ତେଲ, ଶିକ୍ଷକଙ୍କ ପାଇଁ ତାତିଲା ଗୃହ : ୩୧ ମିନିଟ୍‌ ଧରି ହଙ୍ଗାମା

ବିଧାନସଭା କର୍ମଚାରୀ ସଙ୍କଟ ନେଇ ଉଦ୍‌ବେଗ, ହୋହଲ୍ଲା ଭିତରେ ୪ ବିଲ୍‌, ଅତିରିକ୍ତ ବଜେଟ୍‌ ଉପସ୍ଥାପିତ

ଭୁବନେଶ୍ୱର : ବିଜେଡି-ବିଜେପି ହାଏ ହାଏ। ପେଟ୍ରୋଲ ପଇସା ଖାଇଛି କିଏ, ମୋଦୀ ସରକାର ଆଉ କିଏ। ବିଜେଡି-ବିଜେପି ଭାଇ ଭାଇ। ଆଜି ବିଧାନସଭାର ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଏମିତି ନାରାବାଜି କଲେ କଂଗ୍ରେସ ସଭ୍ୟ। ମାଡ଼ି ଆସିଲେ ଗୃହ ମଧ୍ୟ ଭାଗକୁ। ସେମାନଙ୍କ ଚିତ୍କାରରେ କମ୍ପିଲା ଗୃହ।

ବିଜେପି ସଭ୍ୟମାନେ ବି ପ୍ରସ୍ତୁତ ଥିଲେ। ନିଜ ନିଜ ଆସନରେ ଠିଆ ହୋଇ ନାରାବାଜି କଲେ, ରାଜ୍ୟ ସରକାର ହାଏ ହାଏ। ଶିକ୍ଷକଙ୍କ ଦାବି ପୂରଣ କର। ଶିକ୍ଷକ ଜାତିକୁ ଅପମାନ ଚଳିବ ନାହିିଁ।

ପୁଣି ସାଲେପୁର ବିଧାୟକ ପ୍ରକାଶ ବେହେରା ସାଲେପୁରକୁ ଏନ୍‌ଏସି କରିବା ଦାବିରେ ବାଚସ୍ପତିଙ୍କ ପୋଡିୟମ୍‌ ତଳେ ଧାରଣା ଦେଲେ। ସଭ୍ୟମାନଙ୍କ ହୋହଲ୍ଲା ଓ ଧାରଣା ଭିତରେ ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ବାଚସ୍ପତି ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କଲେ। ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ଯୋଗାଣ ମନ୍ତ୍ରୀଙ୍କୁ ଡାକିଲେ। ତେବେ ହୋ ହଲ୍ଲା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଇ ନ ଥିଲା। ୧୦ଟା ୩୧ରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ମୁଲତବୀ ରଖିଲେ। କିନ୍ତୁ ସାଲେପୁର ବିଧାୟକ ଧାରଣାରେ ବସି ରହିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ସାଲେପୁରକୁ ଏନ୍‌ଏସି ଦାବି କରିବା ପାଇଁ ବିଧାୟକ ଗୃହରେ ଧାରଣା ଦେଇଛନ୍ତି। ତାଙ୍କ ଦାବି ମଧ୍ୟ ଯୁକ୍ତିଯୁକ୍ତ ଅଛି। ତେଣୁ ନଗର ଉନ୍ନୟନ ମନ୍ତ୍ରୀ ଏହାକୁ ବିଚାର କରିବାକୁ ସେ ଅନୁରୋଧ କରିଥିଲେ। ଏହା ସହ ବିଧାୟକଙ୍କୁ ନିଜ ଆସନରେ ବସିବା ପାଇଁ ନିବେଦନ କରିଥିଲେ।

ଏହା ପରେ ଶ୍ରୀ ମିଶ୍ର କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ୍‌ ଦର ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ବର୍ତ୍ତମାନର ଦର ସର୍ବକାଳୀନ ରେକର୍ଡ କରିଛି। ଅଶୋଧିତ ତୈଳ ଦର ହ୍ରାସ ପାଇଲେ ଏଠାରେ ପେଟ୍ରୋଲ, ଡିଜେଲ୍‌ ଦର କମିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। କିନ୍ତୁ ୨୦୦୮ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୧୪୭ ଡଲାର ଥିଲା ବେଳେ ପେଟ୍ରୋଲ ଦର ଲିଟର ପିଛା ୪୫ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୭୮ ଡଲାର ଥିଲା ବେଳେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁଲାଣି। କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଆଦୌ ଧ୍ୟାନ ଦେଉ ନାହାନ୍ତି। ରାଜ୍ୟ ସରକାର ଭ୍ୟାଟ୍‌ ବି କମାଉ ନାହନ୍ତି। ତୁରନ୍ତ ପେଟ୍ରୋଲ୍‌, ଡିଜେଲ୍‌କୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରି ଦର ହ୍ରାସ କରାଯାଉ। ଯଦି ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସ’ ଲାଗୁ କରାଯାଉଛି, ତେବେ ପେଟ୍ରୋଲ୍‌ ଓ ଡିଜେଲ୍‌ ସେଥିରୁ କାହିଁକି ବାଦ୍‌ ପଡ଼ିବ?

ଶିକ୍ଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଶ୍ରୀ ମିଶ୍ର କହିଲେ, ଶିକ୍ଷାକୁ ଏକ ମୌଳିକ ଅଧିକାର ଭାବେ ବିବେଚନା କରାଯାଉଛି। କିନ୍ତୁ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାରୁ ସ୍କୁଲ୍‌ଗୁଡ଼ିକ ବନ୍ଦ ହୋଇଗଲାଣି। ଶିକ୍ଷକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରୁଛନ୍ତି। ଏକ ଭଲ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକମାନଙ୍କୁ ଭଲ ଦରମା ଦିଆଯିବାର ଆବଶ୍ୟକତା ରହିଛି। ସବୁ ଶିକ୍ଷକମାନଙ୍କ ପାଇଁ ଗୋଟିଏ ଦରମା ଲାଗୁ କରାଯିବା ଉଚିତ। ଆଜି ଗୁରୁଦିବସ। କିନ୍ତୁ ପ୍ରବଳ ବର୍ଷା ସତ୍ତ୍ୱେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଆମ ଶିକ୍ଷା ବ୍ୟବସ୍ଥା ବରବାଦ ହୋଇଗଲାଣି। ଏମିତି ହେଲେ କିପରି ରାଜ୍ୟର ବିକାଶ ହେବ? ଗୃହ ଚାଲିଥିବାରୁ ଏଥିପ୍ରତି ଆମର ଦାୟିତ୍ୱ ରହିଛି। ସରକାର ଏହାକୁ ଗୁରୁତର ସହ ନେବା ଉଚିତ।

ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିବା ‘ଅଚଳ ହୋଇଯିବ ବିଧାନସଭା ସଚିବାଳୟ’ ଶୀର୍ଷକ ଖବରଟି ଦେଖାଇ ଶ୍ରୀ ମିଶ୍ର କହିଥିଲେ, ଏହି ଗୃହ ସର୍ବାଧିକ କ୍ଷମତାଶାଳୀ। ଏହାର କାମ ହେଉଛି ଆଇନ୍‌ ପ୍ରଣୟନ କରିବା। କିନ୍ତୁ ଏଠାରେ ଏତେ ସଂଖ୍ୟାରେ ପଦବି ଫାଙ୍କା ପଡ଼ିଛି ଯେ ବିଧାନସଭାର ଦୈନନ୍ଦିନ କାମ ବି କଷ୍ଟକର ହୋଇପଡ଼ିଲାଣି। ସବୁ ବର୍ଗରେ କର୍ମଚାରୀ ସଙ୍କଟ। ହାଇକୋର୍ଟରେ ମାମଲା ଚାଲିଛି ବୋଲି କୁହାଯାଇ ନିଯୁକ୍ତି ଅଟକାଇ ଦିଆଯାଇଛି। ପଦୋନ୍ନତି ବି ଦିଆଯାଉନି। ତେଣୁ ଅତ୍ୟଧିକ ବିଳମ୍ବ ହେବା ପୂର୍ବରୁ ତୁରନ୍ତ ନିଯୁକ୍ତି ନେଇ ପଦକ୍ଷେପ ନିଆଯାଉ।

ବାଚସ୍ପତି ପ୍ରଦୀପ ଅମାତ ରୁଲିଂ ଦେଇ କହିଥିଲେ, ବିଧାନସଭାର ସିଲେକ୍ସନ କମିଟି ବୈଠକ ଖୁବ୍‌ ଶୀଘ୍ର ବସିବ। ଏହାପରେ ପୁଣି କଂଗ୍ରେସ ସଭ୍ୟମାନେ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ନାରାବାଜି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ କିଛି କହିବା ପାଇଁ ଠିଆ ହେଲେ। କହିଲେ ବି। କିଛି ଶୁଭାଯାଇନଥିଲା। ହୋହଲ୍ଲା ଭିତରେ ବାଚସ୍ପତି ୧୧ଟା ୪୩ରେ ଗୃହକୁ ୧୨ଟା ୩୫ ଯାଏ ମୁଲତବୀ ଘୋଷଣା କଲେ।

୧୧ଟା ୪୩ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଶିକ୍ଷକମାନଙ୍କ ଦାବି ତୁରନ୍ତ ପୂରଣ କରିବା ପାଇଁ ସ୍ଲୋଗାନ୍‌ ଦେଲେ। ଏହି ସମୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା(ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୧୮ ଏବଂ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କ ଦରମା ଓ ଭତ୍ତା ଓ ପେନ୍‌ସନ୍‌(ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୧୮ ଉପସ୍ଥାପନ କରିଥିଲେ। ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓଡ଼ିଶା ସମବାୟ ସମିତି(ସଂଶୋଧନ) ବିଲ୍‌, ୨୦୧୮ ଏବଂ ମନ୍ତ୍ରୀ ଉଷା ଦେବୀ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଲ୍‌, ୨୦୧୮କୁ ଉପସ୍ଥାପନ କରିଥିଲେ। ତାହା ପରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ବିଜେପି ସଭ୍ୟଙ୍କ ହୋହଲ୍ଲା ଜାରି ରହିଥିବାରୁ ୧୨ଟା ୪୦ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର