଧ୍ୟରୁ ୪୨,୮୮୬ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୫.୬୯% ରହିଛି। ୧୧,୨୦୯ ଜଣ ପ୍ରଥମ, ୧୨,୯୯୭ ଜଣ ଦ୍ୱିତୀୟ ଓ ୧୮,୩୯୩ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଦେଇଥିବା ୩୮,୪୪୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୦,୩୨୫ ଜଣ ପାସ୍‌ କରିଛନ୍ତି। କମ୍ପାଟମେଣ୍ଟାଲରେ ୨୮୭ ଜଣ ଅଛନ୍ତି। ପାସ୍‌ହାର ୭୮.୮୮% ରହିଛି। ୮୩୫୨ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୧୧,୧୬୭ ଦ୍ୱିତୀୟ, ୧୦,୫୭୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। କମ୍ପାଟମେଣ୍ଟାଲ୍‌ରେ ୨୩୧ ଜଣ ଛାତ୍ରୀ ରହିଛନ୍ତି।

ପାସ୍‌ହାର ହ୍ରାସ ପାଇଥିଲେ ମଧ୍ୟ ମେଧାବୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ୨୦୧୬ରେ ବିଜ୍ଞାନରେ ୪୩ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ୨୦୧୭ରେ ତାହା ୨୭କୁ ହ୍ରାସ ପାଇଥିଲା। ଏଥର କିନ୍ତୁ ତାହା ବୃଦ୍ଧି ପାଇ ୪୧ରେ ପହଞ୍ଚିଛି। ଏହି ୪୧ ଜଣଙ୍କ ମଧ୍ୟରେ ୨୮ ଜଣ ଛାତ୍ର ଓ ୧୩ ଜଣ ଛାତ୍ରୀ ରହିଛନ୍ତି। ୧,୫୭୦ ଜଣ ପରୀକ୍ଷାର୍ଥୀ ୮୦ରୁ ୯୦% ମଧ୍ୟରେ ମାର୍କ ରଖିଛନ୍ତି। ଏଥିରେ ଛାତ୍ରଙ୍କ ସଂଖ୍ୟା ୧,୦୩୦ ଏବଂ ଛାତ୍ରୀଙ୍କ ସଂଖ୍ୟା ୫୪୦ ରହିଛି। ସେହିପରି ୭,୦୪୩ ଜଣ ଛାତ୍ରଛାତ୍ରୀ ୭୦ରୁ ୮୦% ମଧ୍ୟରେ ମାର୍କ ରଖିଛନ୍ତି। ଏଥିରେ ଛାତ୍ରଙ୍କ ସଂଖ୍ୟା ୪,୩୧୭ ଏବଂ ଛାତ୍ରୀଙ୍କ ସଂଖ୍ୟା ୨,୭୨୬ ରହିଛି।

ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବଢ଼ିଛି। ୨୦୧୭ରେ ୧୯,୦୮୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ୧୯,୫୬୧ ଜଣ ଏଥର ପାସ୍‌ କରିଛନ୍ତି। ଗତବର୍ଷ ୨୬,୩୨୨ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିଲେ। ଏଥର କିନ୍ତୁ ତାହା ହ୍ରାସ ପାଇ ୨୪,୧୬୪ରେ ପହଞ୍ଚିଛି। ତୃତୀୟ ଶ୍ରେଣୀରେ ଗତ ଥର ୨୭,୫୯୭ ଜଣ ପାସ୍‌ କରିଥିଲେ, ଏଥର ଏହା ବୃଦ୍ଧି ପାଇ ୨୮,୯୬୮ ଛୁଇଁଛି। କମ୍ପାର୍ଟମେଣ୍ଟାଲ ଦେବା ଲାଗି ୫୧୮ ଜଣ ରହିଛନ୍ତି।

ଜିଲ୍ଲାଗୁଡ଼ିକ ମଧ୍ୟରେ ନୟାଗଡ଼ ସବୁଠାରୁ ଆଗରେ ରହିଛି। ଏଠାରେ ପାସ୍‌ହାର ୯୨.୨୩% ରହିଛି। ଏହା ତଳକୁ ବାଲେଶ୍ୱର ଜିଲ୍ଲାର ପାସ୍‌ହାର ୮୯.୬୯%, ଖୋର୍ଧା ଜିଲ୍ଲାରେ ପାସ୍‌ହାର ୮୮.୧୮%, ପୁରୀ ଜିଲ୍ଲାରେ ୮୬.୪୨% ଏବଂ କଟକରେ ୮୬.୦୬% ପାସ୍‌ହାର ହୋଇଛି। ଗତବର୍ଷ ଝାରସୁଗୁଡ଼ା ଜିଲ୍ଲା ପଛରେ ରହିଥିଲା। ଏଥର କିନ୍ତୁ ଗଜପତି ଜିଲ୍ଲାର ପାସ୍‌ହାର ସବୁଠାରୁ ତଳେ ରହିଛି। ଏଠାରେ ପାସ୍‌ହାର ସର୍ବନିମ୍ନ ୪୩.୪୩% ରହିଛି। ଝାରସୁଗୁଡ଼ା ଜିଲ୍ଲାର ପାସ୍‌ହାର ୪୬.୭୭%, ନବରଙ୍ଗପୁର ଜିଲ୍ଲାରେ ୪୮.୨୬%, ଫୁଲବାଣୀରେ ୪୯.୫୭% ଓ ସୁନ୍ଦରଗଡ଼ରେ ୫୭.୦୭% ରହିଛି।

ଅନୁସୂଚିତ ଜାତି ବର୍ଗର ୧୧,୬୮୪ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୬,୯୭୩ ଜଣ ଛାତ୍ର ଓ ୪,୭୧୧ ଜଣ ଛାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୮,୧୯୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୭୦.୧୩% ରହିଛି। ୪,୮୪୯ ଜଣ ଛାତ୍ର ଏବଂ ୩,୩୪୫ ଜଣ ଛାତ୍ରୀ ପାସ୍‌ କରିଛନ୍ତି। ଗତବର୍ଷ ପାସ୍‌ହାର ୭୩.୫୮% ରହିଥିଲା। ଅନୁସୂଚିତ ଜନଜାତି ବର୍ଗରେ ପରୀକ୍ଷା ଦେଇଥିବା ୧୧,୯୩୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭,୦୧୮ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୮.୭୮% ରହିଛି। ପରୀକ୍ଷା ଦେଇଥିବା ୬,୫୩୩ ଜଣ ଛାତ୍ରଙ୍କ ମଧ୍ୟରୁ ୩,୮୨୧ ଜଣ ପାସ୍‌ କରିଛନ୍ତି। ୫,୪୦୫ ଛାତ୍ରୀଙ୍କ ମଧ୍ୟରୁ ୩,୧୯୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର