‘ଶ୍ରେଷ୍ଠ ଶହେ’ରେ ଓଡ଼ିଶାରୁ ୪

ପ୍ରକାଶ ପାଇଲା ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା

ଭୁବନେଶ୍ୱର: କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ‘ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‍୍ୟାଙ୍କିଙ୍ଗ୍‌ ଫ୍ରେମଓ୍ଵାର୍କ(ଏନ୍‌ଆଇଆରଏଫ୍‌) ପକ୍ଷରୁ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ହୋଇଥିବା ସର୍ଭେର ବାର୍ଷିକ ର‍୍ୟାଙ୍କିଙ୍ଗ୍‌ ତାଲିକା ଆଜି ପ୍ରକାଶ ପାଇଛି। ମୋଟ୍‌ ୯ଟି ବିଭାଗରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ସାମଗ୍ରିକ ସଫଳତାକୁ ନେଇ କରାଯାଇଥିବା ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ସେହିପରି ‘ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ’ ତାଲିକାରେ ଓଡ଼ିଶାରୁ ୩ଟି ବିଶ୍ୱବିଦ୍ୟାଳୟ ରହିଛନ୍ତି। ଇଞ୍ଜିନିୟରିଂ ବିଭାଗରେ ରାଜ୍ୟର ୪ଟି ଶିକ୍ଷାନୁଷ୍ଠାନ ଥିଲା ବେଳେ ମ୍ୟାନେଜ୍‌ମେଣ୍ଟ୍‌ ଓ ମେଡିକାଲ ବିଭାଗରେ ଓଡ଼ିଶାର ଦୁଇଟି ଲେଖାଏଁ ଶିକ୍ଷାନୁଷ୍ଠାନ ରହିଛନ୍ତି। କିନ୍ତୁ ସାଧାରଣ କଲେଜ, ଫାର୍ମାସି, ଆର୍କିଟେକଚର, ଲ’ ବିଭାଗରେ ର‍୍ୟାଙ୍କିଙ୍ଗ୍‌ କରାଯାଇଥିଲେ ବି ଓଡ଼ିଶାରୁ କୌଣସି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇନାହାନ୍ତି। ତେବେ ୯ଟି ଯାକ ବିଭାଗ ମଧ୍ୟରୁ କେବଳ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ଥାନ ପାଇବାରେ ସକ୍ଷମ ହୋଇଛି। ଆଉ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ମଧ୍ୟକୁ ଆସିପାରି ନାହାନ୍ତି। ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ୪୯.୫୯ ମାର୍କ ରଖି ଦେଶରେ ୩୮ ତମ ସ୍ଥାନରେ ଥିଲା ବେଳେ ରାଜ୍ୟରେ ଏକ ନମ୍ବର ସ୍ଥାନ ହାସଲ କରିଛି। ରାଉରକେଲାସ୍ଥିତ ଏନ୍‌ଆଇଟି ଦେଶରେ ୪୨ତମ, ଆଇଆଇଟି ଭୁବନେଶ୍ୱର ୫୧ତମ, କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ୬୫ତମ ସ୍ଥାନରେ ରହିଛି। ଏହି ତାଲିକାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ୧୩୭ତମ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୧୪୭ତମ ସ୍ଥାନରେ ରହିଛି। ଗତବର୍ଷ ସୋଆ ୩୩ ନମ୍ବର ସ୍ଥାନରେ ଥିଲା ବେଳେ ଏନ୍‌ଆଇଟି ୪୬, ଆଇଆଇଟି ୬୬ ଓ କିଟ୍‌ ୭୯ତମ ସ୍ଥାନରେ ରହିଥିଲେ।

ଆଗରେ ସୋଆ, ପରେ ଏନ୍‌ଆଇଟି, ଆଇଆଇଟି, କିଟ୍‌
ନିରାଶ କଲେ ସରକାରୀ ଶିକ୍ଷାନୁଷ୍ଠାନ
‘ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ’ରେ ସୋଆ, କିଟ୍‌, ଓୟୁଏଟି
ଆଇଆଇଏସ୍‌ ବେଙ୍ଗାଲୁରୁ ଦେଶରେ ଶ୍ରେଷ୍ଠ

ଏହି ତାଲିକାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଇଆଇଟି ମାଡ୍ରାସ, ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ, ୪ର୍ଥରେ ଆଇଆଇଟି ଦିଲ୍ଲୀ, ୫ମରେ ଆଇଆଇଟି ଖଡ଼ଗପୁର, ୬ଷ୍ଠରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ୭ମରେ ଆଇଆଇଟି କାନପୁର, ୮ମରେ ଆଇଆଇଟି ରୁର୍‌କି, ୯ମରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ୧୦ରେ ଆନ୍ନା ବିଶ୍ୱବିଦ୍ୟାଳୟ ରହିଛି। ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ୬ଟି ଆଇଆଇଟି ସ୍ଥାନ ପାଇଛି। କେବଳ ବିଶ୍ୱବିଦ୍ୟାଳୟକୁ ନେଇ ପ୍ରସ୍ତୁତ କରାଯାଇଥିବା ‘ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ’ ତାଲିକାରେ ଓଡ଼ିଶାରୁ ସୋଆ ବିଶ୍ୱବିଦ୍ୟାଳୟ ୨୪ତମ ସ୍ଥାନରେ ଥିବାବେଳେ କିଟ୍‌ ୪୨ତମ ସ୍ଥାନରେ ରହିଛି। ଓୟୁଏଟି ୯୧ତମ ସ୍ଥାନ ହାସଲ କରିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଏଥର ବି ଶ୍ରେଷ୍ଠ ଶହେ ଭିତରେ ଆସିପାରି ନାହିଁ। ନାକ୍‌ ‘ଏ+’ ଗ୍ରେଡ୍‌ ପାଇଥିଲେ ମଧ୍ୟ ଶ୍ରେଷ୍ଠ ଶହେରେ ସ୍ଥାନ ନ ପାଇ ଓଡ଼ିଶାକୁ ନିରାଶ କରିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ୧୪୬ତମ ସ୍ଥାନରେ ଥିବା ବେଳେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ୧୬୭, ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧୮୭, ଭିଏସ୍‌ଏସ୍‌ୟୁଟି ବୁର୍ଲା ୧୯୮ ଓ ଜାଭିଅର ବିଶ୍ୱବିଦ୍ୟାଳୟ ୧୯୯ତମ ସ୍ଥାନରେ ରହି ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ବିଭାଗରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁର ପ୍ରଥମ, ଜେଏନ୍‌ୟୁ ଦ୍ୱିତୀୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ତୃତୀୟରେ ରହିଛି।

ଇଞ୍ଜିନିୟରିଂ ବିଭାଗର ‘ଶ୍ରେଷ୍ଠ ଶହେ’ରେ ଓଡ଼ିଶାରୁ ଚାରିଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ଏନ୍‌ଆଇଟି ରାଉରକେଲା ୧୫ତମ ସ୍ଥାନରେ ଥିବା ବେଳେ ଆଇଆଇଟି ଭୁବନେଶ୍ୱର ୧୮ତମ, କିଟ୍‌ ୫୧ତମ ଓ ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂ ୮୯ତମ ସ୍ଥାନରେ ଅଛି। ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜିକାଲ ଆଡଭାନ୍ସଡ୍‌ ୧୧୧ତମ ଓ ଭିଏସ୍‌ଏସ୍‌ୟୁଟି ବୁର୍ଲା ୧୪୬ତମ ସ୍ଥାନରେ ରହିଛନ୍ତି। ଏହି ବିଭାଗରେ ଆଇଆଇଟି ମାଡ୍ରାସ ପ୍ରଥମ, ଆଇଆଇଟି ବମ୍ବେ ଦ୍ୱିତୀୟ, ଆଇଆଇଟି ଦିଲ୍ଲୀ ୩ୟ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟ ବିଭାଗରେ କିଟ୍‌ ୩୦ତମ ସ୍ଥାନରେ ଥିବା ବେଳେ ଜାଭିୟର ବିଶ୍ୱବିଦ୍ୟାଳୟ ୩୬ତମ ସ୍ଥାନରେ ରହିଛି। ଏହି ଶ୍ରେଣୀରେ ଆଇଆଇଏମ୍‌ ଅହମ୍ମଦାବାଦ ପ୍ରଥମ, ଆଇଆଇଏମ୍‌ ବେଙ୍ଗାଲୁର ଦ୍ୱିତୀୟ, ଆଇଆଇଏମ୍‌ କୋଲକତା ତୃତୀୟ ସ୍ଥାନରେ ଅଛନ୍ତି। ମେଡିକାଲ ବିଭାଗରେ ସୋଆ ୧୯ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୨୦ତମ ସ୍ଥାନରେ ରହିଛି। ଏହି ବିଭାଗରେ ଏମ୍‌ସ ଦିଲ୍ଲୀ ପ୍ରଥମ, ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ଚଣ୍ଡିଗଡ଼ ଦ୍ୱିତୀୟ, ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜ, ଭେଲୋର ତୃତୀୟ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ଯେ ଏନ୍‌ଆଇଆର୍‌ଏଫ୍‌ ପକ୍ଷରୁ ହୋଇଥିବା ଏହି ସର୍ଭେରେ ଏଥର ୪ ହଜାର ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ‘ଟିଚିଂ, ଲର୍ନିଂ ଆଣ୍ଡ୍‌ ରିସୋର୍ସ’, ‘ରିସର୍ଚ ଆଣ୍ଡ୍‌ ପ୍ରଫେସ୍‌ନାଲ୍‌ ପ୍ରାକ୍ଟିସେସ୍‌’, ‘ଗ୍ରାଜୁଏସନ୍‌ ଆଉଟ୍‌କମ୍‌’, ‘ଆଉଟ୍‌ରିଚ୍‌ ଆଣ୍ଡ୍‌ ଇନ୍‌କ୍ଲୁସିଭିଟି’ ଏବଂ ‘ପର୍‌ସେପ୍‌ସନ୍‌’ ଆଦିକୁ ନେଇ ମାର୍କିଂ କରାଯାଇଥିଲା।

ସମ୍ବନ୍ଧିତ ଖବର