ବିଧାନସଭା ପୁଣି ଅଚଳ

ଭୁବନେଶ୍ବର : ଗତକାଲି ଯାହା ଘଟିଥିଲା, ଆଜି ତାହାର ପୁନରାବୃତ୍ତି ହେଲା। ଚାଷକୁ ପ୍ରସଙ୍ଗ କରି କଂଗ୍ରେସ ହଟ୍ଟଗୋଳ କଲା। ଚିଟ୍‌ଫଣ୍ଡ୍‌କୁ ପ୍ରସଙ୍ଗ କରି ବିଜେପି ହୋହଲ୍ଲା କଲା। ଗତକାଲି ଶାସକ ଦଳ ନିରବଦ୍ରଷ୍ଟା ସାଜିଥିଲା ବେଳେ ଆଜି ଗୃହ କମ୍ପାଇଥିଲା। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିରେ ବିଜେଡି ସଭ୍ୟମାନେ ବି ନାରାବାଜି କରିଥିଲେ। ଫଳରେ ଗୃହ ତୁହାକୁ ତୁହା ମୁଲତବୀ ହେଲା। ପ୍ରଶ୍ନକାଳକୁ ବାଦ୍ ଦେଲେ ଚାଲିଲା ମାତ୍ର ୯ ମିନିଟ୍। ସର୍ବଦଳୀୟ ବୈଠକରେ ବି କିଛି ନିଷ୍କର୍ସ ବାହାରିଲାନି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପ୍ରିୟନାଥ ଦେ ଓ ସାଂସଦ ଲଡ଼ୁକିଶୋର ସ୍ବାଇଁଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିବା ସହ ସେମାନଙ୍କ ସ୍ମୃତିଚାରଣ କରିଥିଲେ। ଏହା ପରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ଅ‌ାଲୋଚନାରେ ଭାଗ ନେଇଥିଲେ। ଶେଷରେ ବାଚସ୍ପତି ପ୍ରଦୀପ ଅମାତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲା ପରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

୮ ମିନିଟ୍‌ର ଏହି ଶୋକ ଆ‌ଲୋଚନା ସରିବା ମାତ୍ରେ ଆରମ୍ଭ ହୋଇଗଲା ହଟ୍ଟଗୋଳ। ବିଜେପି ସଭ୍ୟମାନେ ଚିଟ୍‌ଫଣ୍ଡ୍ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟା‌େର୍ଗଟ୍ କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। କଂଗ୍ରେସ ସଭ୍ୟମାନେ ଚାଷୀଙ୍କୁ ହକ୍ ଦେବା ଦାବିରେ ମଧ୍ୟ ଭାଗକୁ ଆସିଲେ। ଦୁଇଟି ଯାକ ଦଳର ସଭ୍ୟମାନେ ଦୁଇଟି ଭିନ୍ନ ପ୍ରସଙ୍ଗରେ ଏପରି ହୋହଲ୍ଲା କ‌େଲ ଯେ ଗୃହ କମ୍ପିଥିଲା। ଏହି ସମୟରେ ଶାସକ ଦଳ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। ସେମାନେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ସ୍ଲୋଗାନ୍ ଦେଲେ।

ତିନିଟି ଯାକ ଦଳର ଏମିତି ହୋହଲ୍ଲା ଭିତରେ ବାଚସ୍ପତି ପ୍ରଶ୍ନକାଳ ଚଳାଇ ରଖିବାକୁ ଉଦ୍ୟମ କଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ଡାକିଲେ। କିନ୍ତୁ ଗୃହ ସ୍ବାଭାବିକ ‌େହାଇପାରି ନ ଥିଲା। ଫଳରେ ୧୦ଟା ୪୧ରେ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଲେ।

୧୧ଟା ୪୧ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ତାରାପ୍ରସାଦ ବାହିନୀପତି କହିବାକୁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଚାଷୀମାନଙ୍କ ଆନ୍ଦୋଳନକୁ ସରକାର ଜୋର୍‌ଜବରଦସ୍ତ ବନ୍ଦ କରିବାକୁ ବଳପ୍ରୟୋଗ କରୁଛନ୍ତି ବୋଲି ସେ ଅଭିଯୋଗ କଲେ। ଏହି ସମୟରେ ବିଜେପି ସଭ୍ୟମାନେ ପୁଣି ଗୃହ ମଧ୍ୟଭାଗକୁ ମାଡ଼ିଆସିଲେ। ତେଣୁ ତାରା ଆଉ କହିପାରି ନ ଥିଲେ। ସଙ୍ଗେ ସଙ୍ଗେ କଂଗ୍ରେସ ସଭ୍ୟମାନେ ବି ବିଜେଡି-ବିଜେପି ବିରୋଧରେ ସ୍ଲୋଗାନ୍ ଦେଇ ମଧ୍ୟ ଭାଗକୁ ଆସିଲେ। ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥ‌ିଲେ ବି ସେମାନେ ଶୁଣି ନ ଥିଲେ।

ଏହି ସମୟରେ ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମା କହିଲେ, ସରକାର ତ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜି ଅଛନ୍ତି। କିନ୍ତୁ ବିରୋଧୀ ଦଳ ସହ‌େଯାଗ କରିବା ଦରକାର। କଂଗ୍ରେସ ଓ ବିଜେପି ସଭ୍ୟମାନେ ନିଜ ନିଜ ଆସନ‌େର ବସିଥିଲେ। କିନ୍ତୁ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ନିଜ ଦଳର ସଭ୍ୟମାନଙ୍କୁ ଗୃହ ମଧ୍ୟ ଭାଗକୁ ଯିବାକୁ କହି ଅଯଥା ଅସ୍ବାଭାବିକ ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କଲେ।

ତାଙ୍କର ଏପରି ଅଭିଯୋଗକୁ ଶ୍ରୀ ସିଂହଦେଓ ପ୍ରତିବାଦ କରିଥିଲେ। ‌ତେବେ ଗୃହରେ ହୋହଲ୍ଲା ଜାରି ରହିଥିବାରୁ ଉଭୟଙ୍କ ଆରୋପ-ପ୍ରତ୍ୟାରୋପ ଶୁଣାଯାଇ ନ ଥିଲା। ବାଚସ୍ପତି ୧୧ଟା ୪୪‌େର ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିଲେ।

ଅପରାହ୍ନ ୩ଟାରେ ସ୍ଥିତିରେ ସୁଧାର ନ ଆସିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ୩ଟା ୩ରେ ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଲେ। ୪ଟା ୩ରୁ ଆଉ ଅଧଘଣ୍ଟା, ୪ଟା ୩୩ରୁ ପୁଣି ଅଧଘଣ୍ଟା ଏବଂ ୫ଟା ୩ରୁ ୫ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା। ୫ଟା ୩୦ରେ ଗୃହ ଆରମ୍ଭ ହେବା ପରେ ପୁଣି ବିରୋଧୀ ସଭ୍ୟମାନେ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କଲେ। ହଟ୍ଟଗୋଳ ଭିତରେ ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିବାକୁ ମନ୍ତ୍ରୀମାନଙ୍କୁ ଡାକିଲେ। ପ୍ରତିବାଦରେ ବିଜେପି ସଭ୍ୟମାନେ କକ୍ଷ ତ୍ୟାଗ କରିଥିଲେ। ଧାନ କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା ଏବଂ ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଯୋଗାଇବାକୁ ଦାବି କରି କଂଗ୍ରେସର ମୁଖ୍ୟ ସଚେତକ ଶ୍ରୀ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଶାସକ ଦଳ ସଭ୍ୟ ଉମାକାନ୍ତ ସାମନ୍ତରାୟ ଓ ମହେଶ ସାହୁ ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ରଖିଲା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପ‌େର ଧନ୍ୟବାଦ ପ୍ରସ୍ତାବ ଗୃହରେ ଗୃହୀତ କରାଗଲା ବୋଲି ବାଚସ୍ପତି ଘୋଷାଣା କରିଥିଲେ। ବିରୋଧୀଙ୍କ ପକ୍ଷରୁ ଆସିଥିବା ସଂଶୋଧନ ପ୍ରସ୍ତାବ କାଟ୍ ଖାଇଥିଲା। ୫ଟା ୫୫ରେ ଗୃହକୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର