ମରୁଡ଼ି ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର : କାଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ, ସେ ଭୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତରବରିଆ ଭାବେ ଚଳିତ ବର୍ଷ ଦେଖାଦେଇଥିବା ଭୟଙ୍କର ମରୁଡି ଅଞ୍ଚଳ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ନିୟମ ଅନୁସାରେ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଦେବେ ସରକାର। କେବଳ ସେତିକି ନୁହେଁ, ମରୁଡି ପ୍ରଭାବିତ ଅଞ୍ଚଳର ସରକାରୀ ସ୍କୁଲ ଓ କଲେଜ ପିଲାଙ୍କ ଟ୍ୟୁସନ ଫି ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ବେଳେ ଜଳକର ଆଦାୟ କରାଯିବ ନାହିଁ। ସେହିଭଳି ଚଳିତବର୍ଷ ପାଇଁ ୫୦ ପ୍ରତିଶତ ଖଜଣା ରିହାତି ଦିଆଯାଇଛି। ତେବେ ବାକି ୫୦ ପ୍ରତିଶତ ଆସନ୍ତାବର୍ଷ ଆଦାୟ ହେବ। ଅର୍ଥାତ୍‌ ଏବର୍ଷ ଖଜଣା ଆଦାୟ ମଧ୍ୟ ହେବ ନାହିଁ।

ଜିଲ୍ଲାରୁ ଆସିଥିବା ଆଖିଦେଖା ରିପୋର୍ଟକୁ ବିଶ୍ୱାସ କରି ମଙ୍ଗଳବାର ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଥିଲେ ଯେ ରାଜ୍ୟର ୭୦ଟି ବ୍ଲକ ଅନ୍ତର୍ଗତ ୧୧୨୫ଟି ପଞ୍ଚାୟତର ୬୦୧୫ଟି ଗାଁ ସ୍ୱଳ୍ପ ବୃଷ୍ଟି ଦ୍ୱାରା ପ୍ରଭାବିତ ହୋଇଛି। ୧୧ଟି ପୌରସଂସ୍ଥାର ୮୪ଟି ଓ୍ଵାର୍ଡରେ ମରୁଡ଼ି ପ୍ରକୋପରୁ ଫସଲହାନି ହୋଇଛି। ଏହିଭଳି ମୋଟ ୩ଲକ୍ଷ ୧୫ ହଜାର ୪୩୬ ହେକ୍ଟର ଜମିରେ ଫସଲ ଉଜୁ଼ଡି ଯାଇଛି। ଆସନ୍ତା ୨୮ ତାରିଖ ଦିନ ଅପରାହ୍ନରେ ରାଜସ୍ୱ, କୃଷି, ସମବାୟ ଆଦି ବିଭାଗମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ ଓ ମରୁଡି ସଂକ୍ରାନ୍ତରେ ସରକାରଙ୍କୁ ବିଧିବଦ୍ଧ ସୁପାରିସ କରାଯିବ ଓ ୩୦ ତାରିଖ ପୂର୍ବରୁ ସରକାର ମରୁଡି ପ୍ୟାକେଜ୍‌ ଘୋଷଣା କରିପାରନ୍ତି।

ମାତ୍ର ଏହାର ୨୪ ଘଣ୍ଟା ବିତିିନି ଆଜି ଏକ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଏସବୁ ଅଞ୍ଚଳକୁ ମରୁଡି ଅଞ୍ଚଳ ବୋଲି ଦର୍ଶାଇ ସେଥିପାଇଁ ପ୍ୟାକେଜ ଘୋଷଣା କରିଥିଲେ। ଯେଉଁ ସମୟରେ ନିର୍ବାଚନ କମିସନ ଗୁଜରାଟ ନିର୍ବାଚନ ସଂପର୍କରେ ଦିଲ୍ଲୀରେ ଘୋଷଣା ଜାରି ରଖିଥିଲେ, ଠିକ୍‌ ସେହି ମୁହୂର୍ତରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଥିଲେ। ସେଠାରେ ଉଭୟ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ପଞ୍ଚାୟତିିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଉପସ୍ଥିତ ଥିଲେ।

ପ୍ୟାକେଜ୍‌ ଅନୁଯାୟୀ ୩୩ ପ୍ରତିଶତ ବା ତତୋଧିକ ଫସଲହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଇନପୁଟ୍‌ ସବ୍‌ସିଡି ପ୍ରଦାନ କରାଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ଦିଆଯିବ। ଏମାନଙ୍କ ବ୍ୟତୀତ ଅନ୍ୟ ଚାଷୀ, ଯେଉଁମାନଙ୍କର ୨ ହେକ୍ଟର ଯାଏ ଚାଷଜମି ରହିଛି ଓ ଫସଲ କ୍ଷତି ସହିଛନ୍ତି, ସେମାନଙ୍କୁ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ। ତେବେ ପ୍ରକୃତ ଚାଷୀଙ୍କୁ ହିଁ ଏହି ଅର୍ଥ ପ୍ରଦାନ କରାଯିବ।

ଖରିଫ୍‌ ଚାଷ ହରାଇଥିବା ଚାଷୀଙ୍କୁ ସରକାର ରବି ଚାଷ ପାଇଁ ସାନି ଋଣ ଯୋଗାଇ ଦେବେ। ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷୀଙ୍କ ଖରିଫ୍‌ ଋଣକୁ ସ୍ୱଳ୍ପ ମିଆଦି ଋଣରୁ ମଧ୍ୟମ ମିଆଦି ଋଣରେ ପରିବର୍ତନ କରାଯିବ। ସ୍ୱଳ୍ପ ମିଆଦି ଖରିଫ ଋଣ ପରିଶୋଧର ସମୟସୀମା ୨୦୧୮ ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏବର୍ଷ ମରୁଡି ଅଞ୍ଚଳରେ କୃଷି ଋଣ ଆଦାୟ ହେବ ନାହିଁ। ୩ ପ୍ରତିଶତ ସୁଧ ଛା଼ଡ ଲାଗି ସରକାର କେନ୍ଦ୍ରକୁ ଅନୁରୋଧ କରିବେ।

ଚାଷୀ କଠିନ ପରିଶ୍ରମ ଦେଇ ଗତି କରୁଥିବା ପରିପ୍ରେକ୍ଷୀରେ ସାହୁକାର ଓ ମହାଜନମାନେ ଯେଭଳି ସେମାନଙ୍କ ଉପରେ ଜୁଲମ ନ କରନ୍ତି, ତାହା ଉପରେ ପୁଲିସକୁ ନଜର ରଖିବାକୁ କୁହାଯାଇଛି। ଏଭଳି ଅଭିଯୋଗ ଆସିଲେ ସଂପୃକ୍ତ ସାହୁକାର ବା ମହାଜନଙ୍କ ବିରୋଧରେ ଓଡ଼ିଶା ମନି ଲେଣ୍ଡର୍ସ ଆକ୍ଟ ଓ ସିଆର୍‌ପିସିର ବିଭିନ୍ନ ସେକ୍ସନ ଅନୁଯାୟୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏସ୍‌ପିଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ନିୟମିତ ବ୍ୟବଧାନରେ ସମୀକ୍ଷା ପାଇଁ ଡିଆଇଜିମାନଙ୍କୁ କୁହାଯାଇଛି।

ଖରିଫରେ ଫସଲହାନି ଭୋଗୁଥିବା ଚାଷୀଙ୍କୁ ରବି ସହାୟତା ମିଳିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ରବି ଋତୁ ପାଇଁ ୧.୨୫ ଲକ୍ଷ ଡାଲି ଜାତୀୟ ମିନି କିଟ୍‌ ଦିଆଯିବ। ୫୦ହଜାର ତୈଳବୀଜ ଓ ୨୫ ହଜାର ପନିପରିବା ମିନି କିଟ୍‌ ବଣ୍ଟନ କରାଯିବ। ୫୦ପ୍ରତିଶତ ରିହାତିରେ (୧୫ହଜାର ଟଙ୍କା ଯାଏ) ୫ ହଜାର ପାଣି ପମ୍ପ ଯୋଗାଇ ଦିଆଯିବ ଓ ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଅଧିକ ୫୦ ଦିନ ମନରେଗା କାମ ହେବ। ଏହାବ୍ୟତୀତ ଜମିହୀନ, କ୍ଷୁଦ୍ର ଚାଷୀ ଓ ନାମ ମାତ୍ରଚାଷୀଙ୍କୁ ରାଜ୍ୟ ସରକାର ଗୋପାଳନ କରିବା ପାଇଁ ସହାୟତା ମଧ୍ୟ ଯୋଗାଇବେ।

ଉଠାଜଳସେଚନ ପଏଣ୍ଟକୁ ତୁରନ୍ତ ମରାମତି କରିବା ଲାଗି କୁହାଯାଇଛି। ସବୁ ଉଠାଜଳସେଚନ ପଏଣ୍ଟକୁ ବିଦ୍ୟୁତ ସଂଯୋଗକୁ ଶକ୍ତି ବିଭାଗ ନିଶ୍ଚିତ କରିବେ। ୩୧ ଡିସେମ୍ବର ସୁଦ୍ଧା ଏସବୁ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସହାୟତା ପ୍ୟାକେଜ ଅନୁସାରେ, ଫସଲ କ୍ଷତି ଘଟିଥିବା ୭୦ଟି ବ୍ଲକର ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଜୀବିକା ନିର୍ବାହର ସହାୟତା ଯୋଗାଇ ଦିଆଯିବ। ବିକଳ୍ପ ଆର୍ଥିକ ସହାୟତା ସରକାର ପ୍ରଦାନ କରିବେ।

ଉଲ୍ଲେଖଯୋଗ୍ୟ, ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକର ୩୧୭ଟି ପଞ୍ଚାୟତ ଅନ୍ତର୍ଗତ ୧୭୧୯ଟି ଗାଁକୁ ମରୁଡି ଘୋଷଣା କରାଯାଇଛି। ସେହି ଜିଲ୍ଲାର ୫୯ଟି ଓ୍ଵାର୍ଡ ମଧ୍ୟ ମରୁଡ଼ିଗ୍ରସ୍ତ ଘୋଷିତ ହୋଇଛି। ସେହିପରି ବରଗଡ଼ର ୧୦ଟି ବ୍ଲକ, ନୂଆପଡାର ୫ଟି ବ୍ଲକ,ଢେଙ୍କାନାଳର ୮ଟି ବ୍ଲକ , ଅନୁଗୁଳ ଜିଲ୍ଲାର ୭ଟି ବ୍ଲକରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ଅଞ୍ଚଳକୁ ମରୁଡି ଘୋଷଣା କରାଯାଇଛି। ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବୌଦ୍ଧ, ଦେବଗଡ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଧା, ନୟାଗଡ, ସୋନପୁର ରହିଛିି।

ସମ୍ବନ୍ଧିତ ଖବର