ମୁଖ୍ୟ ଶାସନ ସଚିବ ଦିନରେ ଲଣ୍ଠନ ଦେଖାଉଛନ୍ତି : ବିଜେପି

ଭୁବନେଶ୍ବର : ‘ରକେଟ୍‌ ବେଗରେ ଫାଇଲ୍‌ ଦୌଡ଼ିବ, ଏଣିକି ସରକାରୀ ଦପ୍ତରରେ ଫା‌ଇଲ୍‌ ଅଟକିବନି’ ବେ‌ାଲି ନୂଆ ମୁଖ୍ୟ ଶାସନ ସଚିବ ଦାୟିତ୍ବ ଗ୍ରହଣ ପ‌େର କହିଥିଲେ। ଏହାକୁ କଟାକ୍ଷ କରିଛି ବିଜେପି। ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟ ଶାସନ ସଚିବ ଯାହା କହୁଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ସେ ନିଜେ ଗୃହ ବିଭାଗରେ ଦୀର୍ଘ ଦିନ ଧରି ଦାୟିତ୍ବ ନିର୍ବାହ କରିବା ସମୟରେ ଫାଇଲ୍‌କୁ ରକେଟ୍‌ ବେଗରେ ଦୌଡ଼ାଇବା ପାଇଁ କିଏ ଓ କାହିଁକି ମନା କରିଥିଲା ? ଯଦି କେଉଁ ବିଭାଗରେ ଫାଇଲ୍‌ ବେଶୀ ଅଟକେ, ତାହା ହେଉଛି ଗୃହ ବିଭାଗ। ସେ କେବଳ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି।  ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଲେ, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଆତ୍ମହତ୍ୟା କରିଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ଦୋଷୀ ଧରାପଡ଼ିଲା ନାହିଁ। ପିପିଲି ଘଟଣାରେ କ୍ରାଇମ୍‌ ବ୍ରାଞ୍ଚ୍ ଏମିତି ତଦନ୍ତ କରିଲା ଓ ଗୃହ ବିଭାଗ ଏପରି ଭାବେ ମାମଲା ଲଢ଼ିଲା ଯେ ଶେଷରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଗଲେ। ଗତ ୨୦ ବର୍ଷ ଧରି ଯେଉଁ ବାବୁମାନେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଥିଲେ, ସେମାନଙ୍କୁ ଫାଇଲ୍‌କୁ ଦୌଡ଼ାଇବା ପାଇଁ କିଏ ମନା କରିଥିଲା ? ନୂଆ ମୁଖ୍ୟ ଶାସନ ସଚିବ କେବଳ ନିଜ କଳାପାହାଡ଼ ବସ୍‌ଙ୍କୁ ଖୁସି କରିବା ପାଇଁ ଏପରି ବୟାନ ଦେଇ ନାହାନ୍ତି ତ ? ଗତକାଲି ଯେଉଁ ପୁଞ୍ଜି ବିନିଯୋଗ ଫାଇଲ୍‌କୁ କ୍ଲିୟର୍‌ କରାଗଲା ବୋଲି ସରକାର ଯେଉଁ ଘୋଷଣା କରିଛନ୍ତି, ତାହା ଖାଲି ଜମି ଦେବାରେ ରାଜ୍ୟ ସରକାରଙ୍କୁ ୩ ବର୍ଷରୁ ଅଧିକ ସମୟ ଲାଗିଗଲା। ରାଜ୍ୟ ସରକାରଙ୍କ ଫାଇଲ୍‌ କାହା ପାଖରେ ଅଟକେ ଓ କିଏ ସେହି ଫାଇଲ୍‌କୁ ଅନୁମୋଦନ କରନ୍ତି ତାହା ସମସ୍ତେ ଜାଣନ୍ତି। ନିଜେ ମୁଖ୍ୟ ଶାସନ ସଚିବ ବି ଜାଣନ୍ତି ଯେ ସେ ମୁଖ୍ୟ ଶାସନ ସଚିବ ହୋଇଥିଲେ ମଧ୍ୟ ସବୁ ଫାଇଲ୍‌କୁ ସେ ତୃତୀୟ ମହଲାରେ କଳାପାହାଡ଼ଙ୍କୁ ଦେଖାଇବାକୁ ବାଧ୍ୟ। ତେଣୁ କଳାପାହାଡ଼ଙ୍କୁ ଖୁସି କରିବାକୁ ରାଜ୍ୟବାସୀଙ୍କୁ ସେ ପୁଣି ଦିନରେ ଲଣ୍ଠନ ଦେଖାଉଛନ୍ତି।

ସମ୍ବନ୍ଧିତ ଖବର