ଓଡ଼ିଶା ଅତିଥି ଭବନ କାର୍ଯ୍ୟାଦେଶ ବାତିଲ ମାମଲା: ଜବାବ ଦାଖଲ ପାଇଁ ରେଳବାଇ ନେଲା ୨ସପ୍ତାହ ମହଲତ

କଟକ : ପୂର୍ବତଟ ରେଳବାଇରୁ ଟେଣ୍ଡର ହାସଲ କରି ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରୁଥିବା ଠିକାଦାରୀ ସଂସ୍ଥା ମହିମା ଇଂଜିନିୟରିଙ୍ଗ୍‌ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ମାମଲାରେ ରେଳବାଇ ପକ୍ଷରୁ ଅନୀଦ୍ରେୟ ମିଶ୍ର ହାଜର ହୋଇ ଜବାବ ରଖିବା ପାଇଁ ଦୁଇ ସପ୍ତାହ ସମୟ ନେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବା ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମୟ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ନୂଆଦିଲ୍ଲୀରେ ଓଡ଼ିଶା ଅତିଥି ଭବନ ନିର୍ମାଣ କରିବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଡକାଯାଇଥିବା ଟେଣ୍ଡରରେ ମହିମା ଇଂଜିନିୟରିଙ୍ଗ୍‌ ସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ଟେଣ୍ଡର ହାତେଇଥିଲା। ସଂସ୍ଥା କାମ ଆରମ୍ଭ କରିଥିଲେ ବି ଦିଲ୍ଲୀ ମହାନଗର ନିଗମ କାମ ବନ୍ଦ କରିଦେଇଥିଲା। ତେବେ ଏନ୍‌ଓସି ମିଳିବାରେ ବିଳମ୍ବ ହେବାରୁ ଆବେଦନକାରୀ କାର୍ଯ୍ୟ ଶେଷ କରିବା ପାଇଁ ୨୦୧୯, ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଅବଧି ଦିଆଯାଉ ବୋଲି ନିବେଦନ କରିଥିଲା। ମାତ୍ର ରେଳବାଇ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ ନକରି କାର୍ଯ୍ୟାଦେଶକୁ ବାତିଲ କରିଥିଲେ।

ସମ୍ବନ୍ଧିତ ଖବର