ବିଧାନସଭା ଏପାଖ ‌ସେପାଖ

ଉଦାର ବାଚସ୍ପତି
ବିଧାନସଭାର ଶୂନ୍ୟକାଳରେ ପ୍ରଦୀପ ମହାରଥୀ ପର୍ଯ୍ୟଟନ ପ୍ରସଙ୍ଗ ଉଠାଇଥିଲେ। ପ୍ରଥମେ ସେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବେଶ୍‌ ପ୍ରଶଂସା କଲେ। କହିଲେ, ଆପଣଙ୍କ ପରି ଉଦାର ବାଚସ୍ପତି କେବେ ଦେଖିନି। ବିଧାୟକମାନଙ୍କ ସମସ୍ୟାର ସମାଧାନ ପାଇଁ ଆପଣ ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ଦେଉଛନ୍ତି। ବହୁତ ଭଲ କାମ କରୁଛନ୍ତି। ଇତିହାସଙ୍କ ଆପଣଙ୍କୁ ମନେ ରଖିବ। ମହାରଥୀଙ୍କ ଏହି ମନ୍ତବ୍ୟ ବେଳେ ବାଚସ୍ପତି ସ୍ମିତହାସ୍ୟ ଦେଉଥିଲେ।

ତାରାଙ୍କ ଗର୍ଜନ
ପ୍ରଶ୍ନକାଳରେ ତାରା ପ୍ରସାଦ ବାହିନୀପତି ଜୟପୁର ପେପର୍ ମିଲ୍‌ ବନ୍ଦ ନେଇ ଭୀଷଣ ଉଦ୍‌ବେଗ ପ୍ରକାଶ କରିଥିଲେ। ଗର୍ଜନ ତର୍ଜନ କରି ଗୃହ କମ୍ପାଇଥିଲେ। ସରକାର ଉଚ୍ଚସ୍ତରୀୟ ବୈଠକ ଡାକି ସମାଧାନ ବାଟ ନ କାଢ଼ିଲେ ଗୃହ ଅଚଳ କରିଦେବେ ବୋଲି ଚେତାବନୀ ଦେଇଥିଲେ। ପୁଣି କହିଥିଲେ, ମୋର ଆଉ କିଛି ହେବାର ନାହିଁ। ଚାରି ଥର ବିଧାୟକ ହୋଇସାରିଲିଣି। ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହେବାର ନାହିଁ। କିନ୍ତୁ ମୋ ଅଞ୍ଚଳର ସମସ୍ୟା ସମାଧାନ ନ କଲେ ହଜାର ହଜାର ଲୋକ ଆଣି ବିଧାନସଭାରେ ପୂରାଇଦେବି। ଏମିତି ଗର୍ଜନ ଭିତରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ତେରଚ୍ଛା ବାଣ ମାରିଥିଲେ ତାରା। କହିଥିଲେ, ଜଣେ ବିଧାନସଭା‌େର ଲୋକ ପୂରାଇଥିଲେ, ସେ ଏବେ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି। ମୁଁ ବି ଦରକାର ପଡ଼ିଲେ ଲୋକ ପୂରାଇଦେବି।

ଢାଲିଙ୍କ ଅଭିମାନ
ପ୍ରଶ୍ନକାଳ ଓ ଶୂନ୍ୟକା‌ଳରେ ବାଚସ୍ପତି ବହୁ ବିଧାୟକଙ୍କୁ ସୁଯୋଗ ଦେଉଥିବା ଦେଖିବାକୁ ମିଳୁଛି। ତଥାପି କିଛି ବିଧାୟକଙ୍କ ଅଭିମାନ ରହିଯାଉଛି। ଆଜି ବିଜେଡି ବିଧାୟକ ଅରବିନ୍ଦ ଢାଲି ଖୋଲାଖୋଲି ନିଜ ଅଭିମାନ ଜାହିର କରିଥିଲେ। ଶୂନ୍ୟକାଳରେ ବାରମ୍ବାର ହାତ ଟେକିଲା ପରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଲେ। ଶ୍ରୀ ଢାଲି କହିଲେ, ଯାହା ହେଉ, ବାଚସ୍ପତିଙ୍କ ନଜର ପଡ଼ିଲା ଓ ମୋତେ ସୁଯୋଗ ଦେଲେ। ବାଚସ୍ପତି କହିଲେ, ସମସ୍ତଙ୍କୁ ସୁଯୋଗ ମିଳିବ। କିନ୍ତୁ ଶ୍ରୀ ଢାଲି ଅଭିମାନ କରି କହିଲେ, ମୋତେ ତ ମିଳୁ ନ ଥିଲା। ବିଳମ୍ବରେ ସୁଯୋଗ ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଉଛି।

ଶୂନ୍ୟକାଳରେ ୧୮ ବିଧାୟକଙ୍କୁ ସୁଯୋଗ
ଆଜି ଶୂନ୍ୟକାଳ ପାଖାପାଖି ଦେଢ଼ ଘଣ୍ଟା ଧରି ଚାଲିଥିଲା। ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ୧୮ ଜଣ ବିଧାୟକଙ୍କୁ ବାଚସ୍ପତି ସୁଯୋଗ ଦେଇଥିଲେ। ଅଧିକାଂଶ ବିଧାୟକ ପର୍ଯ୍ୟଟନ କ୍ଷେତ୍ର ପ୍ରତି କେନ୍ଦ୍ରୀୟ ଅବହେଳା ଓ ଧାନ ବିକ୍ରି କଥା କହିଥିଲେ। କିଛି ବିଧାୟକ ମଧ୍ୟ ଅନ୍ୟ ପ୍ରସଙ୍ଗ ଉଠାଇଥିଲେ। ସେହିପରି ପ୍ରଶ୍ନକାଳରେ ବାଚସ୍ପତି ବହୁ ବିଧାୟକଙ୍କ ଅତିରିକ୍ତ ପ୍ରଶ୍ନ ପଚାରିବାର ସୁଯୋଗ ଦେଇଥିଲେ।

ପ୍ରଥମାର୍ଦ୍ଧରେ ସୀମିତ ରହିଲା ଗୃହ କାର୍ଯ୍ୟ
ଆଜି କେବଳ ପ୍ରଥମାର୍ଦ୍ଧରେ ଗୃହ କାର୍ଯ୍ୟ ସୀମିତ ରହିଥିଲା। ପ୍ରଶ୍ନକାଳ ଓ ଶୂନ୍ୟକାଳ ପରେ ସ୍ଥାୟୀ କମିଟିଗୁଡ଼ିକର ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହା ପରେ ଅର୍ଥ ମନ୍ତ୍ରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ଆଗତ କରିଥିଲେ। ଏହା ପରେ ୧ଟା ୧୦ରୁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

ସମ୍ବନ୍ଧିତ ଖବର