ଆରମ୍ଭରୁ ବିଧାନସଭା ଅଚଳ

ମହାନଦୀ ପ୍ରସଙ୍ଗରେ ଡୁବିଗଲା ଗୃହ କାର୍ଯ୍ୟ

କେନ୍ଦ୍ର ବିରୋଧରେ ବିଜେଡିର ନାରାବାଜି, ବାହାରେ ଧାରଣା
ବିଜେଡି ଓ ବିଜେପି ଉପରେ ଗର୍ଜିଲେ ନରସିଂହ
ଅପାରଗତା ଘୋଡ଼ାଇବାକୁ ବିଜେଡି ନାଟକ କରୁଛି: ବିଜେପି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଆଜି ପୂର୍ବାହ୍ନରେ ଶାସକ ବିଜେଡି ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଦେଇଛନ୍ତି। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ନାରାବାଜି କରି କମ୍ପାଇଛନ୍ତି। ପରେ ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି ବିଜେଡି ସଭ୍ୟମାନେ।

ଅପରାହ୍ନ ଅଧିବେଶନରେ କିନ୍ତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ନେଇ ଗର୍ଜନ କରିଛନ୍ତି। ସରକାର ଓ ବିଜେପି ଉଭୟଙ୍କୁ ଅତ୍ୟନ୍ତ କଠୋର ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, ଜଣେ ଅଣଓଡ଼ିଆ ପ୍ରଭାରୀ ଆଜି ଧମକାଇଛନ୍ତି ଯେ ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ମହାନଦୀ ସମସ୍ୟାର ୬ମାସ ମଧ୍ୟରେ ସମାଧାନ ହୋଇଯିବ। ଏହାର ଅର୍ଥ କଣ ବିଜେପି କ୍ଷମତାକୁ ନ ଆସିଲେ ମହାନଦୀ ପ୍ରସଙ୍ଗର ସମାଧାନ ହେବନି? ଏକଥା କ’ଣ ଏଥିରୁ ବୁଝାପଡୁନି ଯେ ବିଜେପି ମହାନଦୀ ପ୍ରସଙ୍ଗକୁ ସମାଧାନ କରାଇ ଦେଉନି। ସେ ଏକଥା ବି କହିଥିଲେ ଯେ ବିଧାନସଭା ଭିତରେ ବିଜେପି ସଭ୍ୟମାନେ କେବେ ବି ଏଭଳି ମନ୍ତବ୍ୟ ଦେଇନାହାନ୍ତି। ବରଂ ଯେତେବେଳେ ଆବଶ୍ୟକ ସରକାର ଓ ବିରୋଧୀ ସହିତ ରହି ସମର୍ଥନ ଜଣାଇଛନ୍ତି। ଏପରିସ୍ଥଳେ ଏ ନେତା ଏମିତି କେମିତି କହିବେ? ଏହାକୁ ପ୍ରତିବାଦ କରିବା ବଦଳରେ କାହା ବିରୋଧରେ ବିଜେଡି ନାରାବାଜି କରୁଛି ବୋଲି କମ୍ପିଥିଲେ ଶ୍ରୀ ମିଶ୍ର। ଏଥିସହିତ ଛତିଶଗଡ଼ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ କାର୍ଯ୍ୟକ୍ଷମ କରିବାକୁ ଚାହୁ ନାହାନ୍ତି ବୋଲି ସେ ଅଭିଯୋଗ ଆଣିଥିଲେ।

ଉଲ୍ଲେଖଯୋଗ୍ୟ, ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଗୃହରେ ଦେଖାଯାଇଥିବା ଅଚଳାବସ୍ଥାକୁ ସମାଲୋଚନା କରୁଥିଲେ ଶାସକ ଦଳ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ହିଁ ଶାସକ ଦଳ ଗୃହକୁ ଅଚଳ କରିଦେଇଥିଲେ। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଥିଲେ। ଆରମ୍ଭ ହୋଇଥିଲା ନାରାବାଜି। ବିଜେପି ହାଏ ହାଏ… କେନ୍ଦ୍ର ସରକାର ହାଏ ହାଏ… କେନ୍ଦ୍ରର ଛତିଶଗଡ଼ ପ୍ରୀତି ଚଳିବ ନାହିଁ… କେନ୍ଦ୍ର ସରକାର ଛି ଛି…ଛତିଶଗଡ଼ ସରକାର ହାଏ ହାଏ…। ବିଜେଡି ବିଧାୟକମାନଙ୍କ ଚିତ୍କାରରେ ଗୃହ ଥରି ଉଠିଥିଲା।

ତାହାରି ଭିତରେ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଶ୍ନକାଳ ଆରମ୍ଭ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଡାକିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତର ପଢ଼ିଥିଲେ ହେଁ କାହାରିକୁ ଶୁଣାଯାଇ ନ ଥିଲା। ବାଚସ୍ପତି ଅତିରିକ୍ତ ପ୍ରଶ୍ନ କରିବାକୁ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସ୍ୱାଇଁଙ୍କୁ ଡାକିଥିଲେ। ସେ ପ୍ରଶ୍ନ କରୁଥିଲେ ହେଁ, ବିଜେଡି ନେତାଙ୍କ ସ୍ଲୋଗାନ ଭିତରେ ସେ ସ୍ୱର ହଜିଯାଇଥିଲା। ବାଚସ୍ପତି ଅନୁରୋଧ କରୁଥିଲେ ବି ନାରାବାଜି କମି ନ ଥିଲା। ଗୃହକୁ ସ୍ୱାଭାବିକ ସ୍ଥିତିକୁ ଆଣିବା ଲାଗି ବାଚସ୍ପତି ଅନୁରୋଧ କରିଥିଲେ। ନିଜ ଆସନରେ ଛିଡା ହୋଇ ଗୃହ କାର୍ଯ୍ୟରେ ଭାଗ ନେବାକୁ ଶାସକ ଦଳ ବିଧାୟକଙ୍କୁ ନିବେଦନ କରିଥିଲେ। ମାତ୍ର ଏହାର କୌଣସି ପ୍ରଭାବ ପଡିନଥିଲା। ହୋ ହଲ୍ଲା ଭିତରେ ୧୦ଟା ୩୩ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଏଥର ଶାସକ ଦଳ ସଭ୍ୟମାନେ ପ୍ରତିବାଦର ତରିକା ବଦଳାଇ ସିଧା ଯାଇ ବିଧାନସଭା ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବ୍ୟାନର୍‌ ପ୍ରଦର୍ଶନ କରି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ବିଧାୟକମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ମହାନଦୀ ମହାପ୍ରତାରଣା ବିରୋଧରେ ଆଗକୁ ଜୋରଦାର ଆନ୍ଦୋଳନ ହେବ।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଗୃହକୁ ଅଚଳ କରିବା ପ୍ରସଙ୍ଗରେ ସେ ବିଜେଡିକୁ ଭର୍ତ୍ସନା କରି କହିଥିଲେ, ଶାସକ ଦଳ ସବୁବେଳେ ବିରୋଧୀ ଦଳକୁ ସମାଲୋଚନା କରନ୍ତି ଯେ ପ୍ରଶ୍ନକାଳରେ ହୋହଲ୍ଲା ଠିକ୍‌ ନୁହେଁ। କିନ୍ତୁ ଆଜି ସେମାନେ କିପରି ପ୍ରଶ୍ନକାଳ ଚଳାଇଦେଲେ ନାହିଁ ? ସଂସଦରେ ବିଜେଡି ବିରୋଧୀ ଦଳରେ ଥାଇ ଚାହୁଁଛି ଗୃହ ଚାଲୁ। କିନ୍ତୁ ଏଠି ଶାସକ ଦଳରେ ଥାଇ ଗୃହ ଚଳାଇ ଦେଉ ନାହିଁ। ଏହା କି ପ୍ରକାର ଆଭିମୁଖ୍ୟ ?

ମହାନଦୀ ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଥିଲେ, ସବୁ ଦଳ ମିଶି ମହାନଦୀ ପାଇଁ ଲଢ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଧାନସଭାରେ ଦୁଇଟି କମିଟି ବି ଗଠନ କରାଯାଇଛି। ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓ ଅନ୍ୟଟି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ। କିନ୍ତୁ ଉଭୟ କମିଟିର ବୈଠକ ଥରୁଟିଏ ବି ଡକାଯାଇନାହିଁ। ଏଥିରୁ ଜଣାପଡ଼ୁଛି, ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର କେତେ ତତ୍ପର। ମହାନଦୀ ଶୁଖିଗଲାଣି। ନିଶ୍ଚିତ ଭାବେ ଏହା ଦ୍ୱାରା ଓଡ଼ିଶା କ୍ଷତି ସହୁଛି। ଏହା ସତ୍ୟ ଯେ ଛତିଶଗଡ଼ରେ ବିଜେପି ସରକାର ଥିବାରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି। ଅତି ନିର୍ଲଜ ଭାବେ ରାଜ୍ୟରେ ଥିବା ତାଙ୍କ ସରକାରଙ୍କୁ ସୁରକ୍ଷା ଦେବାକୁ ଓଡ଼ିଶା ବିରୋଧୀ ମନୋଭାବ ପ୍ରକଟ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଓଡ଼ିଶା ବିରୋଧୀ ମନୋଭାବକୁ ମିଳିତ ଭାବେ ସମାଲୋଚନା କରିବାର ଆବଶ୍ୟକତା ରହିଛି। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଦଳ ଯଦି ଲୋକଦେଖାଣିଆ ବିରୋଧ କରୁଥା’ନ୍ତି, ଏଥିରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ଅସମ୍ଭବ।

ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଶ୍ରୀ ମିଶ୍ର ଗୃହ ଅଚଳ ଓ ମହାନଦୀ ପ୍ରସଙ୍ଗରେ ଶାସକ ଦଳର କାର୍ଯ୍ୟଧାରାକୁ ପୁଣି ନିନ୍ଦା କରିଥିଲେ। କହିଥିଲେ, ଶାସକ ଦଳ ଓଡ଼ିଶାବାସୀଙ୍କୁ ବୋକା ବନାଉଛନ୍ତି। ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳର ଅସହମତି କେଉଁଠି ନାହିଁ। କିନ୍ତୁ ଯେଉଁ ପ୍ରକାର ଶାସକ ଦଳ ଏହାକୁ ପ୍ରସଙ୍ଗ କରି ଗୃହକୁ ଅଚଳ କଲା, ତାହା ଠିକ୍‌ ହେଲା ନାହିଁ। ଗୃହ ଅଚଳ କରିଦେଲେ, ଧାରଣାରେ ବସିଲେ କ’ଣ ମହାନଦୀରେ ପାଣି ଆସିଯିବ ? ଛତିଶଗଡ଼ ନିର୍ମାଣ ବନ୍ଦ କରିଦେବ ? ମହାନଦୀ ପ୍ରସଙ୍ଗରେ ଓଡ଼ିଶାରେ ଶାସକ ଦଳ ଯେଉଁ ତ୍ରୁଟି କରିଥିଲେ, ତାହାକୁ ଆମେ ଭୁଲିଯାଇଛୁ। କିନ୍ତୁ ଶାସକ ଦଳ ଏହାକୁ ନେଇ ହୀନ ରାଜନୀତି କରୁଛି।

ଏହି ସମୟରେ ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ ସରକାରୀ ମୁଖ୍ୟ ସଚେତକ ଅମର ଶତପଥୀ କହିବା ପାଇଁ ଠିଆ ହୋଇଥିଲେ। ବିରୋଧୀ ଦଳ ନେତା ଏହାର ପ୍ରତିବାଦ କରିଥିଲେ। କିନ୍ତୁ ବାଚସ୍ପତି ତାଙ୍କୁ ସୁଯୋଗ ଦେବାରୁ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ। ଏହାରି ଭିତରେ ଶ୍ରୀ ଶତପଥୀ ମହାନଦୀ ପ୍ରସଙ୍ଗରେ ନିଜ ମତ ରଖିଥିଲେ।

ବିଜେପି ସଭ୍ୟ ପ୍ରଦୀପ ପୁରୋହିତ କହିଥିଲେ, କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଗଠନ କରିସାରିଛନ୍ତି। ତେଣୁ ଶାସକ ଦଳ ହାତରେ କୌଣସି ପ୍ରସଙ୍ଗ ନ ଥିବାରୁ ଟାଣିଓଟାରି ଏହାକୁ ଉଠାଉଛି। ଉପା ସରକାର ଥିବା ଯାଏଁ ବିଜେଡି ମହାନଦୀ ବ୍ୟାରେଜ୍‌ କଥା ଉଠାଉ ନ ଥିଲା। ଏବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରୁଛି। ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ଶାସକ ଦଳ ବାହାନା ଖୋଜୁଛି ବୋଲି ଶ୍ରୀ ପୁରୋହିତ ଆରୋପ ଲଗାଇଥିଲେ। ଏହା ପରେ ବିଜେପି ସଭ୍ୟମାନେ ବି କକ୍ଷତ୍ୟାଗ କରିଥିଲେ।

ବିରୋଧୀ ସଭ୍ୟମାନଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ବାଚସ୍ପତି ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଓ ମହେଶ ସାହୁଙ୍କୁ ନିର୍ଦେଶ ଦେଇଥିଲେ। ସେମାନେ ବାହାରକୁ ଯାଇ ବୁଝାସୁଝା କରିଥିଲେ ବି ବିରୋଧୀ ସଭ୍ୟମାନେ ଗୃହକୁ ଫେରି ନ ଥିଲେ। ଶ୍ରୀ ପୂଜାରୀ ଗୃହରେ ଏ କଥା ଜଣାଇଥିଲେ। ଏହାରି ଭିତରେ ୩୯ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଗୃୃହରେ ଉପସ୍ଥାପନ ହୋଇଥିଲା। ୩ଟା ୫୧ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର