ସୋମବାରରୁ ବିଧାନସଭା : ମୁକାବିଲା ପାଇଁ ପ୍ରସ୍ତୁତି

ଶେଷ ଅଧିବେଶନ, ଅବଧି କମ୍, ପ୍ରସଙ୍ଗ ଅଧିକ, ବିରୋଧୀ ଦଳ ନେତା ମାନ୍ୟତାକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ନିର୍ବାଚନ ବର୍ଷରେ ବଜେଟ୍‌ର ରୂପରେଖ କିପରି ହେବ? ନରସିଂହ ମିଶ୍ର ବିରୋଧୀ ଦଳ ନେତା ପଦବିରେ ରହିବେ ନା ନାହିଁ ? ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିରୋଧୀ ଦଳ ସରକାରଙ୍କୁ କିପରି ଆକ୍ରମଣ କରିବେ? ମୁକାବିଲା ପାଇଁ ଶାସକ ଦଳ କି କୌଶଳ ଆପଣାଇବ ?

ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ବସିବ ୪ ତାରିଖରୁ। ଅଧିବେଶନରୁ ଏମିତି ଅନେକ ରୋଚକ ପ୍ରଶ୍ନର ଉତ୍ତର ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ୯ ଦିନିଆ ଏହି ଅଧିବେଶନରେ କାର୍ଯ୍ୟଦିବସ ମାତ୍ର ୭ଟି। ୭ ତାରିଖରେ ବଜେଟ୍‌ ଉପସ୍ଥାପନ ହେବ। ଅବଧି କମ୍ ଥିଲେ ବି ଆଗକୁ ନିର୍ବାଚନ ଥିବାରୁ ଅଧିବେଶନର ଗୁରୁତ୍ବ ଢେର୍ ଅଧିକ। ଉଭୟ ବିରୋଧୀ ଓ ଶାସକଙ୍କ ହାତରେ ଗଦା ଗଦା ପ୍ରସଙ୍ଗ। ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ପରସ୍ପରର ଗହି ଖୋଳାଖୋଳି ହେଉଥିବା ବେଳେ ଗୃହ ଭିତରେ କେମିତି ମୁକାବିଲା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅଧିବେଶନ ସମୟରେ ପରସ୍ପରକୁ ମୁକାବିଲା କରିବା ପାଇଁ ରବିବାର ଦିନ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ଡାକିଛନ୍ତି। ବିଜେପି ବିଧାୟକ ଦଳ ବୈଠକ ସୋମବାର ବସିବ। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁରୀରେ କାର୍ଯ୍ୟକ୍ରମ ଥିବାରୁ ବୈଠକ ବସୁ ନ ଥିବା ଜଣାପଡ଼ିଛି। ତେବେ ଉଭୟ କଂଗ୍ରେସ ଓ ବିଜେପି କୃଷି ଓ କୃଷକଙ୍କ ସମସ୍ୟାକୁ ଆଣ୍ଟ କରିବେ ବୋଲି ଆଭାସ ମିଳିଛି। ତିନି ଦଳ ରଣନୀତି ପ୍ରସ୍ତୁତି କରିସାରିଥି‌େଲ ବି ବିଧାୟକ ଦଳ ବୈଠକରେ ସେଥିରେ ବିଧିବଦ୍ଧ ମୋହର ମାରିବେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ତା’ର ସ୍ଥାୟୀ ସମାଧାନ କରିବା ପରିବର୍ତେ ଉଭୟ ନବୀନ ଓ ମୋଦୀ ସରକାର ସ୍ଲୋଗାନ୍‌ ସମ୍ବଳିତ ଯୋଜନାମାନ କରୁଛନ୍ତି। କେବଳ କୃଷି ସମସ୍ୟା ନୁହେଁ, ରାଜ୍ୟବାସୀଙ୍କ ଅନେକ ସମସ୍ୟାକୁ କଂଗ୍ରେସ ବିଧାୟକ ଦଳ ବିଧାନସଭାରେ ପ୍ରସଙ୍ଗ କରିବ। ମରୁଡ଼ି, ଅଦିନିଆ ବର୍ଷା ଯୋଗୁଁ ଫସଲହାନି, ବୀମା କମ୍ପାନିମାନେ ଚାଷୀଙ୍କୁ ଠକିଥିବା, ସେମାନଙ୍କୁ କ୍ଷତିପୂରଣ ପ୍ରଦାନରୁ ବଞ୍ଚିତ କରିବା ଆଦି ନେଇ ବିଧା‌ୟକ ଦଳ ବୈଠକରେ ଆଲୋଚନା କରାଯିବ। ରାଜ୍ୟରେ ବେକାରି ସମସ୍ୟା ଉତ୍କଟ। ଗତ ୪୫ ବର୍ଷରେ ଦେଶରେ ନିଯୁକ୍ତି ହାର ସର୍ବାଧିକ ହ୍ରାସ ଘଟିଥିବା

ତଥ୍ୟ ପଦାକୁ ଆସିଛି। ବର୍ଷକୁ ୨ କୋଟି ଯୁବକ ଯୁବତୀଙ୍କୁୂ ନିଯୁକ୍ତି ନେଇ ମୋଦୀ ସରକାରଙ୍କ ପ୍ରତିଶ୍ରୁତି କିପରି ଜୁମ୍‌ଲା ଏଥିରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ଆ‌ଇନର ଶାସନ ନାହିଁ। ସାମ୍ବିଧାନିକ ସଂକଟ ଉପୁଜିଛି। ମାସ ମାସ ଧରି କୋର୍ଟ କଚେରି ଚାଲୁନାହିଁ। ଲୋକେ ମୌଳିକ ଅଧିକାର ପାଇବାରୁ ବଞ୍ଚିତ। ଏଭଳି ସମସ୍ୟାକୁ ମଧ୍ୟ କଂଗ୍ରେସ ବିଧାୟକ ଦଳ ବିଧାନସଭାରେ ଉଠାଇବ। ରାଜ୍ୟ‌େର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷକ କି ଅଧ୍ୟାପକ ନଥିବାରୁ ସମସ୍ୟା ଉତ୍କଟ ହୋଇପଡ଼ିଛି। ସେହିପରି ଡାକ୍ତରଖାନାରେ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ରୋକିବା ପାଇଁ ପିସି ବନ୍ଦ କଥା କହିଲେ। କିନ୍ତୁ ଯେଉଁଭଳି ଯୋଜନାମାନ ହେଉଛି, ସେଥିରେ କେବଳ ପିସି ପାଇଁ ସାହାଣ‌ ମେଲା ରହୁଛି। ଏଥିପାଇଁ ଲୋକାୟୁକ୍ତ ନିଯୁକ୍ତି ଅପରିହାର୍ଯ୍ୟ। ସୁପ୍ରିମ କୋର୍ଟ ବାରମ୍ବାର ତାଗିଦ୍‌ କରିବା ସତ୍ତ୍ବେ ଏ ନେଇ ରାଜ୍ୟ ସରକାର ଉପଯୁକ୍ତ ଓ ତ୍ବରିତ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏଭଳି ଅନେକ ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି ଶ୍ରୀ ମିଶ୍ର କହିଥିଲେ। ତେବେ କେଉଁ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ ସେ ନେଇ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଚିଟ୍‌ଫଣ୍ଡ୍ ସ୍କାମ୍ ପରି ମହାଦୁର୍ନୀତିରେ ଶାସକ ଦଳର ନେତା, ବିଧାୟକ ସାମିଲ ଅଛନ୍ତି। ଜମାକାରୀ ଟଙ୍କା ପାଉ ନାହାନ୍ତି। ବିଜେପି ଏହି ପ୍ରସଙ୍ଗ ଗୃହରେ ଜୋର୍‌ଦାର୍ ଉଠାଇବ। ସେହିପରି କାଳିଆ ଯୋଜନାକୁ ନେଇ ସରକାର ବେଶ୍ ପ୍ରଚାର କରୁଛନ୍ତି। କିନ୍ତୁ ଶାସକ ଦଳର ମନ୍ତ୍ରୀ, ନେତା ବି କାଳିଆ ଯୋଜନାର ହିତାଧିକାରୀ ଅଛନ୍ତି। ବିଜେପି ଏହି ପ୍ରସଙ୍ଗରେ ସରକାରଙ୍କ ମୁଖା ଖୋଲିବ। ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଅବ୍ୟବସ୍ଥାକୁ ଗୃହରେ ପ୍ରାଥମିକତା ଦିଆଯିବ। ସରକାରଙ୍କର ଚାଷୀଙ୍କ ପାଇଁ କେତେ ଦରଦ, ତାହାର ଏକ ଚିତ୍ର ବିଜେପି ବିଧାନସଭାରେ ରଖିବ। ଏହା ବାଦ୍ ଶିକ୍ଷକ ଆନ୍ଦୋଳନ, ପିସି କାରବାର, ସ୍ବାସ୍ଥ୍ୟସେବା ସମସ୍ୟା ପରି ଆଉ କିଛି ପ୍ରସଙ୍ଗ ବି ଗୃହରେ ରଖାଯିବ।

ବିରୋଧୀଙ୍କ ଏହି ଆକ୍ରମଣକୁ ମୁକାବିଲା କରିବାକୁ ବିଜେଡି ବି ରଣନୀତି ପ୍ରସ୍ତୁତ କରିଛି। ତେବେ ଶେଷ ଅଧିବେଶନ ହୋଇଥିବାରୁ ସରକାରଙ୍କ ସଫଳତାକୁ ଗୃହରେ ଅଧିକ ଉଠାଇବାକୁ ଶାସକ ଦଳ ଲକ୍ଷ୍ୟ ରଖିଛି। ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଏହି ଅଧିବେଶନରେ ମୁଖ୍ୟତଃ ବଜେଟ୍‌ ଉପସ୍ଥାପନ ହେବ। କିନ୍ତୁ ସରକାର ଏହି ପାଳିରେ ଯାହା ସବୁ ଉପଲବ୍ଧି କରିଛନ୍ତି, ତାହାକୁ ଶାସକ ଦଳ ଗୃହ‌େର ଆଲୋଚନା କରିବ। କାଳିଆ ଯୋଜନା, ପିଠା ଶିବିର, ଆମ ଗାଁ ଆମ ବିକାଶ, ବସୁଧା ପରି ଅତ୍ୟନ୍ତ ଲୋକପ୍ରିୟ ଯୋଜନାରୁ ଲୋକମାନେ କିପରି ଲାଭବାନ ହେଉଛନ୍ତି, ସେ ସମ୍ପର୍କରେ ବିଧାୟକମାନେ ଆଲୋଚନା କରିବେ। ତେବେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ, ଶାସକ ଦଳ ତାହାକୁ ଆଲୋଚନା ପାଇଁ ସ୍ବାଗତ କରିବ।

ଅଧିବେଶନ ପାଇଁ ସର୍ବାଧିକ ଚର୍ଚ୍ଚାରେ ରହିଛି ବିରୋଧୀ ଦଳ ନେତା ପଦବି। ଏହି ପଦବି ପାଇଁ ଅତି କମ୍‌ରେ ୧୫ ଜଣ ବିଧାୟକଙ୍କର ଆବଶ୍ୟକତା ରହିଛି। ୨୦୧୪ ନିର୍ବାଚନରେ କଂଗ୍ରେସ ପାଇଥିଲା ୧୬ଟି ଆସନ। ନରସିଂହ ମିଶ୍ର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେପୁର ଆସନଟିକୁ ଗତବର୍ଷ ବିଜେଡି ଅକ୍ତିଆର କଲା। ଏହା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫କୁ ଖସିଗଲା। ନଭେମ୍ବରରେ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବିରୋଧୀ ଦଳ ନେତା ମାନ୍ୟତା ସଙ୍କଟରେ ଥିଲା ବେଳେ ଜର୍ଜ ତିର୍କୀ କଂଗ୍ରେସରେ ସାମିଲ ହୋଇଥିବାରୁ କିଛି ସମସ୍ୟା ସୃଷ୍ଟି ହୋଇ ନ ଥିଲା। କିନ୍ତୁ ଗତ ମାସରେ କଂଗ୍ରେସର ଦୁଇ ଜଣ ବିଧାୟକ ନବକିଶୋର ଦାସ ଓ ଯୋଗେଶ ସିଂହ କଂଗ୍ରେସରୁ ବହିଷ୍କାର ହେବା ସହ ବିଧାୟକ ପଦବିରୁ ବି ଇସ୍ତଫା ଦେଇଛନ୍ତି। ତେଣୁ ଗୃହରେ ଏବେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୧୩। ତେଣୁ ଗୃହରେ ଏବେ କଂଗ୍ରେସ ଦ୍ବିତୀୟ ବୃହତ ଦଳ ହୋଇଥିଲେ ଆବଶ୍ୟକ ସଂଖ୍ୟା ଅଭାବରୁ କଂଗ୍ରେସ ବିଧାୟକ ଦଳ ନେତା ଆଉ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପାଇପାରିବେ ନାହିଁ।

ତେବେ ଶ୍ରୀ ମିଶ୍ର ବିରୋଧୀ ଦଳ ନେତା ରହିବେ କି ନାହିଁ, ତାହା ବାଚସ୍ପତିଙ୍କ ଉପରେ ନିର୍ଭର କରେ। ମିଳିଥିବା ସୂଚନା ଅନୁଯାୟୀ ଶାସକ ଦଳ ପକ୍ଷରୁ ବିରୋଧୀ ଦଳ ନେତା ମାନ୍ୟତା ପ୍ରତ୍ୟାହାର କରାଯିବା ନେଇ କୌଣସି ଆପତ୍ତି ଗୃହରେ ନ ଉଠାଇବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି। ତେବେ ବିଜେପି ଏହି ପ୍ରସଙ୍ଗ ଉଠାଇବ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଯଦି ବିଜେପି ଏହି ପ୍ରସଙ୍ଗ ଉଠାଏ, ତେବେ ବାଚସ୍ପତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବାଚସ୍ପତି ଏ ନେଇ କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର