ଭୁବନେଶ୍ବର : ଲଗାତର ତୃତୀୟ ଦିନ ପାଇଁ ଅଚଳ ହୋଇଗଲା ବିଧାନସଭା। ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଚାଷ ଓ ବେକାରୀ ପ୍ରସଙ୍ଗ ଉଠାଇ ଗୃହ କମ୍ପାଇଲେ। ଫଳରେ ଗତ ଦୁଇ ଦିନ ପରି ଆଜି ବି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା କିଛି ହୋଇପାରି ନ ଥିଲା। ଅପରାହ୍ନ ୫ଟା ୩୦ରେ ବଜେଟ୍ ଉପସ୍ଥାପନ ହେବା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ହୋଇପାରି ନ ଥିଲା। ପଞ୍ଚଦଶ ବିଧାନସଭାର େଶଷ ଅଧିବେଶନର ଆଉ ମାତ୍ର ତିନିଟି କାର୍ଯ୍ୟଦିବସ ବାକି ଥିଲା ବେଳେ ଗୋଟିଏ ବି କୌଣସି ପ୍ରସଙ୍ଗ ଏ ପର୍ଯ୍ୟନ୍ତ ଗୃହରେ ଆଲୋଚନା ହୋଇପାରି ନାହିଁ। ଆଜି ପୂର୍ବାହ୍ନ ୧୦ଟା ୩୦ରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଚାଷୀଙ୍କୁ ହକ୍ ପ୍ରଦାନ ଓ ବେକାରିଙ୍କୁ ନିଯୁକ୍ତି ଦାବିରେ ହଟ୍ଟଗୋଳ କରିଥିଲେ। ବିଜେପି ସଭ୍ୟମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ୍ ଦେଇଥିଲେ। କଂଗ୍ରେସ ସଭ୍ୟମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବିଜେଡି-ବିଜେପି ଚାଷୀ ଓ ବେକାର ଯୁବକଙ୍କୁ ଠକୁଛନ୍ତି ବୋଲି ଅଭିଯୋଗ କରିଥିଲେ। ବିରୋଧୀ ସଭ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ ବି ସେମାନେ ଶୁଣି ନ ଥିଲେ। ମାତ୍ର ଗୋଟିଏ ମିନିଟ୍ ପରେ ଅର୍ଥାତ ୧୦ଟା ୩୧ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୧ଟା ୩୧ରେ ସମାନ ସ୍ଥିତି ଲାଗି ରହିବାରୁ ସଙ୍ଗେ ସଙ୍ଗେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। ଅପରାହ୍ନ ୩ଟାରେ ବି ସ୍ଥିତିରେ ପରିବର୍ତ୍ତନ ଆସିଲାନି। କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କଲେ। ବିଜେପିର ଯୁବମୋର୍ଚ୍ଚା ଶୋଭାଯାତ୍ରା ବେଳେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିଜେପି ସଭ୍ୟମାନେ ସମାଲୋଚନା କରିଥିଲେ। ଏହି ହଟ୍ଟଗୋଳ ଭିତରେ ବାଚସ୍ପତି କେତୋଟି ରିପୋର୍ଟ ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ କହିଲେ। ଏହା ପରେ ୩ଟା ୩ରେ ଗୃହକୁ ୫ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଗଲା।
୫ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ ଚାଲିଥିଲା ବେଳେ ୫ଟା ୩୨ରେ ବିଜେପି ସଭ୍ୟ ରବି ନାଏକ ବିଜେପି ଯୁବ ମୋର୍ଚ୍ଚା ଉପରେ ପୁଲିସ୍ର ବର୍ବୋରଚିତ ଆକ୍ରମଣ ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ୫ଟା ୩୬ରେ କଂଗ୍ରେସ ସଭ୍ୟମାନେ ଚାଷୀଙ୍କ ପ୍ରସଙ୍ଗ ଉଠାଇବା ସହ କାଳିଆ ଯୋଜନାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି କହି କକ୍ଷତ୍ୟାଗ କରିଥିଲେ। ବିନା ବିରୋଧୀରେ ଅର୍ଥ ମନ୍ତ୍ରୀ ବଜେଟ୍ ଉପସ୍ଥାପନ େଶଷ କରିଥିଲେ। ଗୃହ ବାହାରେ ଗଣମାଧ୍ୟମକୁ ବିଜେପି ସଭ୍ୟ ପ୍ରଦୀପ ପୁରୋହିତ କହିଥିଲେ, ରାଜ୍ୟର ବେକାର ଯୁବକ, ଯୁବତୀମାନେ ନିଯୁକ୍ତି ସୁଯୋଗ ପାଉ ନାହାନ୍ତି। ସେଥି ପାଇଁ ଓଡ଼ିଶାରୁ ବହୁ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ପ୍ରସଙ୍ଗ ଆଜି ବିଜେପି ଗୃହେର ଉଠାଇଥିଲା। ତାହା ସହ ପୂର୍ବ ପରି ଚାଷୀଙ୍କୁ ସେମାନଙ୍କ ହକ୍ ପ୍ରଦାନ ଦାବିରେ ମଧ୍ୟ ବିଜେପି ଅଟଳ ରହିଛି। ଭବିଷ୍ୟତରେ ବି ଏହି ପ୍ରସଙ୍ଗ ଉଠାଇବ। କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ, ଚାଷୀ ଓ ବେକାରି ଯୁବକଙ୍କ ସମସ୍ୟା ସମାଧାନ କରିବାରେ ଉଭୟ ବିଜେପି ଓ ବିଜେଡି ବିଫଳ ହୋଇଛନ୍ତି। ଧାନର ଏମ୍ଏସ୍ପି ୨୯୩୦ ଟଙ୍କା କରିବାକୁ ବାରମ୍ବାର ଦାବି ହେଉଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଉ ନାହାନ୍ତି। ଏଥି ପାଇଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି। ରାଜ୍ୟର ଶିକ୍ଷିତ ବେକାର ଯୁବକ, ଯୁବତୀଙ୍କୁ ସରକାର ନିଯୁକ୍ତି ସୁଯୋଗ ଦିଅନ୍ତୁ, ନଚେତ ସେମାନଙ୍କୁ ୩୫୦୦ ଟଙ୍କା ବେକାରୀ ଭତ୍ତା ଦିଅନ୍ତୁ ବୋଲି ଶ୍ରୀ ବାହିନୀପତି କହିଥିଲେ। ଗୃହରେ ବିରୋଧୀ ଦଳଙ୍କ ହଟ୍ଟଗୋଳକୁ ପ୍ରତିବାଦ କରିଛି ବିଜେଡି। ଦଳର ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଲେ, ଗୃହ ବନ୍ଦ କରିବାକୁ ବିଜେପି ଓ କଂଗ୍ରେସ ହାତ ମିଳାଇଛନ୍ତି। ସେମାନେ ଆଲୋଚନା ପାଇଁ ଆଦୌ ପ୍ରସ୍ତୁତ ନାହାନ୍ତି। ଏହି ଦୁଇ ଜାତୀୟ ଦଳର ଓଡ଼ିଶା ବିକାଶ କଥା ଆଦୌ ଚିନ୍ତା ନାହିଁ। ଏହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ।