ଚେନ୍ନାଇରେ ଓଡ଼ିଶା ଭବନ ଲୋକାର୍ପିତ

ଜୟଲଳିତାଙ୍କୁ ମନେପକାଇଲେ ନବୀନ

ଭୁବନେଶ୍ୱର: ଚେନ୍ନାଇଠାରେ ନବର୍ନିମିତ ଓଡ଼ିଶା ଭବନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଚେନ୍ନାଇରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ତାମିଲନାଡୁ ସରକାରଙ୍କ ପକ୍ଷରୁ ବରିଷ୍ଠ ମନ୍ତ୍ରୀ ଡି. ଜୟକୁମାର ଉପସ୍ଥିତ ଥିଲେ। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌, ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ପ୍ରମୁଖ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

୬ମହଲା ବିଶିଷ୍ଟ କୋଠାରେ ୨୧ଟି ପ୍ରକୋଷ୍ଠ ରହିଛି
୨୨ କୋଟି ଟଙ୍କା ବିନିଯୋଗ କରିଛନ୍ତି ସରକାର

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ, ତାମିଲନାଡୁ ଭାରତର ସାଂସ୍କୃୃତିକ ମାନଚିତ୍ରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି। ସ୍ଥାନୀୟ ଲୋକଙ୍କର ମଧ୍ୟ ଦେଶର ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ରହିଛି। ଚେନ୍ନାଇରେ ବହୁ ସଂଖ୍ୟାରେ ଓଡ଼ିଆ ଚାକିରି, ବ୍ୟବସାୟ ଆଦି କାରଣରୁ ବସବାସ କରୁଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ତାମିଲନାଡୁର ବହୁ ଲୋକ ରହୁଛନ୍ତି। ପରସ୍ପର ବିକାଶରେ ଉଭୟଙ୍କର ସହଭାଗିତା ରହିଛି। ଏହି କାରଣରୁ ଓଡ଼ିଶା ଭବନର ଗୁରୁତ୍ୱ ରହିଛି ଓ ଏହା ଓଡ଼ିଶା କଳା, ସଂସ୍କୃତି ଓ ଲୋକସଂପର୍କ ବଢାଇବାରେ ସାହାଯ୍ୟ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ତାଙ୍କର ସଂପର୍କର ସ୍ମରଣ କରିଥିଲେ ଓ ଓଡ଼ିଶା ଭବନ ପାଇଁ ତାଙ୍କ ସମୟରେ ଜମି ମିଳିଥିବା ସଂପର୍କରେ ସୂଚନା ଦେଇଥିଲେ। ଏଥିସହିତ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ୨୨ କୋଟି ଟଙ୍କା ବ୍ୟୟରେ ଏହି ଭବନ ନିର୍ମାଣ ହୋଇଛି। ଛଅ ମହଲା ବିଶିଷ୍ଟ ଏହି ଭବନରେ ୨୧ଟି ରୁମ୍‌ ଓ ଗୋଟିଏ ସମ୍ମିଳନୀ କକ୍ଷ ରହିଛି। ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ ମସିହା ମେ’ ୧୧ ତାରିଖରେ ଏହାର ଶିଳାନ୍ୟାସ କରିଥିଲେ। ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କର ଏହା ଷଷ୍ଠ ଅତିଥି ଭବନ। ପୂର୍ବରୁ ନୂଆଦିଲ୍ଲୀରେ ତିନିଟି, ମୁମ୍ବାଇ ଓ କୋଲକତାରେ ଗୋଟିଏ ଲେଖାଏଁ ଅତିଥି ଭବନ ରହିଛି।

ସମ୍ବନ୍ଧିତ ଖବର