ସ୍ୟାଟ୍‌ ଭବିଷ୍ୟତ ପ୍ରସଂଗ: ଆଡ୍‌-ହକ୍ ସଦସ୍ୟ ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,: ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌)ରେ ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପ୍ରସ˚ଗରେ ୪ ସପ୍ତାହ ଭିତରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକେର୍ଟ ନ‌ିର୍ଦ୍ଦେଶ ଦେଇଛନ୍ତି। ଖାଲି ପଡିଥିବା ପଦବିରେ ଆଡ୍‌-ହକ୍ ନିଯୁକ୍ତିି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୟାଟ୍ ଉଚ୍ଛେଦ ପ୍ରସଂଗରେ ଏ ପର୍ଯ୍ୟନ୍ତ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇ ନଥିବା ବେଳେ ଅସ୍ଥାୟୀ ଭାବେ ବର୍ଷକ ପାଇଁ ଖାଲି ପଡିଥିବା ବିଚାରବିଭାଗୀୟ ଓ ପ୍ରଶାସନିକ ସଦସ୍ୟ ପଦବିରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆ‌ଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଫେବ୍ରୁଆରି ୧୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସ୍ୟାଟ୍‌ ବାର‌୍‌ ଆସୋସିଏସନ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ମାନସ ରଂଜନ ମହାପାତ୍ର, ଆଇନଜୀବୀ ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା, ରବି ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ୨୦୧୪, ଫେବ୍ରୁଆରି ୧୮ରେ ଟ୍ରିବୁନାଲରେ ଅଧୢକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସ˚ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧୢକ୍ଷ ପଦ ସହିତ ବହୁ ସଦସ୍ୟ ପଦ ଖାଲି ପଡିଛି। ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧୢକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏପରି ନିଷ୍ପତ୍ତି ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ୟାଟ୍‌ ପ୍ରତି ସରକାରୀ ଅବହେଳା ବଢିଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର