ଅଧା‌ରୁ ଅଟକିଗଲା ପ୍ରଶ୍ନକାଳ

ଆଦିବାସୀ ଅଞ୍ଚଳରେ ଦଳୀୟ ଭିତ୍ତିରେ ଅର୍ଥ ଖର୍ଚ୍ଚ ହେଉଥିବା ଅଭିଯୋଗ, ମନ୍ତ୍ରୀ ଭୁଲ୍ ଉତ୍ତର ଦେଉଥିବା ନେଇ ହଟ୍ଟଗୋଳ, କେନ୍ଦ୍ରମନ୍ତ୍ରୀଙ୍କୁ ବିବାଦକୁ ଟାଣିଲେ ରାଜ୍ୟ ମନ୍ତ୍ରୀ

ଭୁବନେଶ୍ବର : ବିଧାନସଭାରେ ପ୍ରଶ୍ନକାଳ ସୁରୁଖୁରୁରେ ଆଜି ଆରମ୍ଭ ହୋଇଥିଲା। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥା’ନ୍ତି। ୧୫ ମିନିଟ୍ ଗୃହ ଠିକ୍‌ଠାକ୍ ଚାଲିଥିଲା ବେଳେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ଓଗାଳିଲେ କଂଗ୍ରେସ ଓ ବିଜେପି ସଭ୍ୟମାନେ। ଆଦିବାସୀ ଉନ୍ନୟନ ପରିଷଦରେ ବିଜେଡି ନେତାଙ୍କୁ ଥଇଥାନ କରାଯାଉଛି ବୋଲି ଅଭିଯୋଗକୁ ମନ୍ତ୍ରୀ ରୋକ୍‌ଠୋକ୍ ଅସ୍ବୀକାର କରିଦେଲେ। ଏହାକୁ ନେଇ କଂଗ୍ରେସ ସଭ୍ୟମାନେ ଏମିତି ଅସନ୍ତୋଷ ପ୍ରକାଶ କଲେ ଯେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କଲେ। ଶାସକ ଦଳ ସଭ୍ୟମାନେ ବି ବିରୋଧୀଙ୍କ ଆଚରଣର ପ୍ରତିବାଦ କଲେ। ଫଳରେ ଏମିତି ବିଭ୍ରାଟ ସୃଷ୍ଟି ହେଲା ଯେ ୧୭ ମିନିଟ୍‌ରେ ପ୍ରଶ୍ନକାଳ ସୀମିତ ରହିଲା।

କଂଗ୍ରେସ ସଭ୍ୟ ପ୍ରଫୁଲ୍ଲ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରମେଶ ମାଝୀ କହିଲେ, ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଜନଜାତିଙ୍କ ବିକାଶ ନିମନ୍ତେ ରାଜ୍ୟକୁ ଧାରା ୨୭୫(୧) ତଥା‌ ଏସ୍‌ସିଏ ଟୁ ଟିଏସ୍‌ଏସ୍‌ ଯୋଜନାରେ ଯଥାକ୍ରମେ ୧୪୮୫୬.୯୭ ଲକ୍ଷ ଓ ୧୨୫୫୩.୨୨ ଲକ୍ଷ ଅନୁଦାନ ମଞ୍ଜୁର କରିଛନ୍ତି। ସୁନ୍ଦରଗଡ଼ ଆଇଟିଡିଏକୁ କେଉଁ ବାବଦରେ କେତେ ଅର୍ଥ ଦିଆଯାଇଛି, ତାହାର ତଥ୍ୟ ମଧ୍ୟ ମନ୍ତ୍ରୀ ଦେଇଥିଲେ।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମାଝୀ ପୁଣି ପଚାରିଥିଲେ, ଆଦିବାସୀ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ନିର୍ଦ୍ଦିଷ୍ଟ ଭାବେ କେତେ ଅର୍ଥ ଦେଉଛନ୍ତି ମନ୍ତ୍ରୀ ତାହାର ସ୍ପଷ୍ଟ ଉତ୍ତର ଦିଅନ୍ତୁ। ସୁନ୍ଦରଗଡ଼ ଜିଲ୍ଲାରେ ଭିତ୍ତିଭୂମି ବିକାଶ କହିଲେ କେବଳ ଗୋଷ୍ଠୀ କେନ୍ଦ୍ର ହିଁ ନିର୍ମାଣ ଚାଲିଛି। ମନ୍ତ୍ରୀ ସୁନ୍ଦରଗଡ଼ ଯାଇ ଭିତ୍ତିଭୂମିର ସମୀକ୍ଷା କରନ୍ତୁ।

ମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କର ନିଜ ନିର୍ବାଚନମଣ୍ଡଳୀ ହୋଇଥିବାରୁ ସେ ସୁନ୍ଦରଗଡ଼ରେ ଗୋଷ୍ଠୀ କେନ୍ଦ୍ର ପାଇଁ ସ୍ବତନ୍ତ୍ର ଅନୁଦାନ ଦେଉଛନ୍ତି। ଏଥିରେ ଆମର କିଛି କରିବାର ନାହିଁ।

ଶାସକ ଦଳ ସଭ୍ୟ ପଦ୍ମନାଭ ‌ବେହେରା ପଚାରିଥିଲେ, କେନ୍ଦ୍ର ସରକାରଙ୍କ ଅନୁଦାନ ପୂର୍ବ ପରି ଚାଲିଛି ନା କମିଯାଇଛି ? କେନ୍ଦ୍ର ମନ୍ତ୍ରୀ ସବୁ ଅଞ୍ଚଳକୁ ଗୁରୁତ୍ବ ନ ଦେଇ କେବଳ ନିଜ ନିର୍ବାଚନମଣ୍ଡଳୀକୁ କିପରି ସ୍ବତନ୍ତ୍ର ଅନୁଦାନ ଦେଉଛନ୍ତି ? ମନ୍ତ୍ରୀ କହିଥିଲେ, କେନ୍ଦ୍ର ଅନୁଦାନ କମି କମି ଚାଲିଛି।

ବିଜେପି ସଭ୍ୟ ରବି ନାଏକ କହିଥିଲ, କେନ୍ଦ୍ର ସରକାରଙ୍କଠାରୁ ପାଉଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର(ୟୁସି) ଠିକ୍ ସମୟରେ ଦିଆଯାଇଛି କି ନାହିଁ ? ଜିଲ୍ଲାପାଳ ଅଧ୍ୟକ୍ଷ ଥିବା ପିଏଲ୍‌ସି ବୈଠକ କାହିଁକି ନିୟମିତ ବସୁ ନାହିଁ ? ମନ୍ତ୍ରୀ ଉତ୍ତର‌େର କହିଥିଲେ, ୨୦୧୬-୧୭ ପର୍ଯ୍ୟନ୍ତ ୟୁସି ଦିଆସରିଛି। ପିଏଲ୍‌ସି ବୈଠକ ବର୍ଷକୁ ଦୁଇ ଥର କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନି‌େର୍ଦ୍ଦଶ ଦିଆଯାଇଛି। ଯେଉଁଠି ବୈଠକ ନ ହେଉଥିବ, ସେଠାରେ ପଦକ୍ଷେପ ନିଆଯିବ। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ଶ୍ରୀ ନାଏକ ଅସନ୍ତୋଷ ପ୍ରକାଶ କରି ପିଏଲ୍‌ସି ବୈଠକ ହେଉ ନ ଥିବା ନେଇ ବଡ଼ ପାଟିରେ କହିଥିଲେ।

ଏହା ପ‌େର କଂଗ୍ରେସ ସଭ୍ୟ ଭୁଜବଳ ମାଝୀ ପଚାରିଥିଲେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ଆଦିବାସୀ ଅଞ୍ଚଳର ଉନ୍ନତି ପାଇଁ ସବୁ ବର୍ଷ ଅର୍ଥ ଦେଉଛନ୍ତି। କିନ୍ତୁ ତାହା ଠିକ୍ ଭାବେ ଖର୍ଚ୍ଚ କରାଯାଉ ନାହିଁ। ଦଳୀୟ ଲୋକଙ୍କୁ କାମ ଦିଆଯାଉଛି। ଏହି ଅର୍ଥ ସରକାରୀ ତହବିଲ୍‌ରୁ ଆସୁଛି ନା ଦଳରୁ ଆସୁଛି ?

ମନ୍ତ୍ରୀ କହିଲେ, ‌ଆଦିବାସୀ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯତ୍ନବାନ ଅଛନ୍ତି। କେଉଁଠାରେ ବି ଦଳୀୟ ଭିତ୍ତିରେ ଅର୍ଥ ଖର୍ଚ୍ଚ କରାଯାଉନି। ସାରା ଦେଶରେ ପ୍ରଥମ ଥର ପାଇଁ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ବି ଗଠନ କରାଯାଇଛି।

ମନ୍ତ୍ରୀ ତାଙ୍କ ଉତ୍ତର ସାରି ନ ଥିଲା ବେଳେ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇପଡ଼ିଲେ। କଂଗ୍ରେସ ଦଳର ମୁଖ୍ୟ ସ‌େଚତକ ତାରା ପ୍ରସାଦ ବାହିନୀପତି ଚିତ୍କାର କରି କହିଥିଲେ, ମନ୍ତ୍ରୀ ଭୁଲ୍ କଥା କହୁଛନ୍ତି। ଉନ୍ନୟନ ପରିଷଦରେ କେବଳ ଦଳୀୟ ନେତାଙ୍କୁ ଥଇଥାନ କରାଯାଉଛି। ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥ କାହାର ପୈତୃକ ସମ୍ପତ୍ତି ନୁହେଁ। କିନ୍ତୁ ସରକାର ତାହାକୁ ପୈତୃକ ସମ୍ପତ୍ତି ପରି ବ୍ୟବହାର କରୁଛନ୍ତି। ଏମିତି ଅଭିଯୋଗ କରି ଶ୍ରୀ ବାହିନୀପତିଙ୍କ ସ‌େମତ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋହଲ୍ଲା କଲେ। ମନ୍ତ୍ରୀ ଗୃହରେ ଭୁଲ୍ ଉତ୍ତର ଦେଉଛନ୍ତି ବୋଲି ଚିତ୍କାର କଲେ। ଶ୍ରୀ ବାହିନୀପତି ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ଟେବୁଲ୍ ବାଡ଼େଇଥିଲେ। ବିଜେଡି ସଭ୍ୟମାନେ ବି ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଭ୍ୟମାନଙ୍କ ଆଚରଣକୁ ପ୍ରତିବାଦ କଲେ। ବାଚସ୍ପତି ଉଭୟ ପକ୍ଷକୁ ଶାନ୍ତ ରହିବା ପାଇଁ ନିବେଦନ କଲେ ବି କୌଣସି ସୁଫଳ ମିଳି ନ ଥିଲା। ‌େଶଷରେ ୧୦ଟା ୪୭ରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ବାହାରେ ଗଣମାଧ୍ୟମକୁ କଂଗ୍ରେସ ବିଧାୟକ ଭୁଜବଳ ମାଝୀ କହିଲେ, ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ଗଠନ ହୋଇଥିବା ଉନ୍ନୟନ ପରିଷଦରେ ବିଜେଡି ନେତାମାନେ ଅଧ୍ୟକ୍ଷ ଓ ସଭ୍ୟ ହୋଇଛନ୍ତି। ପରିଷଦକୁ ଦିଆଯାଉଥିବା ୧୫ କୋଟି ଟଙ୍କାର ଅନୁଦାନ କେବଳ ଏହି ବିଜେଡି ନେତାଙ୍କ ଦ୍ବାରା ଖର୍ଚ୍ଚ ହେଉଛି। ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥକୁ ନିରପେକ୍ଷ ଭାବେ ଖର୍ଚ୍ଚ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ବିଜେପି ବିଧାୟକ ରବି ନାଏକ କହିଲେ, ମନ୍ତ୍ରୀଙ୍କ ଉତ୍ତର ଦୁର୍ଭାଗ୍ୟଜନକ। ଆଦିବାସୀଙ୍କ ବିକାଶ ପାଇଁ ଆସୁଥିବା ଅର୍ଥକୁ ପିଏଲ୍‌ସିର ବିନା ମଞ୍ଜୁରିରେ ଖର୍ଚ୍ଚ କରାଯାଉଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଗୃହରେ ମନ୍ତ୍ରୀ ଯାହା ଇଚ୍ଛା ଉତ୍ତର ଦେଇ ଖସିପାରିବେ ନାହିଁ। ଯଦି ‌ସଭ୍ୟମାନଙ୍କର ଦ୍ବନ୍ଦ୍ବ ଥାଏ, ତେବେ ବାଚସ୍ପତି ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିପାରିବେ। ରାଜନୈତିକ ଉଦ୍ଦେଶ୍ୟ‌େର ଆଦିବାସୀ ଅଞ୍ଚଳରେ ଅର୍ଥ ଖର୍ଚ୍ଚ ହେବାର ଅଭିଯୋଗ ଗୁରୁତର। ମନ୍ତ୍ରୀ ଏହାର ଉତ୍ତର ଦେବା ଆବଶ୍ୟକ।

ତେବେ ମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ, ଦଳୀୟ ଭିତ୍ତି‌େର କୌଣସି ପାଣ୍ଠି ଖର୍ଚ୍ଚ କରିବାର ପ୍ରଶ୍ନ ଉଠୁନି। ଗାଇଡ୍‌ଲାଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ଅର୍ଥ ଖର୍ଚ୍ଚ ହେଉଛି। କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ ବିବାଦ ଭିତରକୁ ଟାଣି ଶ୍ରୀ ମାଝୀ କହିଲେ, ନିଜ ଦଳର କର୍ମୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ନିଜ ନିର୍ବାଚନମଣ୍ଡଳୀକୁ ସିଧାସଳଖ ଆର୍ଥିକ ଅନୁଦାନ ଦେଉଛନ୍ତି। ଜଣେ କେନ୍ଦ୍ର ମନ୍ତ୍ରୀ ଭାବେ ଏପରି ପକ୍ଷପାତିତା କରିବା ଠିକ୍ ହୋଇ ନାହିଁ।

ସମ୍ବନ୍ଧିତ ଖବର