ଅପରାଜିତାଙ୍କ ଆବିର୍ଭାବ ପରେ ଛକାପଞ୍ଝା

ବିଜେପିରେ କନ୍ଦଳ

ଭୁବନେଶ୍ବର : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ ମାତ୍ରେ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହଙ୍କ ବାସଭବନରେ ଦଳରେ ଯୋଗ ଦେବା ଓ କାଳବିଳମ୍ବ ନକରି ଓଡ଼ିଶା ଶାଖାରେ ଆବିର୍ଭାବ ହେବା ପରେ ତାଙ୍କ ସମ୍ଭାବ୍ୟ ଭୂମିକାକୁ କେନ୍ଦ୍ର କରି ଦଳ ମଧୢରେ ଓ ବାହାରେ ରାଜନୈତିକ କଳ୍ପନାଜଳ୍ପନାର ସୂତ୍ରପାତ ହୋଇଛି। କେବଳ ଭୁବନେଶ୍ବର ଲୋକସଭା ଆସନର ପ୍ରାର୍ଥୀ ଭାବେ ଅପରାଜିତା ସନ୍ତୁଷ୍ଟ ରହିବେ କି ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ-ମୁଖ୍ୟତଃ ଏହି ଦୁଇଟି ପ୍ରଶ୍ନରେ ରାଜନୈତିକ ସମୀକରଣ କେନ୍ଦ୍ରୀଭୂତ ହେବାରେ ଲାଗିଛି। ବିଶେଷକରି ରାଜ୍ୟ ବିଜେପିରେ ଏଭଳି କଳ୍ପନାଜଳ୍ପନା ପ୍ରଖର ହେଉଥିବା ବେଳେ ଦୀର୍ଘ ସାଢେ଼ ଚାରି ବର୍ଷ ଧରି ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ମୁହଁ ଖୋଲିବାକୁ ବାଧୢ ହୋଇଛନ୍ତି। ସୋମବାର ସାମ୍ବାଦିକ ସମ୍ମିଳନୀରେ ସେ ଗତାନୁଗତିକ ସଫେଇ ଦେଇ କହିଛନ୍ତି ଯେ ନିର୍ବାଚନରେ ଦଳ ସଫଳତା ପାଇଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯିବ। ଏଭଳି ସଫେଇରେ ଧର୍ମେନ୍ଦ୍ର କେବଳ ଯେ ଅପରାଜିତାଙ୍କ ନେତୃତ୍ବ ସମ୍ପର୍କିତ କଳ୍ପନାଜଳ୍ପନାକୁ ଏଡ଼ାଇବାକୁ ଉଦ୍ୟମ କରିଛନ୍ତି, ତାହା ନୁହେଁ, ବର˚ ନିଜ ଅଲକ୍ଷ୍ୟରେ ଜଣାଇ ଦେଇଛନ୍ତି ଯେ ବିନା ନେତୃତ୍ବରେ ଓଡ଼ିଶା ବିଜେପି ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବ।

ଅନ୍ୟପକ୍ଷରେ ଅପରାଜିତାଙ୍କ ଆବିର୍ଭାବ ପରବର୍ତ୍ତୀ ଘଟଣାକ୍ରମକୁ କେନ୍ଦ୍ର କରି ଦଳୀୟ ନେତୃବର୍ଗଙ୍କ ଠାରେ ପ୍ରତିଫଳିତ ଆଚରଣ ଓ ଉଚ୍ଚାରଣକୁ ଦେଖି ଧର୍ମେନ୍ଦ୍ର ହୁଏତ ଏଭଳି ରକ୍ଷଣାତ୍ମକ ଶୈଳୀ ଅନୁସରଣ କରିଥିବା ପର୍ଯ୍ୟବେକ୍ଷକ ମହଲ ଇଙ୍ଗିତ ଦେଇଛନ୍ତି।

ସେମାନଙ୍କ ମତରେ ଅତୀତରେ ଜଣେ ପୂର୍ବତନ ମୁଖ୍ୟ ସଚିବ ଓ ପରବର୍ତ୍ତୀ ସମୟରେ ଏକାଧିକ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ଭଳି ଆଗଧାଡ଼ିରେ ନେତାମାନେ ରାଜ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସମସ୍ତଙ୍କ ମିଶ୍ରଣ ପର୍ବ ଭୁବନେଶ୍ବରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ମାତ୍ର ଅପରାଜିତାଙ୍କ ମିଶ୍ରଣ ସେ ଦୃଷ୍ଟିରୁ ଭିନ୍ନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଦିଲ୍ଲୀରେ ତାଙ୍କୁ ଦଳରେ ସାମିଲ କରିଥିଲେ। ଶାହଙ୍କ ଘରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବାସଭବନରେ ଅପରାଜିତା ସାମ୍ବାଦିକ ସମ୍ମିଳନୀ କରିଥିଲେ। କିନ୍ତୁ ସେଠାରେ ଧର୍ମେନ୍ଦ୍ର ନଥିଲେ।

ଏହି ଝଲକରୁ ଅନ୍ତତଃ ଗୋଟିଏ ବାର୍ତ୍ତା ସ୍ପଷ୍ଟ ଯେ ଧର୍ମେନ୍ଦ୍ରଙ୍କ ଭଳି ଅପରାଜିତାଙ୍କର ମଧୢ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରୀୟ ସଭାପତି ଶାହଙ୍କ ସହିତ ସିଧାସଳଖ ପହଞ୍ଚ ରହିଛି। ଉଚ୍ଚ ସ୍ତରୀୟ ପତିଆରା ଦୃଷ୍ଟିରୁ ଅପରାଜିତା ଯେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି, ଏଭଳି ଅପ୍ରତ୍ୟାଶିତ ସମୀକରଣ ଦଳ ମଧୢରେ ଥିବା ଅସନ୍ତୁଷ୍ଟଙ୍କୁ ଉତ୍ସାହିତ କରିବା ସ୍ବାଭାବିକ। ପରବର୍ତ୍ତୀ ଘଟଣାକ୍ରମ ମଧୢ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ କନ୍ଦଳ ଦୃଷ୍ଟିରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ଦିଲ୍ଲୀରେ ଅପରାଜିତାଙ୍କ ମିଶ୍ରଣ ପର୍ବ ଚାଲିଥିବା ବେଳେ ଏଠାରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାଉରକେଲା ବିଧାୟକ ଦିଲୀପ ରାୟ ବିଜେପିରୁ ଇସ୍ତଫା ଘୋଷଣା କଲେ। ଏହି ପ୍ରସଙ୍ଗରେ ବିବୃତି ଦେବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଦୋହରାଇଥିଲେ ଯେ ଧର୍ମେନ୍ଦ୍ର ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ; ଯଦିଓ ଅତୀତରେ ସେ କହି ଆସୁଥିଲେ ଯେ ରାଜ୍ୟ ବିଜେପିରେ ଅଧଡ଼ଜନେରୁ ଅଧିକ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି।

ଦିଲ୍ଲୀରୁ ଆସି ଅପରାଜିତା ଭୁବନେଶ୍ବରରେ ଅବତରଣ କରିବା ବେଳେ ବିମାନ ବନ୍ଦରରେ ତାଙ୍କୁ ଯେଉଁ ହାତଗଣତି ଯୁବ କର୍ମକର୍ତ୍ତା ସ୍ବାଗତ କରିଥିଲେ, ସେମାନେ ପ୍ରାୟତଃ ଧର୍ମେନ୍ଦ୍ରଙ୍କ ନାପସନ୍ଦ ଗୋଷ୍ଠୀର। ପୁଣି ପ୍ରଥମାଷ୍ଟମୀ ସନ୍ଧ୍ୟାରେ ଅପରାଜିତାଙ୍କୁ ଫୁଲତୋଡ଼ା ଦେବାକୁ ତାଙ୍କ ଏନ୍‌/୩ ଆଇଆର‌୍‌ସି ଭିଲେଜ ବାସଭବନକୁ ଯାଇଥିବା କିଛି ଯୁବନେତା ନିର୍ଦ୍ଦିଷ୍ଟ ଘଟଣାରେ ହତବାକ୍‌ ହୋଇଥିଲେ। ତାଙ୍କ ବାସଭବନର ଅନତିଦୂରରେ ଥିବା ଏକ ଗଛଛାଇ ତଳ ଅନ୍ଧାରୁଆ ସ୍ଥାନରେ ଅଟକିଥିବା ଗାଡ଼ିରେ ଥିଲେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଭାବଶାଳୀ ପିଏ। କେଉଁମାନେ ତାଙ୍କୁ ଭେଟୁଛନ୍ତି, ତାହା ଜଣାଇବାକୁ ହୁଏତ ପିଏଙ୍କର ଏହି ଅନ୍ଧାରିବିଜେ। ତେବେ ଏକଥା ତତ୍‌କ୍ଷଣାତ୍‌ ପହଞ୍ଚିଥିଲା ଅପରାଜିତାଙ୍କ କାନରେ। ଏହାକୁ ତାଚ୍ଛଲ୍ୟ କରି ସେ ଆଗନ୍ତୁକ ଯୁବ କର୍ମୀମାନଙ୍କୁ କୁଆଡେ଼ କହିଥିଲେ, ‘‘ଆଇ ଆମ୍‌ ଅଣ୍ତର ସ୍କାନର, ଲେଟ୍‌ ଦେମ୍‌ ଡୁ ହ୍ବାଟ୍‌ ଦେ ଵାଣ୍ଟ୍‌’’। ଦିନେ ପରେ ଦଳୀୟ କାର୍ଯ୍ୟାଳୟରେ ନବାଗତ ଅପରାଜିତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା। ସମ୍ବର୍ଦ୍ଧନାର ଉତ୍ତରରେ ସେ ଯେଉଁ ମନ୍ତ୍ର ଦେଲେ, ତାହା ଦଳୀୟ ରାଜନୀତି ଦୃଷ୍ଟିରୁ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ସେ କହିଥିଲେ, ‘‘ଵାନ୍‌ ଟିମ୍‌, ଵାନ୍‌ ଡ୍ରିମ୍‌’ରେ ସମସ୍ତେ କାମ କରିବା। ପରୋକ୍ଷରେ ସେ ସ୍ବୀକାର କରିଥିଲେ, ରାଜ୍ୟ ଶାଖା ଏକ ହୋଇ ରହି ନାହିଁ। ଅନ୍ୟପକ୍ଷରେ ଓଡ଼ିଶାରେ ଦଳର ସଫଳତା ପାଇଁ ତାଙ୍କ ଵାନ୍‌ ଡ୍ରିମ୍‌ ଆହ୍ବାନ ନେତୃତ୍ବଭିତ୍ତିକ ଆତ୍ମପ୍ରତ୍ୟୟର ଅ˚ଶବିଶେଷ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ବିଚାର କରୁଛନ୍ତି।

ସେମାନଙ୍କ ମତରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ଆଶାତୀତ ସଫଳତା ପାଇଥିଲା, ପରବର୍ତ୍ତୀ ସମୟରେ ତାହା ଅବକ୍ଷୟମୁଖୀ ହେଲା। ବିଜେପୁର ଉପନିର୍ବାଚନ ସମେତ ଇତିମଧୢରେ ଅନୁଷ୍ଠିତ ବିଭିନ୍ନ ପଞ୍ଚାୟତ ଓ ପୌର ଉପନିର୍ବାଚନରେ ବିଜେପି ପ୍ରତ୍ୟାଖ୍ୟାତ ହୋଇଚାଲିଛି। ଏସବୁ ଦୁର୍ଗତି ପାଇଁ ଆତ୍ମକୈନ୍ଦ୍ରୀକ ନେତା ଦାୟୀ ବୋଲି ଦଳର ବରିଷ୍ଠ କର୍ମକର୍ତ୍ତା ସ୍ବୀକାର କରୁଥିଲେ ମଧୢ ଭବିଷ୍ୟତ ବିପନ୍ନ ହେବା ଆଶଙ୍କାରେ କେହି ସିଧାସଳଖ ମୁହଁ ଖୋଲୁନାହାନ୍ତି। ପ୍ରଥମତଃ ନିଜ ଅଞ୍ଚଳରେ ପ୍ରତ୍ୟାଖ୍ୟାତ ଏହି ନେତା କେବଳ ବଶମ୍ବଦ ଗୋଷ୍ଠୀ ସୃଷ୍ଟି ଲକ୍ଷ୍ୟରେ ଅଧିକ ପ୍ରତ୍ୟାଖ୍ୟାତ ନେତାମାନଙ୍କୁ ପଦପଦବି ଦେବା ଓ ଯୋଗ୍ୟ ନେତାଙ୍କୁ ଉପେକ୍ଷା କରିବା ଯୋଗୁଁ କୁହୁଳୁଥିବା ଅସନ୍ତୋଷରୁ ଆଭ୍ୟନ୍ତରୀଣ କନ୍ଦଳ ଯେ ଉତ୍କଟ ହେବାରେ ଲାଗିଛି, ତାହାକୁ ସମସ୍ତେ ସ୍ବୀକାର କରୁଛନ୍ତି। ଏଭଳି ପରିସ୍ଥିତିରେ ଅମିତ୍‌ ଶାହଙ୍କ ‘ମିସନ୍‌ ୧୨୦’ ଯେ ଦିବା ସ୍ବପ୍ନ-କେନ୍ଦ୍ରୀୟ ନେତୃତ୍ବ ହୃଦୟଙ୍ଗମ କରିବା ସ୍ବାଭାବିକ। ହୁଏତ ଏହି ବାସ୍ତବତାର ପାର୍ଶ୍ବ ପ୍ରଭାବ ସ୍ବରୂପ କେନ୍ଦ୍ରୀୟ ନେତୃବର୍ଗ ଅପରାଜିତାଙ୍କଠାରେ ବିକଳ୍ପ ଅନୁସନ୍ଧାନ କରିଥିବେ ବୋଲି ପର୍ଯ୍ୟବେକ୍ଷକ ମହଲ ଅନୁମାନ କରୁଛନ୍ତି। ଏହି ମହଲର ଯୁକ୍ତି ହେଲା-ସାଧାରଣ ନିର୍ବାଚନ ସା˚ଗକୁ ଓଡ଼ିଶା ବିଧାନସଭା ଭୋଟ୍‌ ପାଇଁ ସମୟ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆକ୍ରମଣାତ୍ମକ ରଣକୌଶଳ ପ୍ରତିପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଥି ସହ ବିଧାନସଭା ଓ ସ˚ସଦରେ ମହିଳାଙ୍କ ପାଇଁ ୩୩% ସ˚ରକ୍ଷଣ ନିମନ୍ତେ ବିଧାନସଭାରେ ନବୀନ ଯେଉଁ ସ˚କଳ୍ପ ପାରିତ କରିଛନ୍ତି, ତାହା ପ୍ରମୁଖ ଦଳଙ୍କୁ ବିଚଳିତ କରିବା ନିଶ୍ଚିତ। ଏହି ପ୍ରେକ୍ଷାପଟ୍ଟରେ ଅପରାଜିତାଙ୍କୁ ସାମ୍ନାରେ ରଖି ବିଜେପି ନେତୃତ୍ବ ‘କ୍ଷତି ନିୟନ୍ତ୍ରଣ’ (ଡ୍ୟାମେଜ୍‌ କଣ୍ଟ୍ରୋଲ୍‌) ଅନୁଶୀଳନ ଆରମ୍ଭ କରିବା ବିଚିତ୍ର ନୁହେଁ ବୋଲି ସେମାନେ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର