‘ମହାନଦୀ’ ସୁଅରେ ଭାସିଗଲା ଗୃହ କାର୍ଯ୍ୟ

ଭୁବନେଶ୍ୱର : ‘ମହାନଦୀ’ ସୁଅରେ ଆଜି ଭାସିଯାଇଛି ବିଧାନସଭା ଗୃହ କାର୍ଯ୍ୟ। ଟ୍ରିବ୍ୟୁନାଲ୍‌ ଗଠନକୁ କେନ୍ଦ୍ର ସରକାର ନା କଲା ପରେ ଆଜି ମହାନଦୀ ପ୍ରସଙ୍ଗ ଗୃହରେ ଉଛୁଳିଥିଲା। ସୁଅ ଏତେ ପ୍ରଖର ଥିଲା ଯେ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନା ସବୁ ଧୋଇ ହୋଇଯାଇଥିଲା। ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ଅଚଳାବସ୍ଥା ଲାଗି ରହିଥିଲା।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ତିନି ଦଳ ଚିତ୍କାର କରି ଠିଆ ହୋଇପଡ଼ିଲେ। ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ‘କେନ୍ଦ୍ର ସରକାର ହାଏ ହାଏ…’ ନାରା ଦେଲେ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଧୋକ୍କା ଦେଲା ବୋଲି ପାଟି କଲେ।

ଏହି ସମୟରେ ବିରୋଧୀ କଂଗ୍ରେସ ଦଳର ସଭ୍ୟମାନେ ସିଧା ଗୃହ ମଧ୍ୟ ଭାଗକୁ ଚାଲିଆସିଲେ। ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରି ସେମାନେ ନାରାବାଜି କଲେ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟ ଧୋକ୍କା ଦେଇଛନ୍ତି ବୋଲି ଆରୋପ ଲଗାଇଲେ।

ବିଜେପି ସଭ୍ୟମାନେ ପଛରେ ପଡ଼ି ନ ଥିଲେ। ସେମାନେ ବି ଝପଟି ଆସିଥିଲେ ଗୃହ ମଧ୍ୟ ଭାଗକୁ। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଗଳା ଫଟାଇ ସମାଲୋଚନା କରିବାକୁ ଲାଗିଲେ।

ତିନି ଦଳର ସଭ୍ୟମାନଙ୍କ ନାରାବାଜି, ଆରୋପ-ପ୍ରତ୍ୟାରୋପ, ଗର୍ଜନରେ ଗୃହ କମ୍ପି ଉଠିଥିଲା। ବାଚସ୍ପତି ବାରମ୍ବାର ସମସ୍ତଙ୍କୁ ଶାନ୍ତ ହେବାକୁ ନିବେଦନ କରୁଥିଲେ। ନିଜେ ଠିଆ ହୋଇ ଅନୁରୋଧ କଲେ। କିନ୍ତୁ କିଛି ସୁଫଳ ମିଳି ନ ଥିଲା। ଶେଷରେ ୧୦ଟା ୩୨ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଗୃହ ବାହାରେ ଗଣମାଧ୍ୟମକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, କେନ୍ଦ୍ର ସରକାର ପ୍ରତାରଣା କରିଛନ୍ତି। ରକ୍ଷକ ହୋଇ ଭକ୍ଷକ ପରି ଆଚରଣ କରୁଛନ୍ତି। ଓଡ଼ିଶାବାସୀଙ୍କ ବିରୋଧରେ ବୋଧହୁଏ ବିଧିବଦ୍ଧ ଭାବେ ଷଡ଼ଯନ୍ତ୍ର ଚାଲିଛି। ଆଇନ୍‌ ଅନୁସାରେ କେନ୍ଦ୍ର ସରକାର ଯେଉଁଟା କରିବା ପାଇଁ ବାଧ୍ୟ ତାହା କରୁ ନାହାନ୍ତି। ଆଇନ୍‌ ଥିବା ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ରାଜ୍ୟ ଟ୍ରିବ୍ୟୁନାଲ୍‌ ଗଠନ କରିବା ପାଇଁ ଦାବି କରେ, ତେବେ କେନ୍ଦ୍ର ସରକାର ତାହା ଗଠନ କରିବାକୁ ବାଧ୍ୟ। ଏହା ମୂଳ ଆଇନ୍‌ରେ ନ ଥିଲା। ଏନ୍‌ଡିଏ ସରକାର ହିଁ ଆଇନ୍‌ରେ ସଂଶୋଧନ କରି ଏହାକୁ ବାଧ୍ୟତାମୂଳକ କରିଥିଲେ। ୧୯.୧୧.୨୦୧୬ରେ ସେମାନେ ଓଡ଼ିଶାର ଆବେଦନ ଗ୍ରହଣ କରିଛନ୍ତି। ତେଣୁ ବର୍ଷକ ଭିତରେ ସେମାନେ ଟ୍ରିବ୍ୟୁନାଲ୍‌ ଗଠନ କରିବାକୁ ବାଧ୍ୟ। କେନ୍ଦ୍ର ସରକାରଙ୍କ କୌଣସି ଆଳ ଆଉ ଗ୍ରହଣଯୋଗ୍ୟ ନୁହେଁ। କାଗଜପତ୍ର ଦାଖଲ ହୋଇ ନ ଥିବା ଆଳ ବି ଦେଖାଇପାରିବେ ନାହିଁ। କାଗଜପତ୍ର କଥା ଟ୍ରିବ୍ୟୁନାଲ ବିଚାର କରିବ। କେନ୍ଦ୍ର ସରକାର କିଏ ? ଗତକାଲି ବିଧାନସଭାରେ ୫ ଘଣ୍ଟା ଆଲୋଚନା ପରେ ବି ଫଳ ଶୂନ। ଅତୀତରେ କ’ଣ ହୋଇଛି, ତାହା ଭୁଲିଯିବୁ। ଆମକୁ ଯେଉଁ ଅସମ୍ମାନ କରାଯାଇଛି, ତାହାକୁ ବି ହୃଦୟରୁ କାଢ଼ି ଫିଙ୍ଗିଦେଉଛୁ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ କରିଛୁ ଯେ ତା ନେତୃତ୍ୱରେ ଆମେ ଏକାଠି ହୋଇ ଓଡ଼ିଶାବାସୀଙ୍କୁ ନେଇ କେନ୍ଦ୍ର ବିରୋଧରେ ଲଢ଼େଇ କରିବୁ। ବିଜେପି ବି କହିଥିଲା ଛତିଶଗଡ଼ ସହ ଲଢ଼େଇ କରିବାକୁ ସେମାନେ ପ୍ରସ୍ତୁତ। ତାହା ପରେ ଆଉ ରହିଲା କ’ଣ। ତଥାପି ମୁଖ୍ୟମନ୍ତ୍ରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ?

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଥିଲେ, ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଅସଲ ଚେହେରା ଧରାପଡ଼ିଯାଇଛି। ତାହାକୁ ଚପାଇବା ପାଇଁ ସରକାରୀ ଦଳ ହୋହଲ୍ଲା କରି ଗୃହ ଅଚଳ କଲେ। ରାଜ୍ୟ ସରକାର ତୁରନ୍ତ ଭଲ ଓକିଲ ଦେଇ ସବୁ ତଥ୍ୟ ସୁପ୍ରିମକୋର୍ଟରେ ଦିଅନ୍ତୁ। ସେଠାରେ ଅସଲ ଲଢ଼େଇ ହେଉଛି। ଗୃହରେ କିଛି ନାହିଁ। ତେବେ ମହାନଦୀ ପ୍ରସଙ୍ଗରେ ଗୃହ କମିଟି ପାଇଁ ବିଜେପି ରାଜି ଅଛି। କମିଟି ଯାହା ନିଷ୍ପତ୍ତି ନେବ, ବିଜେପି ତାହାକୁ ସମର୍ଥନ ଦେବ।

ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ, ମହାନଦୀ ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗୃହରେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନା କରିବା ଠିକ୍‌ ହେବ ନାହିଁ। ଗୃହକୁ ମୁଲତବୀ ରଖାଯାଇ ଏ ଦିଗରେ କିଛି ପଦକ୍ଷେପ ନିଆଯାଉ। ତାହା ପରେ ଶାସକ ଦଳ ସଭ୍ୟ ମହେଶ ସାହୁ କହିଲେ, କେନ୍ଦ୍ର ସରକାରଙ୍କ ସାଧାରଣ ଜ୍ଞାନର ଅଭାବ ରହିଛି। କେନ୍ଦ୍ର ଯେଉଁ ନିଷ୍ପତ୍ତି ନେଇଛି, ତାହା ରାଜ୍ୟ ସ୍ୱାର୍ଥ ବିରୋଧୀ। ତେଣୁ ଏପରି ସ୍ଥିତିରେ ଗୃହ ସ୍ୱାଭାବିକ ଚଳାଇବା ସମ୍ଭବ ହେବ ନାହିଁ। ଗୃହକୁ ମୁଲତବୀ ରଖାଯାଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ।

ଶ୍ରୀ ସାହୁ ଏତିକି କହି କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେବା ଆରମ୍ଭ କଲେ। ଶାସକ ଦଳର ଅନ୍ୟ ସଭ୍ୟମାନେ ମଧ୍ୟ ଠିଆ ହୋଇ ନାରାବାଜି କଲେ। ଏହି ସମୟରେ ବିରୋଧୀ ଦଳ ସଭ୍ୟମାନେ ସ୍ଲୋଗାନ୍‌ ଦେଇ ପ୍ରତିବାଦ ଜାରି ରଖିଥିଲେ। ୩ଟା ୨ରେ ବାଚସ୍ପତି ଗୃହକୁ ୩୦ ମିନିଟ୍‌ ପାଇଁ ମୁଲତବୀ ରଖିଲେ।

୩ଟା ୩୨ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ଘୋଷଣା କରିଥିଲେ, ସନ୍ଧ୍ୟା ୫ଟାରେ ନିଜ ଚାମ୍ବରରେ ସର୍ବଦଳୀୟ ବୈଠକ ଡକାଯାଉଛି। ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଶାସକ ଦଳ ମୁଖ୍ୟ ସଚେତକ, ଉପ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଜର୍ଜ ତିର୍କୀ, ଲକ୍ଷ୍ମଣ ମୁଣ୍ଡା ଓ ନୀତିଶ ଗଙ୍ଗଦେବ ଏଥିରେ ଯୋଗ ଦେବାକୁ ବାଚସ୍ପତି ଅନୁରୋଧ କରିଥିଲେ। ଏତିକି ସୂଚନା ଦେଇ ୩ଟା ୩୨ରେ ବାଚସ୍ପତି ଗୃହକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର