ମହାନଦୀ ଅବବାହିକା ବନ୍ଧ ନିରାପତ୍ତା ଉପସମିତିର ବୈଠକ : ହୀରାକୁଦ ସୁରକ୍ଷା ଉପରେ ଗୁରୁତ୍ୱ, ଏଡ଼ାଇଗଲେ ବିବାଦୀୟ ପ୍ରସଂଗ

ସମ୍ବଲପୁର : ପାଣି ଛାଡ଼ିବାର ୭୨ ଘଣ୍ଟା ପୂର୍ବରୁ ଛତିଶଗଡ଼ ଓଡ଼ିଶାକୁ ସୂଚନା ଦେବ। ହଠାତ୍‌ ଯେମିତି ଅଧିକ ପାଣି ମାଡ଼ି ନ ଆସିବ ସେଥିପାଇଁ ଉଭୟ ରାଜ୍ୟ ଯତ୍ନବାନ ହେବେ। ମହାନଦୀ ଅବବାହିକାରେ ଥିବା ସମସ୍ତ ବନ୍ଧ ଗୁଡ଼ିକର ସୁରକ୍ଷା ପାଇଁ ଦୁଇ ରାଜ୍ୟର ବନ୍ଧ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରତିବଦ୍ଧ ରହିବେ। ଏଠାରେ ଅନୁଷ୍ଠିତ ଦଶମ ଜାତୀୟ ବନ୍ଧ ନିରାପତ୍ତା କମିଟି, ମହାନଦୀ ଅବବାହିକା ଉପସମିତି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ, ଏହି ଆଲୋଚନାରେ କୌଣସି ନୂତନତ୍ୱ ନଥିବା ପ୍ରତିକ୍ରିୟାରୁ ଜଣାପଡ଼ିଛି।

୧୫ ମାସ ବ୍ୟବଧାନ ପରେ ଆଜି ବୁର୍ଲା ଅଶୋକ ନିବାସଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହାନଦୀ ଅବବାହିକାରେ ଥିବା ବନ୍ଧ ଗୁଡ଼ିକର ନିରାପତ୍ତା ସଂପର୍କରେ ଆଲୋଚନା ହୋଇଥିଲା। ଛତିଶଗଡ଼ର ବନ୍ଧ ଗୁଡ଼ିକ ଉପର ମୁଣ୍ଡରେ ଥିବାରୁ ସେଗୁଡ଼ିକର ନିରାପତ୍ତାରେ ଓଡ଼ିଶାର ବିଶେଷ ଭୂମିକା ନାହିଁ। କିନ୍ତୁ ଓଡ଼ିଶାର ମୁଖ୍ୟତଃ ହୀରାକୁଦ ବନ୍ଧର ସୁରକ୍ଷାକୁ ଏହି ବୈଠକରେ ଗୁରୁତ୍ୱ ଦିଆ ଯାଇଥିଲା। ପ୍ରବଳ ବର୍ଷା ଓ ପ୍ରଚୁର ଜଳ ମାଡ଼ି ଆସିବା ସ୍ଥିତିରେ ୬୦ ବର୍ଷରୁ ଅଧିକ ପୁରୁଣା ଏହି ବିଶାଳ ବନ୍ଧକୁ କିପରି ସୁରକ୍ଷିତ କରାଯାଇ ପାରିବ ସେ ସଂପର୍କରେ ଛତିଶଗଡ଼ର ସହଯୋଗ ଲୋଡ଼ିଥିଲା ଓଡ଼ିଶା। ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବ ନିର୍ଧାରିତ ଏଜେଣ୍ଡା ଉପରେ ଆଲୋଚନା ହୋଇଥିବା ଅଧିକାରୀମାନେ ଗଣମାଧ୍ୟମକୁ କହିଥିଲେ ବି ଏଥିରେ ଥିବା ଉଭୟ ରାଜ୍ୟର ବନ୍ଧ ଗୁଡ଼ିକର ଇଣ୍ଟିଗ୍ରେଟେଡ୍‌ ମାଷ୍ଟର ପ୍ଲାନ୍‌ ବିନିମୟ ଉପରେ ନିରବ ରହିଥିଲେ।

ଅପରପକ୍ଷେ, ଅପର ମହାନଦୀ ବେସିନ୍‌ର ଏଲ୍‌ୟୁଏଲ୍‌ସି ମ୍ୟାପ୍‌ ପ୍ରସ୍ତୁତି, କର୍ଭ ରୁଲ୍‌ର ବିନିମୟ, ହୀରାକୁଦ ଉପର ମୁଣ୍ଡରେ ଥିବା ବୃହତ ଓ ମଧ୍ୟମ ଡ୍ୟାମ୍‌ ତଥା ଜଳଭଣ୍ଡାର ଗୁଡ଼ିକର ପରିଚାଳନା ବ୍ୟବସ୍ଥା (ଏସ୍‌ଓପି) ଓ ସ୍ୱାସ୍ଥ୍ୟବସ୍ଥା, ଛତିଶଗଡ଼ର ଦୁଇ ପ୍ରମୁଖ ବନ୍ଧ ରବିଶଂକର ଓ ବଙ୍ଗୋ ଡ୍ୟାମ୍‌ର ଇଏପି (ଏମର୍ଜେନ୍‌ସି ଆକ୍‌ସନ ପ୍ଲାନ) ଓଡ଼ିଶାକୁ ପ୍ରଦାନ ଆଦି ବିଷୟରେ ଆଲୋଚନା ହୋଇଥିଲା। ସେହିପରି ଛତିଶଗଡ଼ର ପ୍ରମୁଖ ଡ୍ୟାମ୍‌ ଗୁଡ଼ିକର ଡ୍ୟାମ୍‌ ବ୍ରେକ୍‌ ବିଶ୍ଲେଷଣ, ପ୍ରମୁଖ ବନ୍ଧ ଗୁଡ଼ିକର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନ, ଉପର ଓ ତଳ ମୁଣ୍ଡରେ ବୃଷ୍ଟିପାତ ସଂପର୍କରେ ଓଡ଼ିଶାକୁ ତଥ୍ୟ ପ୍ରଦାନ, ବନ୍ୟା ସଂପର୍କିତ ସୂଚନା ଆଦାନ ପ୍ରଦାନ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆହୁରି ମଧ୍ୟ, ଉଭୟ ରାଜ୍ୟ ଦ୍ୱାରା ସୂଚନା ଆଦାନ ପ୍ରଦାନ ନିମନ୍ତେ ସାଟେଲାଇଟ୍‌ ଫୋନ୍‌ ସ୍ଥାପନ, ହୀରାକୁଦ ଜଳଭଣ୍ଡାର ପଟୁ ମାଟିରେ ପୋତି ହେଉଥିବାରୁ ଉପର ମୁଣ୍ଡରେ ମୃତ୍ତିକା ସଂରକ୍ଷଣର ଉପାୟ ଆଦି ସଂପର୍କରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ।

ଅନ୍ୟପକ୍ଷରେ, ବର୍ତ୍ତମାନ ସମୟର ସବୁଠୁ ଚର୍ଚ୍ଚିତ ଓ ବିବାଦୀୟ ପ୍ରସଂଗ ଅଣମୌସୁମୀ ସମୟରେ ଛତିଶଗଡ଼ ଦ୍ୱାରା ମହାନଦୀ ଜଳ ନିୟନ୍ତ୍ରଣ ଉପରେ ଉଭୟ ରାଜ୍ୟର ଅଧିକାରୀମାନେ କିଛି ବି କହି ନଥିଲେ। ଛତିଶଗଡ଼ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ମହାନଦୀ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ଏସ୍‌ଭି ଭାଗବତ ଏ ସଂପର୍କରେ ମୁହଁ ଖୋଲି ନଥିଲାବେଳେ ଓଡ଼ିଶାର ଅଧିକାରୀମାନେ ଏନେଇ କିଛି ଆଲୋଚନା ହୋଇ ନଥିବା କହିଥିଲେ। ମୁଖ୍ୟତଃ ହୀରାକୁଦର ସୁରକ୍ଷା ଉପରେ ଆଲୋଚନା ସୀମିତ ଥିବା ସେମାନେ ବାରମ୍ବାର ଦୋହରାଇଥିଲେ।

ବୈଠକରେ ଶ୍ରୀ ଭାଗବତଙ୍କ ନେତୃତ୍ୱରେ ଛତିଶଗଡ଼ ତରଫରୁ ବଙ୍ଗୋ କୋର୍‌ବାର ଅଧୀକ୍ଷଣ ଯନ୍ତ୍ରୀ ଏଲ୍‌ଏସ୍‌ ଚନ୍ଦ୍ରକର, ଏମ୍‌ଆର୍‌ପି ରାୟପୁରର ଅଧୀକ୍ଷଣ ଯନ୍ତ୍ରୀ କେଏସ୍‌ ଧ୍ରୁବ୍‌ଙ୍କ ସମେତ ୬ ଜଣ ଯନ୍ତ୍ରୀ ସାମିଲ ଥିଲେ। ଓଡ଼ିଶା ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଗୁଣଧର ମିଶ୍ର, ବନ୍ଧ ନିରାପତ୍ତା ମୁଖ୍ୟ ଯନ୍ତ୍ରୀ ପ୍ରଫୁଲ୍ଲ ସ୍ୱାଇଁ, ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତଙ୍କ ସମେତ ଏକ ୧୩ ଜଣିଆ ଦଳ ସାମିଲ ଥିଲେ। ସିଡବ୍ଲୁସି ବୁର୍ଲା କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ରାଓ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର