କର୍ମକ୍ଷେତ୍ରରେ ମାଫିଆଙ୍କଠାରୁ ସୁରକ୍ଷା ଦିଅ

ଓଡ଼ିଶା ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ

ଚନ୍ଦ୍ରଶେଖରପୁର : ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରୀ କରୁଛୁ ଆମେ। ତୃଣମୂଳସ୍ତରରେ ଜନସାଧାରଣଙ୍କ ରୋଷ ଓ ଶୀର୍ଷ ସ୍ତରରେ ବଡ଼ବଡ଼ିଆ ଅଧିକାରୀଙ୍କ ନାଲିଆଖିର ଶିକାର ହେଉଛୁ। କେଉଁଠି କାମ ହୋଇ ନ ପାରିଲେ ସବୁ ଦୋଷ ଆମେ ମୁଣ୍ଡାଉଛୁ। କିନ୍ତୁ ଆମ ଜୀବନ ସୁରକ୍ଷିତ ନୁହେଁ। କେଉଁଠି ବାଲି ମାଫିଆ ତ’ ଆଉ କେଉଁଠି ପଥର ମାଫିଆଙ୍କ ଆକ୍ରମଣର ଶିକାର ହେଉଛୁ। ଓଡ଼ିଶା ପ୍ରଶାସନିକ ସେବାସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନର ଉଦ୍‌ଘାଟନୀ ସମାରୋହରେ ଏହିଭଳି ଢଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଓଏଏସ୍‌ ଅଫିସର୍‌ମାନେ। ସିଧାସଳଖ ସରକାରଙ୍କୁ ଜଣାଇଛନ୍ତି, କର୍ମକ୍ଷେତ୍ରରେ ମାଫିଆମାନଙ୍କ ଠାରୁ ସୁରକ୍ଷା ଦେବାକୁ ପଦକ୍ଷେପ ନିଅ।

କର୍ମକ୍ଷେତ୍ରରେ ସାମ୍ନା କରୁଥିବା ସମସ୍ୟା ନେଇ ସଂଘ ପକ୍ଷରୁ ଆହୁରି କୁହାଯାଉଛି, ସଚିବାଳୟକୁ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ ସୁଦ୍ଧା ଭିତରକୁ ପଶିବାକୁ ହେଲେ ଆଣ୍ଠୁଭାଙ୍ଗି ଛିଡ଼ା ହେବାକୁ ପଡ଼ୁଛି। ପଦୋନ୍ନତି ବେଳେ ମଧ୍ୟ ପକ୍ଷପାତିତା କରାଯାଉଛି। ରାଜ୍ୟ ସରକାର ସମସ୍ତ ପ୍ରଶାସନିକ କାର୍ଯ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚିତ ଓଏଏସ୍‌ ଅଧିକାରୀଙ୍କ ଦାବି ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଉଚିତ। ପ୍ରଶାସନିକ କାର୍ଯ୍ୟରେ ଆଇଏଏସ୍‌ମାନଙ୍କ ଭଳି ଓଏଏସ୍‌ ଅଧିକାରୀମାନେ ମଧ୍ୟ ଯଥେଷ୍ଟ ଅଧିକ ଅବଦାନ ରଖୁଛନ୍ତି। ତେଣୁ ସେମାନଙ୍କୁ ଅବହେଳା କରାଯିବା ଆଦୌ ଗ୍ରହଣୀୟ ନୁହେଁ।

ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ ସଭା କକ୍ଷରେ ଦୁଇ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଦିବସରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ କହିଥିଲେ, ସମସ୍ତ ସରକାରୀ ଜନମଙ୍ଗଳ କାର୍ଯ୍ୟର ସଫଳ ରୂପାୟନରେ ଓଏଏସ୍‌ ଅଧିକାରୀଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଲୁଟ୍‌ ବେଧଡ଼କ ଢଙ୍ଗରେ ଚାଲିଛି। ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଓଏଏସ୍‌ ଅଧିକାରୀଙ୍କୁ ସୁରକ୍ଷା ତଥା ଲଘୁ ଖଣିଜ ପଦାର୍ଥ ଚୋରି ରୋକିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ସମ୍ବେଦନଶୀଳ ତହସିଲ୍‌ରେ ଓଆଇଏସ୍‌ଏଫ୍‌ ଯବାନଙ୍କୁ କାର୍ଯ୍ୟରେ ଲଗାଯାଇଛି। ସେହିପରି ଓଏଏସ୍‌ ଅଧିକାରୀମାନେ ଉପସଚିବଙ୍କଠାରୁ ଆରମ୍ଭ କରି ଅତିରିକ୍ତ ସଚିବ ପାହ୍ୟା ପର୍ଯ୍ୟନ୍ତ ପଦୋନ୍ନତି ପାଇବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିସାରିଛନ୍ତି।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓଏଏସ୍‌ ଅଧିକାରୀମାନଙ୍କୁ ରାଜ୍ୟ ପ୍ରଶାସନିକ କାର୍ଯ୍ୟର ମେରୁଦଣ୍ଡ ଭାବରେ ଅଭିହିତ କରିଥିଲେ। ସରକାରଙ୍କ ଭାବମୂର୍ତି ରକ୍ଷା କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି। ବର୍ତ୍ତମାନ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୧୭୧୧ ଓଏଏସ୍‌ ପଦରୁ ୯୩ ତହସିଲଦାର ଓ ୩୦ ବିଡିଓ ପଦ ଖାଲି ଥିବା ମନ୍ତ୍ରୀ କହିଥିଲେ। ଏଦିଗରେ ରାଜସ୍ୱ ମନ୍ତ୍ରୀ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାରଥୀ ପ୍ରକାଶ କରିଥିଲେ।

ସଂଘର ସଭାପତି ସରୋଜ କୁମାର ସାମଲ ଓଏଏସ୍‌ ଅଧିକାରୀମାନେ ନିଜକୁ ତର୍ଜମା କରିବା ସହିତ ରାଜ୍ୟ ସ୍ୱାର୍ଥକୁ ଅଗ୍ରାଧିକାର ଦେବାକୁ କହିଥିଲେ। ଏହା ସହିତ କ୍ୟାଡ଼ର ପୁର୍ନଗଠନ ହୋଇଥିଲେ ମଧ୍ୟ ଆହୁରି ଅନେକ ଦାବିକୁ ରାଜ୍ୟ ସରକାର ବିଚାର କରିବାକୁ ସେ ଦାବି କରିଥିଲେ। ସଂଘର ସମ୍ପାଦକ ଜ୍ୟୋତିରଞ୍ଜନ ମିଶ୍ର ଓଏଏସ୍‌ ଅଧିକାରୀଙ୍କ ବିଦେଶ ତାଲିମକୁ ପୁନଶ୍ଚ କାର୍ଯ୍ୟକାରୀ କରାଇବା, ପିକ୍‌ ଏଣ୍ଡ ଚୁଜ୍‌ ଉପାୟରେ ଆଇଏଏସ୍‌ ର‍୍ୟାଙ୍କ୍‌କୁ ହେଉଥିବା ପଦୋନ୍ନତିକୁ ବନ୍ଦ କରିବା, ଟାଇମ୍‌ ସ୍କେଲ୍‌ର କାର୍ଯ୍ୟକାରିତା ଓ ପଦୋନ୍ନତି, ସମସ୍ତ ଓଏଏସ୍‌ ଅଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ ଓ ଏକ ସାର୍ବଜନୀନ ବଦଳି ନୀତି ଭଳି ପାଞ୍ଚଟି ଦାବି ଉପରେ ରାଜ୍ୟ ସରକାର ବିଚାର କରିବାକୁ ଗୁରୁତ୍ୱ ଦେଇଥିଲେ। ଶେଷରେ ଉପସଭାପତି ଉଦ୍ଧବ ମାଝୀ ଧନ୍ୟବାଦ ଦେଇଥିଲେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏହି ଅଧିକାରୀମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସରୋଜ ସାମଲ ପୁନଃ ସଭାପତି ନିର୍ବାଚିତ

ଆଜି ଓଡ଼ିଶା ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଅବସରରେ ସଂଘର ବିଭିନ୍ନ ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବର୍ତମାନର ସଭାପତି ସରୋଜ କୁମାର ସାମଲ ପୁଣି ଥରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ସାମଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱଜିତ ଦାସଙ୍କୁ ପ୍ରାୟ ୩୫୦ ଖଣ୍ଡ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ସେହିପରି ବର୍ତ୍ତମାନ ସଂପାଦକ ଥିବା ଜ୍ୟୋତି ରଞ୍ଜନ ମିଶ୍ର ମଧ୍ୟ ପୁଣି ଥରେ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବରେ ବିଜୟ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ୫ଜଣ ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର