ଏସ୍‌ସି, ଏସ୍‌ଟି କଲ୍ୟାଣ ବିଭାଗର ଖର୍ଚଦାବି ପାରିତ

ଭୁବନେଶ୍ୱର : ଆଜି ବିଧାନସଭାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ୩୪୧୫ କୋଟି ୪ ଲକ୍ଷ ୫୬ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଛି। ଏ ନେଇ ହୋଇଥିବା ଆଲୋଚନାରେ ଅନୁସୂଚିତ ଜନଜାତି ଓ ଜାତିଙ୍କ ଜନସଂଖ୍ୟା ତୁଳନାରେ ସେମାନଙ୍କ ପାଇଁ ବଜେଟ୍‌ରେ ବ୍ୟୟବରାଦ ସମୁଦ୍ରକୁ ଶଙ୍ଖେ ବୋଲି ବିରୋଧୀ ଦର୍ଶାଇଥିଲେ। ଏଥିରୁ ସରକାରଙ୍କ ଆଦିବାସୀଙ୍କ ପ୍ରତି ଦରଦ ନଥିବା କହି ବିରୋଧୀ ବର୍ଷିଥିଲେ। ତେବେ ଅନୁସୂଚିତ ଜନଜାତି, ଜାତିଙ୍କ ଉନ୍ନୟନ ପ୍ରତି ସରକାର ଅଗ୍ରାଧିକାର ଦେଉଥିବା ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ ତାଙ୍କ ଉତ୍ତରରେ କହିଥିଲେ।

ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଡା. ପ୍ରଫୁଲ୍ଲ ମାଝୀ କହିଲେ, ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ, ଅନୁସୂଚିତ ଜାତିଙ୍କ ଜନସଂଖ୍ୟା ୧୭.୧୩ ପ୍ରତିଶତ; ଏହିରୂପେ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। କିନ୍ତୁ ବିଭାଗୀୟ ବଜେଟ୍‌ରେ ଆନୁପାତିକ ବ୍ୟୟବରାଦ କରାଯାଇନଥିବା ଦର୍ଶାଇ ସେ କ୍ଷୋଭପ୍ରକାଶ କରିଥିଲେ। ବିଜେପି ବିଧାୟକ ରବି ନାୟକ ତାଙ୍କୁ ସମର୍ଥନ କରି କହିଲେ, ଯଦି ଦଳିତ, ଆଦିବାସୀଙ୍କ ସଂଖ୍ୟା ଅନୁସାରେ ବ୍ୟୟବରାଦ କରାଯାଇଥାନ୍ତା, ତାହାହେଲେ ବଜେଟ୍‌କୁ ସେ ସମର୍ଥନ କରିଥାନ୍ତେ। ସମୁଦାୟ ବଜେଟ୍‌ରୁ ଏମାନଙ୍କ ପାଇଁ ମାତ୍ର ୪ ପ୍ରତିଶତ ଅର୍ଥ ବ୍ୟବସ୍ଥା କରାଯାଇଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ।

ରାଜ୍ୟର ସାକ୍ଷରତା ହାର ୭୩ ପ୍ରତିଶତ ଥିବା ବେଳେ ଆଦିବାସୀ, ଦଳିତଙ୍କ ସାକ୍ଷରତା ହାର ମାତ୍ର ୫୨ ପ୍ରତିଶତ କାହିଁକି ବୋଲି ଡା. ମାଝୀ ପଚାରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ଖଣିଖାଦାନରେ ସମୃଦ୍ଧ। କିନ୍ତୁ ଏହି ଜିଲ୍ଲାରେ ଆଦିବାସୀ ପିଲାଙ୍କ ଶିକ୍ଷାଦାନ ନୈରାଶ୍ୟଜନକ। ପଞ୍ଚାୟତିରାଜ ବିଭାଗ ଯେଉଁ ଗ୍ରାମସଭାକୁ ମାନ୍ୟତା ଦେଇଛି, ବାସ୍ତବରେ ତାହା ଗ୍ରାମସଭା ନୁହେଁ। ସେହିପରି ଜଙ୍ଗଲ ଅଧିକାର ଆଇନ ବଳରେ ଯେଉଁ ବ୍ୟକ୍ତିଗତ ପଟ୍ଟା ଦିଆଯାଉଛି, ସେହି ଅଧିକାରକୁ ସରକାର ଫେରାଇ ନେବାର ଅଧିକାର ରହିଛି। ପ୍ରତି ୧୦ ବର୍ଷରେ ସଂରକ୍ଷଣ ବ୍ୟବସ୍ଥାର ନବୀକରଣ ହେବା କଥା। କିନ୍ତୁ ଏ ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ କରିନଥିବାରୁ ଏଥିରୁ ସରକାରଙ୍କ ଆଦିବାସୀ, ଦଳିତ ପ୍ରୀତିର ସ୍ପଷ୍ଟ ପ୍ରମାଣ ମିଳୁଛି। ଆଦିବାସୀ ପରାମର୍ଶଦାତା କମିଟି(ଟିଏସି)ରେ ୨୦ଜଣ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ ଥିବା ବେଳେ ସେଥିରେ ମୁଖ୍ୟମନ୍ତ୍ରୀ କିପରି ଅଧ୍ୟକ୍ଷ ରହିଛନ୍ତି ବୋଲି ଡା. ମାଝୀ ପଚାରିଥିଲେ।

କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଶ୍ରୀ ବାହିନୀପତି, ବିଜେପି ବିଧାୟକ ଶ୍ରୀ ନାୟକ ସରକାରଙ୍କ ଆଦିବାସୀ, ଦଳିତଙ୍କ କଲ୍ୟାଣ କାର୍ଯ୍ୟକ୍ରମକୁ ସମାଲୋଚନା କରିଥିଲେ। ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଶାସକ ଦଳ ବିଧାୟକ ମନୋହର ରନ୍ଧାରୀ, ପ୍ରମିଳା ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ସେଠୀ, ଡୁଗୁନି କଁହର, ଆୟୁବ ଖାଁ ପ୍ରମୁଖ। ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଆଲୋଚନାରେ ଅନ୍ୟ ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି, ଦୀର୍ଘ ୫ ଘଣ୍ଟାର ଆଲୋଚନାରେ ୧୪ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ ହେଁ, ମଝିରେ ଗୃହରେ କୋରମ୍‌ ଅଭାବ ଦେଖାଦେଇଥିଲା। ଏ ନେଇ ବିଧାୟକ ରବି ନାୟକ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ତତ୍‌କ୍ଷଣାତ୍‌ ଏହା ଦୂର ହୋଇଯାଇଥିଲା।

ଶେଷରେ ମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଉତ୍ତରରେ ବିଭାଗୀୟ ଯୋଜନା, କାର୍ଯ୍ୟକ୍ରମ ସଂପର୍କରେ ବିସ୍ତତ ସୂଚନା ଦେଇଥିଲେ। ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ, କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରାଳୟ, ସାମାଜିକ ନ୍ୟାୟ ବିଭାଗ ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ବାବଦରେ ୫୦୦ କୋଟିରୁ ଅଧିକ ଟଙ୍କା ରାଜ୍ୟକୁ ଦେଇନାହିଁ। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଥଇଥାନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରତିନିଧି ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୬-୧୭ରେ ରାଜ୍ୟ ସରକାର ଶତ ପ୍ରତିଶତ ବିନିଯୋଗ ପତ୍ର ଦାଖଲ କରିଥିବା ସେ କହିଥିଲେ।

ମନ୍ତ୍ରୀଙ୍କଠାରୁ ଉତ୍ତର ନ ପାଇବାରୁ ଗୃହରେ ଧାରଣା ଦେଲେ ତାରା

ଆଜି ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ନ ଦେବାରୁ ପ୍ରତିବାଦରେ ସେ ଗୃହର ମଧ୍ୟଭାଗକୁ ଯାଇ ଧାରଣା ଦେଇଥିଲେ। ତାଙ୍କ ସହିତ ବିଧାୟକ ଚନ୍ଦ୍ରଶେଖର ମାଝୀ ଓ ଜାକବ ପ୍ରଧାନ ମଧ୍ୟ ଧାରଣାରେ ବସିଥିଲେ। ତାଙ୍କ ପ୍ରଶ୍ନକୁ ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ କହିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ତାଙ୍କୁ ଧାରଣାରୁ ଉଠିବାକୁ ପ୍ରବର୍ତ୍ତାଇଥିଲେ। ଫଳରେ ସେମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର