‘ସମବାୟ’କୁ ‘ଦୁର୍ନୀତି ବିଭାଗ’ କହିଲେ ବିରୋଧୀ

ଓଡ଼ିଶାର ୬୦% ଚାଷୀଙ୍କୁ ଋଣ, ଦେଶରେ ୧୬%: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋ-ଅପରେସନ(ସମବାୟ) ବିଭାଗ କରପ୍‌ସନ୍‌ ବା ଦୁର୍ନୀତି ବିଭାଗ। ମୂଳରୁ ଅଗ ଯାଏ ବିଭାଗର ଅଧିକାଂଶ କର୍ମଚାରୀ ଦୁର୍ନୀତିଗ୍ରସ୍ତ। କେନ୍ଦ୍ରାପଡ଼ାରେ ମାର୍କଫେଡ୍‌ ଧାନକିଣା ଦୁର୍ନୀତି ହେଉ ବା କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ, ସବୁଆଡ଼େ ମାଳ ମାଳ ଦୁର୍ନୀତି। ବିଜେଡିର ଦଳୀୟ ନେତା ଡା. ଦାମୋଦର ରାଉତ ବି ସମବାୟ ବିଭାଗ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତିି। ସରକାର ଏହା ଉପରେ କି ଜବାବ ଦେବେ?

ଆଜି ଗୃହରେ ସମବାୟ ବିଭାଗର ଅତିରିକ୍ତ ଖର୍ଚଦାବି ଉପରେ ଆଲୋଚନା ଅବସରରେ ଦୁର୍ନୀତିର ଏଭଳି ଲମ୍ବା ତାଲିକା ଉପସ୍ଥାପନ କରିଥିଲେ ବିରୋଧୀ। ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ ଦେଶରେ ହାରାହାରି ୧୬ ପ୍ରତିଶତ ଚାଷୀଙ୍କୁ ସମବାୟ ଜରିଆରେ ଋଣ ମିଳୁଥିବା ବେଳେ ଓଡ଼ିଶାର ୬୦ ପ୍ରତିଶତ ଚାଷୀ ଋଣ ପାଇପାରୁଛନ୍ତିି। ବିଜେଡି କ୍ଷମତାସୀନ ହେବା ପୂର୍ବରୁ ପ୍ରାୟ ୫୦୦ କୋଟିର ଋଣ ଚାଷୀଙ୍କୁ ମିଳୁଥିଲା। ବର୍ତମାନ ଏହା ୧୬ ହଜାର କୋଟିକୁ ବୃଦ୍ଧି ପାଇଛି। ଚାଷୀଙ୍କୁ ଋଣ ନ ମିଳିଲେ, ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇ ଚାଷ କରିବା ସମ୍ଭବପର ନୁହେଁ ବୋଲି ସେ କହିଥିଲେ। ଆଲୋଚନା ଶେଷରେ ସମବାୟ ବିଭାଗର ମୋଟ ୩୪୨ କୋଟି ୩୦ ଲକ୍ଷ ୬୩ ହଜାର ଟଙ୍କାର ଅତିରିକ୍ତ ଖର୍ଚଦାବି ପାରିତ ହୋଇଥିଲା।

ବଲାଙ୍ଗୀର ଚିନି କଳ ପାଇଁ ତିନିଥର ଟେଣ୍ଡର, କେହି ଆସୁନାହାନ୍ତି
ଏଣିକି ମୁଣ୍ଡପିଛା ୩ କ୍ୱିଣ୍ଟାଲ୍‌ ଧାନ କଟାଯିବ ନାହିଁ
୩୪୨.୩୦ କୋଟିର ଖର୍ଚଦାବି ପାରିତ

ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଅଧିକାଂଶ ଚାଷୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯାଉଥିବାରୁ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଏଣିକି ଜଳସେଚିତ ଓ ଅଣଜଳସେଚିତ ଜମିରୁ ହେକ୍ଟର ପିଛା ୩ କ୍ୱିଣ୍ଟାଲ୍‌ ଧାନ କଟାଯିବନାହିଁ। ବିଜୟାନନ୍ଦ ଚିନି କଳ ପାଇଁ ତିନିଥର ଟେଣ୍ଡର ଡକାଗଲାଣି। କିନ୍ତୁ କେହି ଏହି ଚିନି କଳ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧୬.୫୨ ଲକ୍ଷ ରୂପେ କାର୍ଡ ବଣ୍ଟନ କରାଯାଇଛି। ଦୁଇଦିନ ଭିତରେ ଏଗୁଡ଼ିକ କିପରି କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଆଲୋଚନା କରି ପଦକ୍ଷେପ ନିଆଯିବ। ଭୂମିହୀନ ଭାଗଚାଷୀଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ଯୁଗ୍ମ ଦେୟ ଗୋଷ୍ଠୀ(ଜେଏଲ୍‌ଜି)ରେ ପରିଣତ କରାଯାଇ ସେମାନଙ୍କୁ ଋଣପ୍ରଦାନ ସୁବିଧା ଦିଆଯାଉଛି। ବର୍ତମାନ ସୁଦ୍ଧା ୨୯୬୩୨ଟି ଜେଏଲ୍‌ଜିଙ୍କୁ ୧୮୨.୨୭ କୋଟିର ଋଣ ଦିଆଯାଇଛି। ଏହାଛଡ଼ା, ବିହନ, ସାର ଯୋଗାଣ ଓ ଅନ୍ୟାନ୍ୟ ପଦକ୍ଷେପ ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ। ଖର୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶିଳ୍ପବିହୀନ ବଲାଙ୍ଗୀର ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ବିଜୟାନନ୍ଦ ଚିନିକଳ ଶିଳ୍ପ ଅଚଳ ହୋଇପଡ଼ିଥିବା କହିଥିଲେ। ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାରୀ ଆଶ୍ୱାସନା ମିଳିଛି, କିନ୍ତୁ ତାହା କାଗଜକଲମରେ। ଏହି ଚିନିକଳ ଚାଲିବ କି ନାହିଁ ସେ କଥା ଗୃହକୁ ଅବଗତ କରିବାକୁ ସେ ମନ୍ତ୍ରୀଙ୍କୁ ପଚାରିଥିଲେ। ରାଜ୍ୟରେ ଫସଲବୀମା ଯୋଜନାରେ ଫସଲକଟା ଆକଳନ ତ୍ରୁଟିପୂର୍ଣ୍ଣ। ଫଳରେ ବହୁସଂଖ୍ୟକ ଚାଷଜମିରେ ଫସଲ ନଷ୍ଟ ହୋଇଥିଲେ ବି ସେଥିପାଇଁ ଚାଷୀମାନେ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ। ରାଜ୍ୟରେ ଧାନ ସଂଗ୍ରହ ବଡ଼ ସ୍କାମରେ ପରିଣତ ହୋଇଛି। ମିଲ୍‌ ମାଲିକ ଓ ଅଧିକାରୀଙ୍କ ମଧ୍ୟରେ ସଂପର୍କ ଯୋଗୁଁ ଚାଷୀଙ୍କଠାରୁ ଲୁଟ୍‌ ହେଉଛି। ହାଇକୋର୍ଟ ଧାନ ସଂଗ୍ରହରେ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ)କୁ ଅଂଶଗ୍ରହଣ କରିବାକୁ ଆଦେଶ ଦେଇଛନ୍ତିି। କିନ୍ତୁ ରାଜ୍ୟ ସରକାରଙ୍କ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଅଧିକାଂଶ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ନିକଟରେ ଧାନର ଗୁଣାତ୍ମକ ମାନ ଚିହ୍ନଟ(ଏଫ୍‌ଏକ୍ୟୁ) ପାଇଁ ଯନ୍ତ୍ର ନାହିଁ। ସେ ପଟେ ଦେଖିଲେ, ସମବାୟ ବିଭାଗ ଚାଷୀଙ୍କୁ ଦେଇଥିବା ‘ରୂପେ’ କାର୍ଡ ଯୋଗେ ଟଙ୍କା ଉଠାଇ ହେଉନାହିଁ। ଡା. ରାଉତଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇ ସେହି ଦୁର୍ନୀତିର ତଦନ୍ତ କରିବାକୁ ମନ୍ତ୍ରୀଙ୍କର ସତ୍‌ସାହାସ ଅଛି କି ବୋଲି ଶ୍ରୀ ମିଶ୍ର ପଚାରିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ କହିଲେ ଯେ ଚାଷୀ ଆତ୍ମହତ୍ୟା କରୁଥିବା ନେଇ ଶାସକ ଦଳ ବିଧାୟକ କହିଥିବା ବେଳେ ସରକାର ଏହାକୁ ମାନୁନାହାନ୍ତି। ଏ ନେଇ ସ୍ପଷ୍ଟ ଉତ୍ତର ରଖିବାକୁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବିରୋଧୀ କଂଗ୍ରେସ ବିଧାୟକ ଡା. ପ୍ରଫୁଲ ମାଝୀ, ଅଂଶୁମାନ ମହାନ୍ତି ଓ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିଥିଲେ। ଚାଷୀଙ୍କୁ ଋଣ ପ୍ରଦାନ ସରକାରଙ୍କ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଥିଲେ ଶାସକ ଦଳ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୋଗେନ୍ଦ୍ର ବେହେରା, ଆୟୁବ ଖାଁ, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ।

ସମ୍ବନ୍ଧିତ ଖବର