ଗିଲୋଟିନ୍ ଓ ବ୍ୟୟ ମଞ୍ଜୁରି ବିଲ୍ ଗୋଟିଏ ଦିନରେ ଆସିବ
ସଦସ୍ୟମାନଙ୍କୁ ବାଟରେ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି
ସବୁ ଦଳରୁ ମାତ୍ର ୩୦% ସଦସ୍ୟଙ୍କ ଉପସ୍ଥିତି ନେଇ ପରାମର୍ଶ
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିକୁ ଦେଖି ବିଧାନସଭା ବଜେଟ୍ ଅଧିବେଶନକୁ କାଣ୍ଟ୍ଛାଣ୍ଟ୍ କରିବାକୁ ନିଷ୍ପତ୍ତି ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସବୁ ଦଳୀୟ ନେତାଙ୍କ ସହ ଆଲୋଚନା କରି ଆସନ୍ତା ୩୦ ତାରିଖରେ ଗୃହ କାର୍ଯ୍ୟ ସରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏସ୍ସି-ଏସ୍ଟି ବିଭାଗର ଖର୍ଚ୍ଚ ଦାବିକୁ ଛାଡ଼ି ବାକି ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚ ଦାବିଗୁଡ଼ିକୁ ଗିଲୋଟିନ୍ ଜରିଆରେ ପାରିତ କରାଯିବ। ଏହାପରେ ୧୫ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯିବ। ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଲ୍ ଗୃହରେ ଆଗତ କରିବେ। ଔପଚାରିକତା ଦୃଷ୍ଟିରୁ ବିଲ୍ ଉପରେ ଅଳ୍ପ ସମୟ ଆଲୋଚନା ହୋଇ ପାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
କରୋନା ସତର୍କତା ସ୍ବରୂପ ଗୃହ ଭିତରେ ସଦସ୍ୟ ଓ ସଦସ୍ୟାମାନଙ୍କ ସାମାଜିକ ଦୂରତା ରକ୍ଷା ପାଇଁ ବାଚସ୍ପତି ଶ୍ରୀ ପାତ୍ର ସ୍ବତନ୍ତ୍ର ଗୁରୁତ୍ବ ଦେଇଛନ୍ତି। ସେଥିପାଇଁ କେବଳ କୋରମ୍ ପାଇଁ ସବୁ ଦଳରୁ ମାତ୍ର ୩୦% ସଦସ୍ୟ ଉପସ୍ଥିତ ରହିବା ନେଇ ବିଧାୟକ ଦଳର ନେତାମାନଙ୍କୁ ସେ ଜଣାଇଛନ୍ତି। କେଉଁ ଦଳରୁ କେଉଁ ବିଧାୟକ ଓ ବିଧାୟିକା ଗୃହରେ ଉପସ୍ଥିତ ରହିବେ, ସେ ନିଷ୍ପତ୍ତି ସମ୍ପୃକ୍ତ ଦଳ ପକ୍ଷରୁ ନିଆଯିବ। ଏହାସହିତ ସେହିଦିନ ବିଧାନସଭା କାର୍ଯ୍ୟରେ ଯୋଗଦେବାକୁ ଆସୁଥିବା ବିଧାୟକ ଓ ବିଧାୟିକାମାନଙ୍କୁ ବାଟରେ ନ ଅଟକାଇବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ୍ ଏସ୍ପିଙ୍କୁ ବାଚସ୍ପତି ଚିଠି ଲେଖିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଧାନସଭାକୁ ଗତ ୧୪ ତାରିଖରୁ ୩୦ ତାରିଖ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/assembly-1.jpg)