ଗୃହରେ ବିଧାୟକଙ୍କ ମୋବାଇଲ୍‌ ଜବତ

ଭୁବନେଶ୍ୱର : ଆଜି ଅପରାହ୍ଣରେ ଗୃହରେ ଖର୍ଚଦାବି ପ୍ରସ୍ତାବ ଉପରେ ବିଜେଡି ବିଧାୟକ ଆୟୁବ୍‌ ଖାଁ ଆଲୋଚନା କରୁଥିବା ବେଳେ ତାଙ୍କ ମୋବାଇଲ୍‌ ବାଜିଉଠିଥିଲା। ଫଳରେ ଗୃହର ମାର୍ଶାଲ୍‌ ତାଙ୍କ ମୋବାଇଲ୍‌କୁ ଜବତ କରିଥିଲେ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚଦାବି ପ୍ରସ୍ତାବ ଆଗତ କରିବା ବେଳେ ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ମୋବାଇଲ୍‌ ବାଜିଥିଲା। ଏ ନେଇ ବାଚସ୍ପତି ପ୍ରଦୀପ କୁମାର ଅମାତ କହିଥିଲେ, ସଭ୍ୟମାନେ କେହି ଗୃହ ଭିତରକୁ ମୋବାଇଲ୍‌ ଆଣିବେ ନାହିଁ। ଏଥିପାଇଁ କଡ଼ା କଟକଣା ଜାରି ହୋଇଛି। ମନ୍ତ୍ରୀ ଶ୍ରୀ ମହାନ୍ତି ପଚାରିଥିଲେ ମୋବାଇଲ୍‌ ଆଣିବେନାହିଁ ନା ଏହା ବାଜିବନାହିଁ। ମୋବାଇଲ୍‌ ସାଇଲେଣ୍ଟ ମୋଡ୍‌ରେ ରହି ଶବ୍ଦ ନ ହେଲେ ତ କିଛି ଅସୁବିଧା ନାହିଁ। ବାଚସ୍ପତି କହିଲେ ଯେ ସେ(ଶ୍ରୀ ମହାନ୍ତି) ବାଚସ୍ପତି ଥିବା ବେଳେ ଏଭଳି କଟକଣା କରିଥିଲେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା କଥା। ଏହାର କିଛି ସମୟ ପରେ ବିଧାୟକ ଶ୍ରୀ ଖାଁଙ୍କ ମୋବାଇଲ୍‌ ବାଜିବା ବେଳେ ମାର୍ଶାଲ୍‌ ତାଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ବିଧାୟକ ଜଣକ ନିଜ ବକ୍ତବ୍ୟରେ ମଗ୍ନ ଥାଇ ଆପଣାଛାଏଁ ମୋବାଇଲ୍‌କୁ ବଢ଼ାଇ ଦେଇଥିଲେ।

ଉପବାସରେ ବସିଲେ ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଆଜି ଅଭିନବ ଢଙ୍ଗରେ ଗୃହ ଭିତରେ ନିଜ ଅସନ୍ତୋଷ ଜାହିର୍‌ କରିଥିଲେ। ଅଭିଯୋଗ କରିଥିଲେ, ବିଜେଡି ସଭ୍ୟମାନେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି। ତାଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀମାନେ ଗୃହରେ ଘୋଷଣା କରୁଥିଲେ ବି ତାହା କାର୍ଯ୍ୟକାରୀ କରୁ ନାହାନ୍ତି। ଏହାର ପ୍ରତିବାଦରେ ସେ ଗୃହରେ ଉପବାସରେ ବସିଥିଲେ। ଆଜି ପ୍ରଶ୍ନକାଳ ସମୟରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ମହାନଦୀ ପ୍ରସଙ୍ଗରେ ଆଲୋଚନା ଦାବିରେ ହଟ୍ଟଗୋଳ କରୁଥିଲା ବେଳେ ଶ୍ରୀ ପୁରୋହିତ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଲିଖିତ ପତ୍ର ତାଙ୍କ ଟେବୁଲ୍‌ ଉପରେ ରଖିଥିଲେ। ଗୃହ ମୁଲତବୀ ହେବା ପରେ ସେ ବାଚସ୍ପତିଙ୍କ ପୋଡିୟମ୍‌ ତଳେ ଧାରଣାରେ ବସି ରହିଲେ। ଶୂନ୍ୟକାଳରେ ବାଚସ୍ପତି ତାଙ୍କୁ ଅନୁରୋଧ କଲା ପରେ ସେ ନିଜ ଆସନକୁ ଫେରିଥିଲେ।

ଶ୍ରୀ ପୁରୋହିତ କହିଛନ୍ତି, ବିରୋଧୀ ଦଳ ହିସାବରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠାଇବା ଆମ ଦାୟିିତ୍ୱ। କିନ୍ତୁ ଦୁର୍ଭାଗ୍ୟର କଥା ବିଜେଡି ନିଜେ ସରକାରରେ ଥାଇ ବିଧାନସଭାରେ ନିଜ ଉତ୍ତରଦାୟିତ୍ୱରୁ ଓହରିଯାଇ ଗୃହକୁ ରାଜନୈତିକ ମଞ୍ଚ ଭାବେ ବ୍ୟବହାର କରୁଛି। ଗୃହର ନେତା ମୁଖ୍ୟମନ୍ତ୍ରୀ ନିିଜେ ମାତ୍ର ଦୁଇ ମିନିଟ୍‌ ବିଧାନସଭାରେ ବସୁଛନ୍ତି। ଏହା ସଂସଦୀୟ ରାଜନୀତିରେ ଏକ ଖରାପ ନଜିର ସୃଷ୍ଟି କରୁଛି। ଆହୁରି ମଧ୍ୟ ମୋ ନିର୍ବାଚନମଣ୍ଡଳୀର ଲୋକଙ୍କ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ବିଭିନ୍ନ ସମୟରେ ଉଠାଯାଇଛି ଏବଂ ଏସବୁକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀମାନେ ଅନେକ ସମୟ ଘୋଷଣା କରିଥିଲେ ବି କିଛି ଫଳ ମିଳି ନାହିଁ। ବିରୋଧୀ ଦଳ ସାଂସଦମାନେ ସଂସଦକୁ ଅଚଳ କରିଦେବା ପ୍ରତିବାଦରେ ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ଉପବାସରେ ରହୁଛନ୍ତି। ଏଠାରେ ଓଡ଼ିଶାର ବିଧାନସଭା ଗାରିମା ନଷ୍ଟ ହେଉଥିବାରୁ ସେ ଗୃହ ଭିତରେ ଉପବାସରେ ବସୁଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର