ବିଧାନ ପରିଷଦ ପାଇଁ ସଂକଳ୍ପ

ଭୁବନେଶ୍ୱର : ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ଆଗତ କରିଥିବା ସଂକଳ୍ପ ପ୍ରସ୍ତାବ ଆଜି ବିଧାନସଭାରେ ପାରିତ ହୋଇଛି। ଏହି ପ୍ରସ୍ତାବକୁ ବିରୋଧ କରି ଉଭୟ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଥିଲେ ହେଁ, ସରକାରୀ ଦଳ ଓ ସ୍ୱାଧୀନ ସଭ୍ୟଙ୍କ ସମେତ ୧୦୪ ଜଣ ବିଧାୟକଙ୍କ ମୋହରରେ ଏହି ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ଗୃୃହୀତ ହୋଇଛି।

ଏବେ ଏହି ସଂକଳ୍ପକୁ କେନ୍ଦ୍ରକୁ ପଠାଯିବ ଓ ଏ ସଂକ୍ରାନ୍ତ ଆଇନ ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ଯିବ। ଏହାପରେ ନିର୍ବାଚନ କମିସନ ଇଲେକ୍ଟୋରାଲ କଲେଜ ଗଠନ କରିବା ସହିତ ନିର୍ବାଚନ ପାଇଁ ରାସ୍ତା କାଢିବେ।

ଆସନ୍ତା ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ନିର୍ବାଚନ ହେବ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତିକୁ ମାଷ୍ଟରଷ୍ଟ୍ରୋକ୍‌ ବୋଲି କୁହାଯାଉଛି।

ଆଜି ସଂକଳ୍ପ ପାରିତ କରିବା ଲାଗି ବାଚସ୍ପତି ପ୍ରଦୀପ ଅମାତ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସପକ୍ଷରେ ପ୍ରଥମ ଭୋଟର ଭାବେ ଆଏଜ୍‌ ବକ୍ସକୁ ଯାଇଥିଲେ। ପରେ ଲମ୍ବା ଲାଇନ୍‌ ଲାଗିଥିଲା। ତେବେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିବା କାରଣରୁ ନୋଜ୍‌ ବକ୍ସ ସମ୍ପୂର୍ଣ୍ଣ ଖାଲି ପଡିଥିଲା, ଅର୍ଥାତ୍‌ ବିରୋଧରେ କେହି ଭୋଟ ଦେଇନଥିଲେ।

ଅନ୍ୟପକ୍ଷରେ ପ୍ରସ୍ତାବ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହ ବାହାରେ ପ୍ରତିକ୍ରିୟା ଦେଇ କହିଥିଲେ, ରାଜ୍ୟର ଅଭିବୃଦ୍ଧି ତ୍ୱରାନ୍ଵିତ ହୋଇଛି। ଏଥିପାଇଁ ଆହୁରି ଅଧିକ ଆଲୋଚନାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ବିଧାନ ପରିଷଦ ବିଶେଷ ଭାବେ ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ପୂର୍ବ ନିର୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନ ୫ଟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏ ସଂକ୍ରାନ୍ତରେ ସଂକଳ୍ପ ଆଗତ କରିବା ସହିତ ସର୍ବସମ୍ମତ ଭାବେ ପ୍ରସ୍ତାବ ପାରିତ କରିବା ଲାଗି ଅନୁରୋଧ କରିଥିଲେ। ଦୃଢ ଯୁକ୍ତି ଉପସ୍ଥାପନ କରି ମନ୍ତ୍ରୀ କହିଥିଲେ, ରାଜ୍ୟରେ ଥିବା ଆଇନ ପ୍ରଣୟନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହିତ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ଏକ ଉତ୍ତମ ଓ ବ୍ୟାପକ ବିଧି ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ବିଧାନ ପରିଷଦ ଗଠନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଏକକ ବିଧାନମଣ୍ଡଳ ବ୍ୟବସ୍ଥା ପ୍ରଚଳିିତ ଅଛି। ଏହି ବ୍ୟବସ୍ଥା ଗତ ଆଠ ଦଶନ୍ଧି ଧରି ରାଜ୍ୟ ସ୍ୱାର୍ଥ ପାଇଁ ଆଇନ ପ୍ରଣୟନ କରୁଛନ୍ତି। ହେଲେ କିଛି ପ୍ରସଙ୍ଗକୁ ନେଇ ଅଧିକ ଶାଣିତ ଆଲୋଚନା ପାଇଁ ପରିଷଦ ଗଠନର ଆବଶ୍ୟକତା ରହିଛି। ଏହାଦ୍ୱାରା ବିଧାନ ପରିଷଦ ସ୍ତରରେ ବିଧାନସଭାରେ ପାରିତ ବିଲକୁ ଅଧିକ ତର୍ଜମା କରାଯାଇପାରିବ। ତ୍ରୁଟି ବିଚ୍ୟୁତିର ସଂଶୋଧନ ହୋଇପାରିବ।

ମନ୍ତ୍ରୀ କହିଥିଲେ, ଏବେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବିଧାନ ପରିଷଦ ବ୍ୟବସ୍ଥା ରହିଛି। ଡାକ୍ତର ନୃୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ରାଜ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟିର ସୁପାରିସକୁ ସରକାର ଗ୍ରହଣ କରିଥିଲେ ଓ ଗତ ଅଗଷ୍ଟ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ ଦେଇଥିଲେ।

ପରିଷଦ ସଂପର୍କରେ ତଥ୍ୟ ରଖି ମନ୍ତ୍ରୀ କହିଥିଲେ, ଭାରତ ସମ୍ବିଧାନର ଅନୁଚ୍ଛେଦ ୧୭୧ ଅନୁଯାୟୀ, ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଓ ସର୍ବାଧିକ ସଂପୃକ୍ତ ରାଜ୍ୟର ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ହେବା ଆବଶ୍ୟକ। ଅର୍ଥାତ୍‌ ଆମ ବିଧାନସଭା ପରିଷଦର ସଭ୍ୟ ସଂଖ୍ୟା ୪୯ ହେବ।

ଏହି କ୍ରମରେ ପରିଷଦର ଏକ ତୃତୀୟାଂଶ ସଭ୍ୟ ଅର୍ଥାତ୍‌ ୧୬ ଜଣଙ୍କୁ ବିଧାନସଭାର ସଭ୍ୟମାନେ ନିର୍ବାଚିତ କରିବେ। ସେହିପରି ଆଉ ଏକ ତୃତୀୟାଂଶ ଅର୍ଥାତ୍‌ ୧୬ ଜଣ ସଦସ୍ୟଙ୍କୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ ଓ ସହରାଞ୍ଚଳର ଲୋକପ୍ରତିନିଧି ନିର୍ବାଚିତ କରିବେ। ଏକ ଦ୍ୱାଦଂଶ ତଥା ୪ ଜଣ ସଦସ୍ୟ ରାଜ୍ୟରେ ୩ବର୍ଷରୁ ଅଧିକ ଅଭିଜ୍ଞତା ଥିବା ସ୍ନାତକଙ୍କୁ ନେଇ ଏକ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ। ସେହିଭଳି ଆଉ ୪ ଜଣ ମାଧ୍ୟମିକ ତଥା ତଦୁର୍ଧ ବିଦ୍ୟାଳୟରେ ୩ବର୍ଷରୁ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ। ଅବଶିଷ୍ଟ ୯ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହେବେ।

ମନ୍ତ୍ରୀ କହିଥିଲେ, ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ଭାବେ କାର୍ଯ୍ୟ କରିବ। ଏହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ବର୍ଷରେ ନେବେ। ବର୍ତମାନ ପାଇଁ ଭୁବନେଶ୍ୱର ସ୍ଥିତ ସର୍ଦାର ପଟେଲ ହଲ ବା ପୁରୁଣା ବିଧାନ ସୌଧରେ ଏହା କାର୍ଯ୍ୟ କରିବ। ଓଡ଼ିଶା ବିଧାନସଭାର ଚାରିଶହରୁ ଅଧିକ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷର ତଳ ମହଲାକୁ ଉଭୟ ଗୃହର ମିଳିତ ବୈଠକରେ ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ବ୍ୟବହାର ହେବ।

ଏହି ଆଲୋଚନାରେ ବିଜେଡି ପକ୍ଷରୁ ବେଦ ପ୍ରକାଶ ଅଗ୍ରଓ୍ଵାଲ, ପ୍ରମିଳା ମଲ୍ଲିକ, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ବିଧାୟକ ଅରୁଣ ସାହୁ, ସୁଦାମ ମାରାଣ୍ଡି, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ସମୀର ରଂଜନ ଦାଶ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ପ୍ରମୁଖ ଭାଗ ନେଇ ଏହାକୁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ। ବିଧାନ ପରିଷଦ ଗଠନ ଦ୍ୱାରା ଓଡ଼ିଶା କିଭଳି ଲାଭାନ୍ଵିତ ହେବ, କିଭଳି ଅଧିକ ଯୋଗ୍ୟ ବ୍ୟକ୍ତି ପ୍ରତିନିଧିତ୍ୱ କରିବେ ସେ ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ତେବେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ଡାକ୍ତର ପ୍ରଫୁଲ୍ଲ ମାଝୀ, ଜ୍ୟାକବ ପ୍ରଧାନ ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ପ୍ରଦୀପ ପୁରୋହିତ ଓ ରବି ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରିଥିଲେ। କହିଥିଲେ, ଏହା ସରକାରଙ୍କର ଆଉ ଏକ ଥଇଥାନ କେନ୍ଦ୍ରରେ ପରିଣତ ହେବ। ରାଜ୍ୟ ସରକାର ଋଣ ବୋଝରେ ଆଉଟୁପାଉଟୁ ହେଉଥିବା ବେଳେ ପରିଷଦ ଗଠନ ଦ୍ୱାରା ସେଥିରେ ବାର୍ଷିକ ଆଉ ୩୫ କୋଟି ଟଙ୍କା ଯୋଡି ହୋଇଯିବ। ବିଧାନସଭାରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଶିକ୍ଷକ ଅଭାବ ଜଳ ଜଳ। ଡାକ୍ତର ବି ନାହାନ୍ତି। ଏମିତି ସମୟରେ ପରିଷଦ ଗଠନ କେତେ ଦୂର ଗ୍ରହଣୀୟ ସେ ନେଇ ସରକାର ବିଚାର କରିବା ଦରକାର ବୋଲି ସଭ୍ୟମାନେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର