ଗୃହ ପରିଚାଳନା ନେଇ ରାଗରୁଷା, ମୁହାଁମୁହିଁ

ଭୁବନେଶ୍ୱର : କେତେବେଳେ କଂଗ୍ରେସ ଦଳର ବିଧାୟକ ରାଗିଲେଣି, ଆଉ କେତେବେଳେ ରୁଷୁଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ। କେତେବେଳେ କଂଗ୍ରେସ ବିଧାୟକ ଦଳ ନେତା ଓ ବାଚସ୍ପତିଙ୍କ ମଧ୍ୟରେ କଥା କଟାକଟି ହେଉଛି, ପୁଣି କେତେବେଳେ ସରକାରୀ ଦଳ ବିଧାୟକ ବି ନିଜ ମନର ଅସନ୍ତୋଷ ଝାଡୁଛନ୍ତି ବାଚସ୍ପତିଙ୍କ ଉପରେ। ଏହି ଅଧିବେଶନରେ ବାଚସ୍ପତି ଯେତିକି ରୁଲିଂ ଦେଲେଣି, ତାହା ବୋଧହୁଏ ବିଧାନସଭାରେ ପୂର୍ବରୁ କେବେ ଦେଖାଯାଇନଥିବ। ସରକାର ଓ ଶାସକ ଦଳ ଅସ୍ତବ୍ୟସ୍ତ ହୋଇଗଲେଣି।

ଏମିତି ଢଙ୍ଗରେ ଷୋଡ଼ଶ ବିଧାନସଭାର ପ୍ରଥମ ତଥା ବଜେଟ୍‍ ଅଧିବେଶନ ଦିନକୁ ଦିନ ରୋଚକ ସ୍ଥିତି ଆଡ଼କୁ ଯାଉଛି। ଆଜି ବି ଗୃହରେ ଏଭଳି ପରିସ୍ଥିତି ଦେଖାଯାଇଥିିଲା। ଆଉ କେହି ନୁହେଁ, ଖୋଦ୍‍ ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଶୂନ୍ୟକାଳରେ ବାଚସ୍ପତିଙ୍କ ଉପରେ ରାଗି ଯାଇଥିିଲେ। କହିବାକୁ ନ ଦିଆଯିବା ପର୍ଯ୍ୟନ୍ତ ସେ ଠିଆ େହାଇ ରହିବେ େବାଲି ଗୃହରେ ଜିଦ୍‍ ଧରିଥିଲେ। େସହିପରି ମୁଲତବୀ ଆେଲାଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଅଭିଭାଷଣ ଅଧାରୁ ବନ୍ଦ କରିଦେଲେ। ସେ କହିଲେନି କି ଦଳର ଆଉ କେହି କହିଲେନି। କଥା କେବଳ ଏତିକିରେ ସୀମିତ ନଥିଲା, ମନ୍ତ୍ରୀ ଉତ୍ତର ଦେଉନାହାନ୍ତି ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗୃହ ପରିଚାଳନା େନଇ େଖାଲା ଅସନ୍ତୋଷ ବ୍ୟକ୍ତ କରିବାବେଳେ େରାକଠୋକ୍ ଜଣାଇ ଦେଇଥିଲେ ଯେ ବୟସ ଥିଲେ, ସେ ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ପୁସ୍ତିକାକୁ ଚିରି ଫିଙ୍ଗି ଦେଇଥାନ୍ତେ। ବାଚସ୍ପତି ସାମ୍ୱିଧାନିକ କ୍ଷମତା ପ୍ରୟୋଗ କରନ୍ତୁ ବୋଲି ସେ ପ୍ରବର୍ତାଇଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ବି ଶୂନ୍ୟକାଳରେ କଡ଼ା ସମାଲୋଚନା କରିଥିଲେ।

ପ୍ରଶ୍ନକାଳ ପରେ ପରେ ଆରମ୍ଭ େହାଇଥିଲା ଏଭଳି ବିଭ୍ରାଟ। ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ, କଂଗ୍ରେସ ବିଧାୟକମାନେ ନିଜ ଆସନରେ ଠିଆ ହୋଇ କହିବାକୁ ଚାହିଁଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହାତ େଟକିଥିଲେ। ହେଲେ ବାଚସ୍ପତି କିନ୍ତୁ ବିରୋଧୀଦଳ ନେତା ଅନୁପସ୍ଥିତ ଥିଲେ ହେଁ, ତାଙ୍କ ନାମ ନେଇ ଡାକିଥିଲେ। ସେ ନ ଥିବାରୁ ବିରୋଧୀ ଦଳ ଉପନେତାଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ସେ ସାହିତ୍ୟ ଏକାଡେମି ସଂପର୍କରେ ବଡ଼ ଅଭିଯୋଗ ଆଣିଥିଲେ।

ପରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ବାଚସ୍ପତି ଯେମିତି କହୁଛନ୍ତି, ସେମିତି ହିଁ ଗୃହ ଚାଲିବ। କିନ୍ତୁ ବିଧାନସଭା କାର୍ଯ୍ୟବିଧି ପରିଚାଳନା ନିୟମ ଅଛି ନା ନାହିଁ? ଏହାକୁ ନିୟମକୁ ବାଚସ୍ପତି ପୂରାପୂରି ବଦଳାଇ ଦିଅନ୍ତୁ। ସରକାର ସଂଖ୍ୟାଗରିଷ୍ଠ ଅଛନ୍ତି ଓ ବାଚସ୍ପତିଙ୍କର କ୍ଷମତା ରହିଛି। ଗୃହରେ ମୁଲତବୀ ଆଲୋଚନା ଖର୍ଚ୍ଚ ଦାବି ଆଲୋଚନାଠାରୁ ବି ବଳାଇ ଯାଉଛି। ଆଜି ଯେଉଁ ପ୍ରସଙ୍ଗରେ ଖର୍ଚ୍ଚ ଦାବି ଅଛି, କାଲି ସେ ପ୍ରସଙ୍ଗରେ ମୁଲତବୀ ନୋଟିସ ଦିଆଯାଉଛି? ସେ କଥା ହିଁ ଆଲୋଚନା ହେବ ନା ଅଧିକ କଣ ହେବ? ସେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ ।

ତେବେ ତାଙ୍କ ବକ୍ତବ୍ୟ ଅଧାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହସ୍ତକ୍ଷେପ କରି କହିଥିଲେ, ମୁଲତବୀ ଆଲୋଚନାକୁ ସୀମିତ କରିବାକୁ ମୁଁ ବି ଚାହେଁ । ଏ ନେଇ ସର୍ବଦଳୀୟ ବୈଠକ ଡାକି ନିଷ୍ପତ୍ତି ନେବା। ସେହିଭଳି ଶୂନ୍ୟକାଳରେ କିଛି ନୂଆ ବିଧାୟକଙ୍କୁ ସାମିଲ କରିବାକୁ ଚାହୁଁଛି। ଅନ୍ୟଥା ବିଧାୟକମାନେ ବାହାରେ ଆଲୋଚନା କରୁଛନ୍ତି। ସେହିଭଳି ବଲାଙ୍ଗୀର ଚାଷୀ ପ୍ରସଙ୍ଗରେ ନୁହେଁ, ବରଂ ମରୁଡ଼ି ନେଇ ସେ ରିପୋର୍ଟ ଦେବାକୁ କହିଥିଲେ।

ଶ୍ରୀ ମିଶ୍ର ପୁଣି କହିଥିଲେ ଯେ ଗୋଟିଏ ସମୟରେ ଦୁଇ ଦୁଇଟି ମୁଲତବୀ ପ୍ରସ୍ତାବ ଆଲୋଚନାକୁ ନିଆଯାଉଥିଲା। ପରମ୍ପରା କେବେ ବି ସମ୍ୱିଧାନକୁ ଚାପି ରଖିପାରିବ ନାହିଁ। ତେବେ ଶୂନ୍ୟକାଳ ସରିବା ପରେ ବାଚସ୍ପତି ନିବେଦନକୁ ଯିବାକୁ ଚାହିଁଥିଲେ। ପୂର୍ବରୁ ହାତ ଟେକିଥିବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସନ୍ତୋଷ ସିଂହ ସାଲୁଜା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶ୍ରୀ ମିଶ୍ର କହିଥିଲେ, କେବଳ ବିରୋଧୀ ଦଳକୁ ସୁଯୋଗ ମିଳିବ, ସରକାରୀ ଦଳକୁ ନୁହେଁ? ଆଜି ବାଚସ୍ପତି ଯଦି ସୁଯୋଗ ନ ଦେବେ, ତେବେ ସେ ଠିଆ ହୋଇ ରହିବେ। ଶ୍ରୀ ମିଶ୍ର ବସି ନ ଥିଲେ। ଏପଟେ ବାଚସ୍ପତି ବିଧାୟକ ଅଙ୍ଗଦ କହଁରଙ୍କୁ ନିବେଦନ ପାଇଁ ଡାକିଥିଲେ ହେଁ, ଶ୍ରୀ ମିଶ୍ରଙ୍କ ଜିଦ୍‍ ଆଗେ ନରମିଥିଲେ। ଶ୍ରୀ କହଁରଙ୍କୁ ବସିବାକୁ କହି ଦେବୀଙ୍କୁ ସୁଯୋଗ ଦେଇଥିଲେ। ସେହିଭଳି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ବି ବାଚସ୍ପତି ସୁଯୋଗ ଦେଇଥିଲେ।

ଶ୍ରୀ ସାଲୁଜା ଏଥର ବର୍ଷିଥିଲେ। କହିଥିଲେ, ବାଚସ୍ପତି କଣ ଦୁଇ ତିନିଜଣଙ୍କୁ ନେଇ ଗୃହ ଚଳାଇବେ? ଆମେ ବାରମ୍ୱାର ହାତ ଉଠାଇଲେ ବି କହିବାକୁ ସୁଯୋଗ ମିଳୁନାହିଁ। ଆମେ ନିର୍ବାଚିତ ହୋଇ ଆସିଛୁ। ଆମ ଅଞ୍ଚଳର ଲୋକେ ଅପେକ୍ଷା କରିଛନ୍ତି, ଆମେ କଣ କହିବୁ। ବାଚସ୍ପତି ସୁଯୋଗ ଦେବେନି? ଦୁଇତିନି ଜଣଙ୍କୁ ସୁଯୋଗ ଦିଆଯିବ? ସେମାନେ ଯେତେ ପାରିବେ, ଯେତେ ପ୍ରସଙ୍ଗ ଚାହିଁବେ ଉଠାଇବେ? ଶୂନ୍ୟକାଳ ବନ୍ଦ କରିଦିଆଯାଉ। ବାଚସ୍ପତିଙ୍କ ହାତରେ ଅଖଣ୍ଡ କ୍ଷମତା ରହିଛି। ସେ ସର୍ବେସର୍ବା। ଗୋଟିଏ ବିଷୟରେ ଜଣେ ବିଧାୟକ କେବଳ କହନ୍ତୁ। ସମସ୍ତଙ୍କୁ ବିଧାୟକ ଭଳିଆ ଭାବନ୍ତୁ ବୋଲି ବାଚସ୍ପତିଙ୍କୁ କହିଥିଲେ ଶ୍ରୀ ସାଲୁଜା। କେବଳ ସେତିକି ନୁହେଁ, କାର୍ଯ୍ୟ ପରାମର୍ଶଦାତା କମିଟି ବା ସର୍ବଦଳୀୟ କମିଟି ବୈଠକ ଆଲୋଚନାକୁ ବି ସେ ବିରୋଧ କରିଥିଲେ ।

ଗୃହରେ ବିଭ୍ରାଟ ବା ସେ ସଂକ୍ରାନ୍ତ ଆେଲାଚନା ଏତିକିରେ ଥମି ନଥିଲା। ମୁଲତବୀ ଆଲୋଚନାରେ ୨୦ ମିନିଟ୍‍ କହିବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ଉପବାଚସ୍ପତି ରଜନୀକାନ୍ତ ସିଂହ ଅଟକାଇବାକୁ ଚାହିଁଥିଲେ। ହେଲେ ସେ ରାଗିଯାଇଥିଲେ। ସଂକ୍ଷେପରେ କହିପାରିବେ ନାହିଁ ବୋଲି ରୋକ୍‍ଠୋକ୍‍ ଶୁଣାଇଥିଲେ। କହିଥିଲେ, ସେ ଆଲୋଚନା ଆରମ୍ଭ କରିଛନ୍ତି। ଏମିତି ବାରମ୍ୱାର ବାଧା ଉପୁଜାଇଲେ ସେ ବସିଯିବେ ବୋଲି କହି ଭାଷଣ ବନ୍ଦ କରିଦେଇଥିଲେ। ପରେ ଉପବାଚସ୍ପତି ଯେତେ ଥର କହିଥିଲେ ବି ସେ ଆଉ ଉଠିନଥିଲେ। ଆପଣଙ୍କ ଇଚ୍ଛା ଯାହା ତାହା କରନ୍ତୁ ବୋଲି ସେ କହିଥିଲେ। ପାଖାପାଖି ୮ ମିନିଟ୍‍ ଧରି ଗୃହରେ ଅଚଳାବସ୍ଥା ହୋଇଥିଲା। ତଥାପି ଜିଦ୍‍ ଛାଡିନଥିଲେ ଶ୍ରୀ ମାଝୀ । ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବି ତାଙ୍କ ବକ୍ତବ୍ୟ ବେଳେ କ୍ଷମା କରନ୍ତୁ ବୋଲି କହି ବସିଯାଇଥିଲେ। ମୁକେଶ ମହାଲିଙ୍ଗ ବି ଆେଲାଚନାରୁ ଦୂେରଇ ରହିଥିଲେ।

ଉଲ୍ଳେଖଯୋଗ୍ୟ, ଗୁରୁବାର ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ, ସୁଧୀର ସାମଲ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହାପୂର୍ବରୁ ଶ୍ରୀ ସାଲୁଜା-ବାଚସ୍ପତି କଥା କଟାକଟି ହୋଇଥିଲା। ଶ୍ରୀ ସାଲୁଜା କହିଥିଲେ, ସୁଯୋଗ ନ ଦେଲେ ଆଉ ଗୃହକୁ ଫେରିବେନି। ଗୁରୁବାର ଅପରାହ୍ନରେ ବାଚସ୍ପତି-କଂଗ୍ରେସ ଦଳ ନେତା ଶ୍ରୀ ମିଶ୍ର ମୁହାଁମୁହିଁ ହୋଇଥିଲେ ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲା।

ସମ୍ବନ୍ଧିତ ଖବର