ଅଭିଜିତ୍‌ଙ୍କୁ କ୍ଷମା କରିଦେଲେ ବିଧାନସଭା : ଓଡ଼ିଶାର ଐତିହ୍ୟ ଜାଣନ୍ତିନି ବହି ଦିଅ, ପଢ଼ନ୍ତୁ

ଭୁବନେଶ୍ବର : ଓଡ଼ିଶାର କଳା, ସଂସ୍କୃତି ସଂପର୍କରେ ଅଋଚିକର ମନ୍ତବ୍ୟ ଓ ବିଧାୟକ, ଗଣମାଧ୍ୟମ ପ୍ରତିନିଧିଙ୍କ ବିରୁଦ୍ଧରେ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଜିତ୍‌ ଆୟାର ମିତ୍ରଙ୍କୁ ଆଜି ବିଧାନସଭା କ୍ଷମା କରିଦେଇଛନ୍ତିି। ତାଙ୍କ ବିରୋଧରେ ହୋଇଥିବା ସ୍ବାଧିକାର ଭଙ୍ଗ ମାମଲାକୁ ବି ପ୍ରତ୍ୟାହାର କରି ନିଆଯାଇଛି। ଗୃହ କମିଟି ଆଗରେ ଅଭିଜିତ୍‌ ନିଃସର୍ତ କ୍ଷମାପ୍ରାର୍ଥନା କରିଥିବା ଦର୍ଶାଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଗୃହରେ ୧୦ ପୃଷ୍ଠା ସମ୍ବଳିତ ରିପୋର୍ଟ ଉପସ୍ଥାପିତ କରିଥିଲେ। ମହାନୁଭବ ପୂର୍ବକ ବିଧାନସଭା ତାଙ୍କୁ କ୍ଷମା ପ୍ରଦାନ କରିବାକୁ ରିପୋର୍ଟରେ ସେ ସୁପାରିସ କରିଥିଲେ। ଗୃହରେ ସର୍ବସମ୍ମତ ଭାବେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା।

ଆଜି ଗୃହରେ ବିରୋଧୀ ଦଳ ନେତା ତଥା ଗୃହ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ଅଭିଜିତ୍‌ ସଂପର୍କିତ ରିପୋର୍ଟ ଉପସ୍ଥାପନ କରିଥିଲେ। ସେ କହିଲେ ଯେ ଅଭିଜିତ୍‌ ଆୟାର ମିତ୍ର ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଉପରେ ଅଋଚିକର ମନ୍ତବ୍ୟ, ବିଧାୟକମାନଙ୍କୁ ବୁଦ୍ଦୁ କହିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କଟାକ୍ଷ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏ ନେଇ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଗୃହର ଅବମାନନା ବୋଲି ସେ କହିଥିଲେ। ବାଚସ୍ପତି ପ୍ରଦୀପ କୁମାର ଅମାତ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ସ୍ବାଧିକାର ଉଲ୍ଲଂଘନ ପ୍ରସଙ୍ଗ ନେଇ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଗୃହ କମିଟି ଗଠନ କରିଥିଲେ। ବିଧାନସଭାର ଶୀତକାଳୀନ ଅଧିବେଶନରେ ରିପୋର୍ଟ ଉପସ୍ଥାପନ କରିବାକୁ ବାଚସ୍ପତି ଗୃହ କମିଟିକୁ ନିର୍ଦେଶ ଦେଇଥିଲେ।

ସ୍ବାଧିକାର ଭଙ୍ଗ ପ୍ରସଙ୍ଗ ଉପରେ ଅନୁସନ୍ଧାନ କ୍ରମରେ ଗୃହ କମିଟି ପକ୍ଷରୁ ୬ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅଭିଜିତ୍‌ଙ୍କୁ ବି ଗୃହ କମିଟି ଆଗରେ ହାଜର କରାଯାଇଥିଲା। ସେ ନିଃସର୍ତ କ୍ଷମାପ୍ରାର୍ଥନା କରିଥିଲେ। ତାଙ୍କର ନିର୍ବୋଧତା ଯୋଗୁଁ ଓଡ଼ିଶାର କଳା, ସଂସ୍କୃତି ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ସହିତ ବିଧାୟକମାନଙ୍କୁ ଅପମାନିତ କଲାଭଳି ମନ୍ତବ୍ୟ ଦେଇଥିବା ସେ ମାନିଥିଲେ। ଏ ସମସ୍ତ ସ୍ବୀକାରୋକ୍ତି ନେଇ ସେ ସତ୍ୟପାଠ ବି ଦାଖଲ କରିଥିଲେ। ସତ୍ୟପାଠ ଓ ଘଟଣାବଳୀ ଉପରେ ତର୍ଜମା କରି ଗୃହ କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ଗତ ୧୫ ତାରିଖରେ ଅନୁଷ୍ଠିତ ଶେଷ ବୈଠକରେ କମିଟି ତା’ର ରିପୋର୍ଟ ଚୂଡ଼ାନ୍ତ କରିଛି। ଗୃହ କମିଟିର ରିପୋର୍ଟରେ ସବିଶେଷ ତଥ୍ୟ ଓ ଘଟଣାକ୍ରମ ବିଶଦ ଭାବେ ଉଲ୍ଲେଖ କରାଯାଇଛି।

କାହାରି ନାମ ଉଲ୍ଲେଖ ନ କରି ଗୃହ କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିଜିତ୍‌ଙ୍କ କହିବାନୁଯାୟୀ ସେ ଭୁବନେଶ୍ବର ବିମାନ ବନ୍ଦରରେ କିଛି ବ୍ୟକ୍ତିଙ୍କୁ ଭେଟିଥିଲେ। ସେମାନଙ୍କ ସହିତ କଳା, ସଂସ୍କୃତି ଓ ଐତିହାସିକ କୀର୍ତିରାଜି ସଂପନ୍ନ ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ରାଜ୍ୟ ବାହାରର ବ୍ୟକ୍ତିଙ୍କୁ ଏସବୁ ସ୍ଥାନ ବୁଲାଇବା ପୂର୍ବରୁ ତାଙ୍କୁ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ସଂପର୍କରେ କୁହାଯାଇଥିଲେ ଭଲ ହୋଇଥାନ୍ତା ବୋଲି ରିପୋର୍ଟରେ ମତପ୍ରକାଶ ପାଇଛି। ସେହିପରି ରାଜ୍ୟ ସରକାର ଅଭିଜିତ୍‌ଙ୍କୁ ରାଜ୍ୟର କଳା, ସଂସ୍କୃତି, ଇତିହାସ ଓ ଏହାର ଲୋକମାନଙ୍କ ସଂପର୍କରେ ଜ୍ଞାନ ଆହରଣ ନିମନ୍ତେ ଆବଶ୍ୟକ ପୁସ୍ତକପତ୍ର ଆଦି ପ୍ରଦାନ କରିବାକୁ ଗୃହ କମିଟି ସୁପାରିସ କରିଛି।

ଗୃହ କମିଟି ଅଧ୍ୟକ୍ଷ ରିପୋର୍ଟ ଉପସ୍ଥାପନ କରିବା ପରେ କମିଟିର ଅନ୍ୟତମ ସଦସ୍ୟ ଦେବୀପ୍ରସାଦ ମିଶ୍ର ତାଙ୍କ ମତାମତ ଦେଇଥିଲେ। ସେ କହିଥିଲେ ଯେ ଓଡ଼ିଶା ସବୁବେଳେ ଉଦାର, ମହାନ। ଏହି ମାଟି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିପାରିଛି। ଅଭିଜିତ୍‌ ନିଜେ ମାନିଛନ୍ତି ସେ ସାମ୍ବାଦିକ ନୁହେଁ, ଗବେଷକ। ତାଙ୍କୁ ଯଦି ତାଙ୍କ ବନ୍ଧୁମାନେ ଓଡ଼ିଶା ବିଷୟରେ ଧାରଣା ଦେଇଥାନ୍ତେ, ଏପରି ପରିସ୍ଥିତି ଉପୁଜିନଥାନ୍ତା ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର