ଆଜିଠାରୁ ବିଧାନସଭା

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଓଡିଶା ବିଧାନସଭାର ବଜେଟ୍‌ ଅଧିବେଶନ। ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଦୁଇ ପର୍ଯ୍ୟାୟରେ ହେବ, ଯେଉଁଥିରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।

କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଡ. ଏସ୍‌ ସି ଜମିର୍‌ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ଏହା ଉପରେ ଦୁଇ ଦିନ ଧରି ଗୃହରେ ଆଲୋଚନା ହେବ। ଆଲୋଚନା ଶେଷରେ ଏହି ପ୍ରସ୍ତାବକୁ ଗୃହ ଅନୁମୋଦନ ଦେବ।

୨୩ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଚିଠା ବଜେଟ୍‌ ଆଗତ କରିବେ। ମାର୍ଚ୍ଚ ୩୧ ତାରିଖରେ ମାସକ ପାଇଁ କାମଚଳା ବଜେଟ୍‌କୁ ଗୃହ ପାରିତ କରିବ।

ଏପ୍ରିଲ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଧାନସଭାର କାର୍ଯ୍ୟଦିବସ ସ୍ଥଗିତ ରହିବ । ଏହି ସମୟ ମଧ୍ୟରେ ବିଭିନ୍ନ ବିଭାଗ ପାଇଁ ଥିବା ବିଧାନସଭାର ସ୍ଥାୟୀ କମିଟି ବଜେଟ୍‌ର ତର୍ଜମା କରିବେ।

ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଏପ୍ରିଲ୍‌ ୧୧ତାରିଖରୁ ଆରମ୍ଭ ହେବ। ସେହିଦିନ ବିଧାନସଭାରେ ବିଭାଗଓ୍ଵାରି ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପିତ ହେବ। ଏପ୍ରିଲ୍‌ ୧୨ ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ବିସ୍ତତ ଆଲୋଚନା ଲାଗି ଦିନ ଧାର୍ଯ୍ୟ ହୋଇଛି। ଏପ୍ରିଲ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍‌ ବିଧାନସଭାର ଅନୁମୋଦନ ଲାଗି ଆସିବ । ଏହି ଅଧିବେଶନ କାଳରେ ମୋଟ ୩ ଦିନ ବେସରକାରୀ ସଦସ୍ୟ ଦିବସ ରଖାଯାଇଛି । ସେହିଭଳି ୪ ଦିନ ସରକାରୀ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ରହିଛି।

ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୦ଟି କାର୍ଯ୍ୟଦିବସ ଥିବାବେଳେ ଏପ୍ରିଲ୍‌ ୧୧ରୁ ମଇ ୫ତାରିଖ ପର୍ଯ୍ୟନ୍ତ ୨୧ଟି କାର୍ଯ୍ୟ ଦିବସ ରହିଛି।

ଉଲ୍ଲେଖଥାଉକି, ଆସନ୍ତାକାଲି ରାଜ୍ୟପାଳ ଡ. ଏସ୍‌ ସି ଜମିର୍‌ଙ୍କର କାର୍ଯ୍ୟକାଳ ସରିବ। ଏଥିସହିତ ଆସନ୍ତାକାଲି ସେ ଗୃହରେ ତାଙ୍କର ଶେଷ ଅଭିଭାଷଣ ରଖିବେ।

ସମ୍ବନ୍ଧିତ ଖବର